‘ଭାରତ ବନ୍ଦ’ ଆନ୍ଦେଳନ ନେଲା ହିଂସାତ୍ମକ ରୂପ; ୯ ମୃତ, ଶତାଧିକ ଆହତ, ୨୦୦୦ରୁ ଉର୍ଦ୍ଧ୍ୱ ଗିରଫ

୫ଟି ରାଜ୍ୟରେ ଶହଶହ କୋଟିର ସଂପତ୍ତି ନଷ୍ଟ

ନୂଆଦିଲ୍ଲୀ: ଦେଶର ଦଳିତ ସଂଗଠନଗୁଡ଼ିକ ପକ୍ଷରୁ ସୋମବାର ଦିଆଯାଇଥିବା ‘ଭାରତ ବନ୍ଦ’ ଡାକରା ଉଗ୍ର ଓ ହିଂସାତ୍ମକ ରୂପ ନେବା ପରିପ୍ରେକ୍ଷୀରେ ଦେଶର ବିଭିନ୍ନ ରାଜ୍ୟରେ ୯ ଜଣ ବ୍ୟକ୍ତିଙ୍କ ମୁତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ମୃତକମାନଙ୍କ ମଧ୍ୟରେ ମଧ୍ୟପ୍ରଦେଶରୁ ସର୍ବାଧିକ ୬ ଜଣ ରହିଥିବା ବେଳେ ଉତ୍ତର ପ୍ରଦେଶରୁ ୨ ଜଣ ଏବଂ ରାଜସ୍ଥାନରୁ ଜଣେ ରହିଛନ୍ତି। ଆଜିର ଏହି ଭାରତ ବନ୍ଦ ପ୍ରଭାବରେ ଦେଶର ପ୍ରାୟ ଅର୍ଦ୍ଧାଧିକ ରାଜ୍ୟରେ ଜୀବନଯାତ୍ରା ସଂପୂର୍ଣ୍ଣ ରୂପେ ଠପ୍‌ ହୋଇ ପଡ଼ିଛି। ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ବହୁ ରାଜ୍ୟରେ ମୋବାଇଲ ଓ ଇଣ୍ଟରନେଟ୍‌ ସେବାକୁ ମଧ୍ୟ ବନ୍ଦ ରଖାଯାଇଛି। ଦେଶର ବିଭିନ୍ନ ସ୍ଥାନରେ ପୋଲିସ୍‌ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ବିକ୍ଷୋଭକାରୀଙ୍କ ଟେକାପଥର ମାଡ଼ରେ ମଧ୍ୟ ବହୁ ପୋଲିସ ଓ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ସମଗ୍ର ଦେଶରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହେବା ସହ ରେଳ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ତେବେ, ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ କରିଥିବା ନିବେଦନ ବିକ୍ଷୋଭକାରୀମାନଙ୍କ ଉପରେ କୌଣସି ପ୍ରକାରର ପ୍ରଭାବ ପକାଇବାରେ ସମର୍ଥ ହୋଇପାରି ନାହିଁ। ଦେଶର ଉତ୍ତରାଞ୍ଚଳ ଏବଂ କେନ୍ଦ୍ରାଞ୍ଚଳରେ ଥିବା ରାଜ୍ୟ ସମୂହ; ଦିଲ୍ଲୀ, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ, ବିହାର, ଆଦି ରାଜ୍ୟରେ ଏହି ଆନ୍ଦୋଳନ ହିଂସାତ୍ମକ ରୂପ ନେବା ସହ ବିକ୍ଷୋଭକାରୀମାନେ ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି। ଜାତୀୟ ରାଜପଥରେ ବିକ୍ଷୋଭକାରୀମାନେ ଯାତ୍ରୀବାହୀ ବସ୍‌ ଠାରୁ ଆରମ୍ଭ କରି ଅନେକ ଶତାଧିକ ଛୋଟବଡ଼ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି। ପଞ୍ଜାବ, ଜୟପୁର, ଆଗ୍ରା, ରାଜସ୍ଥାନ, ଗୁଜୁରାଟ ପ୍ରଭୃତିସ୍ଥାନରେ ବିକ୍ଷୋଭକାରୀମାନେ ହଜାର ହଜାର ସଂଖ୍ୟାରେ ଦୋକାନ ବଜାର ଭଙ୍ଗାରୁଜା କରିବା ସହ ନିଆଁ ମଧ୍ୟ ଲଗାଇ ଦେଇଛନ୍ତି। କେତେକ ସ୍ଥାନରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ୍‌କୁ ଲୁହବୁହା ଗ୍ୟାସ ପ୍ରୟୋଗ କରିବା ସହ କର୍ଫ୍ୟୁ ଜାରି ମଧ୍ୟ କରିବାକୁ ପଡ଼ିଛି। ବିକ୍ଷୋଭକାରୀଙ୍କ ଏପ୍ରକାରର ହିଂସାତ୍ମକ କାର୍ଯ୍ୟକଳାପରେ ଶହଶହ କୋଟି ଟଙ୍କାର ସଂପତ୍ତି ନଷ୍ଟ ହୋଇଯାଇଛି। କେତେକ ରାଜ୍ୟରେ ଆଜି ଅନୁଷ୍ଠିତ ହେବାକୁ ଥିବା ୧୦ମ ଓ ୧୨ଶର ବୋର୍ଡ ପରୀକ୍ଷାକୁ ଆସନ୍ତା ୧୧ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।


ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଅନୁସୂଚୀତ ଜାତି ଓ ଜନଜାତି ବର୍ଗଙ୍କ ପାଇଁ ରହିଥିବା ସୁରକ୍ଷା ଆଇନ୍‌ରେ ପରିବର୍ତ୍ତନ ଆଣିବାକୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌ କୋର୍ଟ ନିକଟରେ ଦେଇଥିବା ଏକ ରାୟକୁ ବିରୋଧ କରି ଦେଶର ଦଳିତ ସଂଗଠନଗୁଡ଼ିକ ଏକଜୁଟ ହୋଇ ଆଜିର ଏହି ବନ୍ଦ ଡାକରା ଦେଇଥିଲେ। ତେବେ, ସୋମବାର କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଦେଶର ଦଳିତ ସଂଗଠନ ଓ ଏହାର ନେତୃବୃନ୍ଦଙ୍କୁ ଅନୁରୋଧ କରି କହିଥିଲେ ଯେ କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟ ତାଙ୍କର ଏହି ରାୟର ପୁନଃବିଚାର କରିବା ପାଇଁ ଏକ ରିଭ୍ୟୁ ପିଟିସନ୍‌ ଦାଖଲ କରିଛନ୍ତି। ତେଣୁ, ସେମାନେ ଆନ୍ଦୋଳନ ପ୍ରତ୍ୟାହାର କରିବା ସହ ଶାନ୍ତିଶୃଙ୍ଖଳା ବଜାୟ ରଖନ୍ତୁ। କିନ୍ତୁ ଗୃହମନ୍ତ୍ରୀଙ୍କ ଏହି ନିବେଦନ ଦଳିତ ସଂଗଠନ କିମ୍ବା ଏହାର ନେତାମାନଙ୍କୁ ପ୍ରଭାବିତ କରିପାରି ନଥିଲା।


‘ଭାରତ ବନ୍ଦ’ର ହିଂସାତ୍ମକ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ରାଜ୍ୟମାନଙ୍କୁ କେନ୍ଦ୍ର ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ ବୋଲି ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀ ଠାରେ ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ଦଳିତ ନେତ୍ରୀ ତଥା ବହୁଜନ ସମାଜ ପାର୍ଟି (ବିଏସ୍‌ପି) ସୁପ୍ରିମୋ ମୟାବତୀ ‘ଭାରତ ବନ୍ଦ’ ଡାକରାକୁ ସମର୍ଥନ ଜଣାଇଥିବା ବେଳେ ବନ୍ଦ ପାଳନ କାଳରେ ଘଟିଥିବା ହିଂସାର ତୀବ୍ର ନିନ୍ଦା କରିଛନ୍ତି।

ସମ୍ବନ୍ଧିତ ଖବର