ମାସକ ମଧ୍ୟରେ ସମସ୍ତ ଥାନାରେ ସିସିଟିଭି ଲଗାଇବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌କୋର୍ଟ; ନହେଲେ କଡ଼ା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଦେଶର ସମସ୍ତ ଥାନା ଓ ତଦନ୍ତକାରୀ ଏଜେନ୍‌ସି କାର୍ଯ୍ୟାଳୟରେ ସିସିଟିଭି କ୍ୟାମେରା ବାଧ୍ୟତାମୂଳକ ଭାବେ ଏକ ମାସ ମଧ୍ୟରେ ଲଗାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସୁପ୍ରିମ୍‌କୋର୍ଟର ବିଚାରପତି ଜଷ୍ଟିସ୍‌ ବିଆର୍‌ ଗଭାଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସରକାରଙ୍କୁ ଏସଂପର୍କରେ ମାର୍ଚ୍ଚ ୨୯ ତାରିଖ ମଧ୍ୟରେ ଅନୁପାଳନ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେବା ସହ ଏହାକୁ ନ ମାନିଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନେବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି।

ଜଷ୍ଟିସ୍‌ ବିକ୍ରମ ନାଥ ଓ ଜଷ୍ଟିସ୍‌ ସଞ୍ଜୟ କରୋଲଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଯଦି ଏହି ନିର୍ଦ୍ଦେଶ ପାଳନ କରା ନଯାଏ, ତେବେ ଆମେ କେନ୍ଦ୍ର ଗୃହ ସଚିବ ଏବଂ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଓ ଗୃହ ସଚିବଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନେବାକୁ ବାଧ୍ୟ ହେବୁ।

ପ୍ରତ୍ୟେକ ଥାନାର ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ପଥ, ମୁଖ୍ୟ ଫାଟକ, ଲକ୍‌ ଅପ୍‌, କରିଡର, ଲବି ଓ ରିସେପ୍ସନ୍‌ ସମେତ ଲକ୍‌ ଅପ୍‌ ରୁମ୍‌ ବାହାରେ ଯେପରି କୌଣସି ଅଂଶ ଯେପରି କ୍ୟାମେରା ଆଢ଼ୁଆଳରେ ନ ରହିବ, ସେଥିପ୍ରତି ଦୃଷ୍ଟି ଦେବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।

୨୦୧୭ ମସିହାରେ ହୋଇଥିବା ଏକ ମାମଲାକୁ ସୁପ୍ରିମକୋର୍ଟ ବିଚାରକୁ ନେଇ ମାନବିକ ଅଧିକାର ଉଲ୍ଲଂଘନ ରୋକିବା ପାଇଁ ସମସ୍ତ ଥାନାରେ ସିସିଟିଭି କ୍ୟାମେରା ଲଗାଇବା, ଅପରାଧ ସ୍ଥଳର ଭିଡିଓଗ୍ରାଫି ଏବଂ ସେଣ୍ଟ୍ରାଲ ଓଭରସାଇଟ୍‌ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏଥିପେଇଁ ଏକ ପ୍ୟାନେଲ ଗଠନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।

୨୦୨୦ ମସିହାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ), ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ ଜାତୀୟ ତଦନ୍ତକାରୀ ଏଜେନ୍‌ସି (ଏନ୍‌ଆଇଏ) ସମେତ ଜାତୀୟ ତଦନ୍ତକାରୀ ଏଜେନ୍‌ସିମାନଙ୍କ କାର୍ଯ୍ୟାଳୟରେ ସିସିଟିଭି କ୍ୟାମେରା ଲଗାଇବାକୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର