‘ଆର୍ୟନ୍‌ ଖାନ୍‌ ମାମଲାରେ ଅନେକ ଅନିୟମିତତା ଅଛି’: ଏନସିବି ଆଭ୍ୟନ୍ତରୀଣ ରିପୋର୍ଟ

ମୁମ୍ବାଇ: ବଲିଉଡ ଅଭିନେତା ଶାହରୁଖ ଖାନ୍‌ଙ୍କ ପୁଅ ଆର୍ୟନ ଖାନଙ୍କ ସହ ଜଡିତ ଡ୍ରଗ୍‌ସ-ଅନ୍‌-କ୍ରୁଜ୍‌ ମାମଲାର ଅନୁସନ୍ଧାନରେ ଅନେକ ଅନିୟମିତତା ହୋଇଥିଲା ବୋଲି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ଏକ ଆଭ୍ୟନ୍ତରୀଣ ରିପୋର୍ଟରୁ ଜଣାପଡିଛି। ଏ ପ୍ରସଙ୍ଗରେ ଏଜେନ୍‌ସିର ସାତରୁ ଆଠ ଜଣ ଅଧିକାରୀଙ୍କ ଉପରେ ସନ୍ଦେହଜନକ ଆଚରଣର ଅଭିଯୋଗ ଉଠିଛି ସଂପୃକ୍ତ ରିପୋର୍ଟରେ।

ଡ୍ରଗ୍‌ସ-ଅନ୍‌-କ୍ରୁଜ୍‌ ମାମଲାରେ ଆର୍ୟନ ଖାନ ଗିରଫ ହୋଇ ତିନି ସପ୍ତାହରୁ ଅଧିକ ଜେଲରେ ରହିବାପରେ ଜାମିନରେ ମୁକୁଳି ଥିଲେ। ଏହି ଘଟଣାର ଆଠ ମାସ ପରେ ଆର୍ୟ୍ୟନ ଖାନ ଏବଂ ଏହି ମାମଲାରେ ତାଙ୍କ ସହ ଗିରଫ ହୋଇଥିବା ଅନ୍ୟ ପାଞ୍ଚ ଜଣଙ୍କୁ ଏନସିବି କ୍ଲିନ୍‌ଚିଟ୍‌ ପ୍ରଦାନ କରିଥିଲା। ତଦନ୍ତ କାଳରେ ଅଭିଯୁକ୍ତମାନଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ଖୋଜିବାରେ ସକ୍ଷମ ହୋଇପାରି ନଥିଲେ ତଦନ୍ତକାରୀ ସଂସ୍ଥା ଏନ୍‌ସିବିର ଅଧିକାରୀମାନେ। ଗତ ଅକ୍ଟୋବରରେ ମୁମ୍ବାଇର ଏକ କ୍ରୁଜ୍‌ ଜାହାଜରୁ ଗିରଫ ହୋଇଥିବା ୨୦ ଜଣଙ୍କ ମଧ୍ୟରେ ଆର୍ୟ୍ୟନ୍‌ ଖାନ୍‌ ଥିଲେ ଏବଂ ଗିରଫ ହୋଇଥିବା କେତେକଙ୍କ ନିକଟରୁ ଡ୍ରଗ୍‌ସ ମିଳିଥିଲା।

ନଭେମ୍ବରରେ, ଏନସିବି ମୁଖ୍ୟାଳୟ ଏହି ମାମଲାର ତଦନ୍ତ ଅଧିକାରୀ ରହିଥିବା ସମୀର ୱାଙ୍ଖଡେଙ୍କୁ ଅନୁସନ୍ଧାନରୁ ହଟାଇ ଦେଇଥିଲା ଏବଂ ଏହି ମାମଲାର ତଦନ୍ତକୁ ମୁମ୍ବାଇରୁ ଦିଲ୍ଲୀସ୍ଥିତ ଏସଆଇଟିକୁ ସ୍ଥାନାନ୍ତର କରିଥିଲା। ଏନସିବିର ଡେପୁଟି ଡାଇରେକ୍ଟର ଜେନେରାଲ ସଞ୍ଜୟ କୁମାର ସିଂଙ୍କ ଅଧୀନରେ ଏହି ମାମଲାର ତଦନ୍ତ ଚାଲିଥିଲା।

ସମ୍ବନ୍ଧିତ ଖବର