‘ସ୍ମାର୍ଟଫୋନ ‘ଜୋମ୍ବି’ଙ୍କ ପ୍ରତି ସତର୍କ ରୁହନ୍ତୁ’ ବେଙ୍ଗାଲୁରୁର ରାସ୍ତାକଡ଼ରେ କାହିଁକି ଏପରି ଲେଖାଯାଇଛି ?

ବେଙ୍ଗାଲୁରୁ : ବେଙ୍ଗାଲୁରୁର ଏକ ରାସ୍ତାକଡ଼ରେ ଏକ ସାଇନ ବୋର୍ଡ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ସେଥିରେ ଲେଖାଅଛି ‘ସ୍ମାର୍ଟଫୋନ ଜୋମ୍ବିଙ୍କ ପ୍ରତି ସତର୍କ ରୁହନ୍ତୁ’ । ଜୋମ୍ବିର ଅର୍ଥ ହେଉଛି ଏକ ବିଷାକ୍ତ ଭାଇରସ ଦ୍ବାରା ଆକ୍ରାନ୍ତ ହୋଇ ନରରାକ୍ଷସ ସଦୃଶ ହୋଇଥିବା ମନୁଷ୍ୟ, ଯାହାକି ବାହ୍ୟଜଗତ ପ୍ରତି ସଚେତନ ନଥାଏ । ଏହା ମୁଖ୍ୟତଃ ବିଭିନ୍ନ ହଲିଉଡ୍ ସିନେମାରେ ଦେଖାଯାଉଥିବା ଏକ କାଳ୍ପନିକ ଚରିତ୍ର ବା ଚରିତ୍ରଗଣ ।

ତେବେ ଏଠାରେ ପ୍ରଶ୍ନଉଠେ ସ୍ମାର୍ଟଫୋନ ଜୋମ୍ବି କଣ ଓ ରାସ୍ତାକଡ଼ରେ କାହିଁକି ଏପରି ଲେଖାଯାଇଛି ? ମୁଖ୍ୟତଃ ସ୍ମାର୍ଟଫୋନରେ ମଜ୍ଜି ରହି ବାହ୍ୟଜଗତ ପ୍ରତି ଅବଚେତନ ଥିବା ବ୍ୟକ୍ତିମାନଙ୍କ ପ୍ରତି ବ୍ୟଙ୍ଗାତ୍ମକଭାବେ ଏପରି କୁହାଯାଇଛି । ରାସ୍ତାରେ ଚାଲିବାବେଳେ, ଗାଡ଼ି ଚଲାଇବା ବେଳେ ଲୋକମାନେ ନିଜ ସ୍ମାର୍ଟଫୋନ ମଧ୍ୟରେ ଏତେ ମଜ୍ଜି ରହୁଛନ୍ତି ଯେ ସେମାନଙ୍କ ଯୋଗୁଁ ଦୁର୍ଘଟଣା ଘଟୁଛି ।

କେବଳ ରାସ୍ତାଘାଟ ନୁହେଁ, ଆମର ନୀତିଦିନିଆ ଜୀବନର ସବୁ ପରିସ୍ଥିତିକୁ ଅକ୍ତିଆର କରିନେଇଛି ସ୍ମାର୍ଟଫୋନ । ଛୋଟ ଶିଶୁଙ୍କଠାରୁ ଆରମ୍ଭ କରି ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ପାଗଳ କରିଦେଇଛି ସ୍ମାର୍ଟଫୋନ । ଅନ୍ୟପ୍ରକାରେ କହିଲେ ସ୍ମାର୍ଟଫୋନ ଆମକୁ ଏତେ ପରିମାଣରେ ‘ସଂକ୍ରମିତ’ କରିଦେଇଛି ଯେ ବାହ୍ୟଜଗତ ପ୍ରତି ଆମର କୌଣସି ସମ୍ପର୍କ ରହୁନାହିଁ । ଆମେ ସ୍ବାଭାବିକଭାବେ ଆମ ଜୀବନକୁ ଉପଭୋଗ କରିପାରୁନାହୁଁ । ଆମ ଆଗରେ ଘଟୁଥିବା କୌଣସି ଚିତ୍ତାକର୍ଷକ ଦୃଶ୍ୟକୁ ଆମେ ସିଧାସଳଖ ନିଜ ଆଖିରେ ଦେଖିବା ବଦଳରେ ନିଜ ପକେଟରୁ ସ୍ମାର୍ଟଫୋନ ବାହାର କରି ତାହାର ସ୍କ୍ରିନରେ ଉକ୍ତ ଦୃଶ୍ୟକୁ ରେକର୍ଡ କରୁଛୁ । କହିବା ବାହୁଲ୍ୟ, ଏହା ଆମର ସାମାଜିକ ଓ ବ୍ୟକ୍ତିଗତ ଜୀବନକୁ ନଷ୍ଟ କରିବା ସହ ଆମକୁ ଏକ ଅତ୍ୟନ୍ତ ଅନ୍ୟମନସ୍କ ବ୍ୟକ୍ତିରେ ପରିଣତ କରିସାରିଛି ।

ସମ୍ବନ୍ଧିତ ଖବର