୪୦ ଫୁଟ ଗଭୀର ବୋରୱେଲକୁ ଖସିଲା ଶିଶୁ, ଏନଡିଆରଏଫର ଉଦ୍ଧାର କାର୍ଯ୍ୟ ଜାରି

ନୂଆଦିଲ୍ଲୀ: ଦିଲ୍ଲୀର କେଶୋପୁର ମଣ୍ଡି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଶିଶୁ ୪୦ ଫୁଟ ଗଭୀର ବୋରୱେଲକୁ ଖସି ପଡ଼ିଛି। ଶିଶୁକୁ ଉଦ୍ଧାର କରିବା ପାଇଁ ଦମକଳ ବାହିନୀ,ଏନଡିଆରଏଫ ଏବଂ ପୁଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଶିଶୁକୁ ବାହାର କରିବା ପାଇଁ ଜେସିବି ଦ୍ବାରା ଡ୍ରିଲିଂ ଜାରି ରହିଛି।

ଦମକଳ ବାହିନୀ ଅନୁସାରେ ଶନିବାର-ରବିବାର ରାତ୍ର ପ୍ରାୟ ଗୋଟାଏ ସମୟରେ ଦିଲ୍ଲୀ ଜଳ ବୋର୍ଡ ପ୍ଲାଣ୍ଟ ପରିସରରେ ଥିବା ୪୦ ଫୁଟ ଗଭୀର ବୋରୱେଲରେ ଶିଶୁ ଖସି ପଡ଼ିଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଦମକଳ ବାହିନୀର ୫ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା।
ଦିଲ୍ଲୀ ଜଳ ବୋର୍ଡର ୨୦ ଏମଜିଡି କ୍ଷମତା ବିଶିଷ୍ଟ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟରେ ୧.୫ ଫୁଟ ଚଉଡ଼ା ମୁହଁ ଥିବା ବୋରୱେଲରେ ଶିଶୁ ଖସିପଡ଼ିଥିବା କୁହାଯାଉଛି।

ବୋଲୱେଲ ପାଖରେ ସନ୍ତରାଳ ଭାବେ ଏକ ଗାତ ଖୋଳି ଶିଶୁକୁ ଉଦ୍ଧାର କରାଯିବାର ଉଦ୍ୟମ କରାଯାଉଛି। ଶିଶୁକୁ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ଯୋଜନା କରାଯାଉଛି। ଜେସିବି ଦ୍ବାରା ଗାତ ଖୋଳିବା ପାଇଁ ସମୟ ଲାଗୁଛି ବୋଲି ଏନଡିଆରଏଫର ମୁଖ୍ୟ ନିରୀକ୍ଷକ କହିଛନ୍ତି। ଗାତ ଖୋଳିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ। ତେବେ ଉଦ୍ଧାର କାର୍ଯ୍ୟ ପାଇଁ ଅଧିକ ସମୟ ଲାଗିପାରେ ବୋଲି ଅନୁମାନ କରାଯାଉଛି ବୋଲି ସେ କହିଛନ୍ତି। ବ‌ୋରୱେଲରେ ଥିବା ଶିଶୁ ପାଖକୁ ଖାଦ୍ୟ ଏବଂ ଅମ୍ଳଜାନ ପଠାଯିବା କାର୍ଯ୍ୟ ଜାରି ରହିଛି।

ସମ୍ବନ୍ଧିତ ଖବର