ଆପ୍‌ର ‘ଗଣ ଉପବାସ’

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ମୁଖ୍ୟମନ୍ତ୍ରୀ ତଥା ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯିବା ପ୍ରତିବାଦରେ ଦଳ ପକ୍ଷରୁ ଆଜି ଦିନିକିଆ ‘ଗଣ ଉପବାସ’ ପାଳନ କରାଯାଇଛି। ଅନ୍ୟପକ୍ଷରେ ବିଜେପି ମଧ୍ୟ ଦିଲ୍ଲୀରେ ଆପ୍ ବିରୋଧରେ ମଦ ଦୁର୍ନୀତିକୁ ନେଇ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛି । ଆଜି ପୂର୍ବାହ୍ନ ୧୦ଟାରୁ ଦିଲ୍ଲୀର ଜନ୍ତରମନ୍ତରରେ ଆପ୍‌ର ମୁଖ୍ୟ ଅନଶନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଦେଶର ସମସ୍ତ ରାଜ୍ୟ ରାଜଧାନୀ ସହରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏପ୍ରିଲ ୪ ତାରିଖରେ ମଦ ଦୁର୍ନୀତି ମାମଲାରେ ଜାମିନରେ ମୁକୁଳିଥିବା ଆପ୍ ନେତା ସଞ୍ଜୟ ସିଂହ ବିକ୍ଷୋଭ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଥିଲେ ଯେ ଅରବିନ୍ଦ କେଜ୍ରିୱାଲ ଜଣେ ସଚ୍ଚୋଟ ରାଜନେତା ଥିଲେ, ଅଛନ୍ତି ଏବଂ ରହିବେ। ସଞ୍ଜୟ କହିଛନ୍ତି ଯେ ଏହି ମାମଲାରେ ଇଡି ଏବଂ ସିବିଆଇ ୫୦,୦୦୦ ପୃଷ୍ଠାର ତଦନ୍ତ ରିପୋର୍ଟ ପ୍ରସ୍ତୁତ କରିଛନ୍ତି ଏବଂ ଦୁଇ ତଦନ୍ତକାରୀ ଏଜେନ୍ସିରେ ୪୫୬ ଜଣ ସାକ୍ଷୀ ଅଛନ୍ତି।

ଏହି ୪୫୬ ଜଣ ସାକ୍ଷୀଙ୍କ ମଧ୍ୟରୁ ମାତ୍ର ୪ ଜଣ ସାକ୍ଷୀ ଅରବିନ୍ଦ କେଜ୍ରିୱାଲଙ୍କ ନାମ ନେଇଛନ୍ତି। କେଉଁ ପରିସ୍ଥିତିରେ ଓ ଚାପରେ ସେମାନେ କେଜ୍ରିଵାଲଙ୍କ ନାମ ନେଇଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ଜନ୍ତରମନ୍ତରରେ ଉପସ୍ଥିତ ଥିବା ଦିଲ୍ଲୀ ମନ୍ତ୍ରୀ ଆତିଶୀ କହିଛନ୍ତି ଯେ ତଦନ୍ତକାରୀ ସଂସ୍ଥା ମଦ ଦୁର୍ନୀତି ମାମଲାରେ ଆପ୍‌ ନେତାଙ୍କଠାରୁ ଗୋଟିଏ ପଇସା ବି ଠାବ କରିପାରି ନାହିଁ । ଅନ୍ୟପକ୍ଷରେ ବିଜେପି ମଦ ଦୁର୍ନୀତି ବିରୋଧରେ ଆଜି ଦିଲ୍ଲୀରେ ପ୍ରତିବାଦ କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଆପ୍‌ର ଗଣ ଉପବାସକୁ ଏକ ପ୍ରହସନ ବୋଲି ବିଜେପି ନେତାମାନେ କହିଛନ୍ତି। ଦଳର ଦିଲ୍ଲୀ ଶାଖା ସଭାପତି ବୀରେନ୍ଦ୍ର ସଚଦେବ କହିଛନ୍ତି ଯେ କେଜ୍ରିୱାଲଙ୍କ ଦୁର୍ନୀତି ମଡେଲ ସଂପର୍କରେ ଲୋକେ ଜାଣିଗଲେଣି। ଆପ୍‌ ଓ ଏହାର ମୁଖ୍ୟଙ୍କ ଦୁର୍ନୀତି ଆଉ ଲୁଚି ରହିବ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର