ପୁଅ ନା ଝିଅ କାହାକୁ ଅଧିକ ପୋଷ୍ୟ ଭାବେ ଗ୍ରହଣ କରୁଛନ୍ତି ନିଃ!ସନ୍ତାନ ଦମ୍ପତି, ସରକାରୀ ରିପୋର୍ଟରେ ତଥ୍ୟ ପ୍ରକାଶ

ନୂଆଦିଲ୍ଲୀ: ଦେଶର ନିଃସନ୍ତାନହୀନ ଦମ୍ପତିମାନଙ୍କ ମଧ୍ୟରେ ପୋଷ୍ୟ ସନ୍ତାନ ଗ୍ରହଣ କରିବାରେ ଏକ ନୂଆ ଚିନ୍ତାଧାରା ଦେଖିବାକୁ ମିଳୁଛି। ପୂର୍ବରୁ ଏଭଳି ଦମ୍ପତି ପୁଅଙ୍କୁ ପୋଷ୍ୟଭାବେ ଅଧିକ ଗ୍ରହଣ କରୁଥିଲେ। ତେବେ ଏବେ ଚିନ୍ତାଧାରାରେ ବଡ଼ ଧରଣର ପରିବର୍ତ୍ତନ ଆସିଛି। ସେମାନେ ଝିଅଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି। ଝିଅଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାରେ କ୍ଷେତ୍ରରେ ପଞ୍ଜାବ ଆଗୁଆ ରହିଛି।

ଅତିରିକ୍ତ ସୋଲିସିଟର ଜେନେରାଲ ଐଶ୍ଚର୍ଯ୍ୟା ଭଟ୍ଟି ଏସମ୍ପର୍କିତ କେନ୍ଦ୍ର ସରକାରଙ୍କ ରିପୋର୍ଟ ପ୍ରକାଶ କରି ଏହି ସୂଚନା ପ୍ରଦାନ କରିଛନ୍ତି। ୨୦୨୧-୨୦୨୩ ରେ ଦେଶର ମୋଟ ୧୧ ରାଜ୍ୟରେ ୧୫,୪୮୬ ଜଣଙ୍କୁ ପୋଷ୍ୟ ସନ୍ତାନ ଭାବେ ବିଭିନ୍ନ ଦମ୍ପତି ଗ୍ରହଣ କରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେମାନଙ୍କ ମଧ୍ୟରେ ପୁଅଙ୍କ ସଂଖ୍ୟା ୬,୦୧୨ ଥିବାବ‌େଳେ ଝିଅଙ୍କ ସଂଖ୍ୟା ୯,୪୭୪ ରହିଛି।

୬ବର୍ଷରୁ କମ୍ ବୟସ୍କ ପିଲାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଦମ୍ପତିମାନେ ଅଧିକ ପସନ୍ଦ କରିଥିବା ରିପୋର୍ଟରେ ଦର୍ଶାଯାଇଛି। ସେମାନଙ୍କ ମଧ୍ୟରେ ୨ ମଧ୍ୟରେ ପିଲାଙ୍କୁ ୬୯.୪ ପ୍ରତିଶତ ପୋଷ୍ୟଭାବେ ଗ୍ରହଣ କରିଛନ୍ତି। ୨ରୁ ୪ ବର୍ଷ ବୟସ୍କଙ୍କୁ ପୋଷ୍ୟଭାବେ ୧୦.୩ ପ୍ରତିଶତ ଦମ୍ପତି ଗ୍ରହଣ କରିଛନ୍ତି। ୪ରୁ୬ ବର୍ଷ ବୟସ୍କ ପିଲାଙ୍କୁ ୧୪.୮ ପ୍ରତିଶତ ଦମ୍ପତି ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି।
ପଞ୍ଜାବରେ ମୋଟ ୭,୪୯୬ ପିଲାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରାଯାଇଛି। ସେମାନଙ୍କ ମଧ୍ୟରେ ପୁଅଙ୍କ ସଂଖ୍ୟା ୨,୫୩୦ ଥିବାବେଳେ ଝିଅଙ୍କ ସଂଖ୍ୟା ୪,୯୬୬ ରହିଛି। ସେହିପରି ଚଣ୍ଡିଗଡ଼ରେ ୧୬୭ ପୋଷ୍ୟ ସନ୍ତାନଙ୍କ ମଧ୍ୟରେ ଝିଅଙ୍କ ସଂଖ୍ୟା ୧୧୪ ରହିଛି।
ହିମାଚଳ ପ୍ରଦେଶରେ ୨,୧୦୭ ପୋଷ୍ୟ ସନ୍ତାନଙ୍କ ମଧ୍ୟରେ ଝିଅଙ୍କ ସଂଖ୍ୟା ୧,୨୭୮ ରହିଛି। ସେହିପରି ତାମିଲନାଡୁରେ ୧,୬୭୧ଜଣଙ୍କ ମଧ୍ୟରେ ଝିଅଙ୍କ ସଂଖ୍ୟା ୯୮୫, ଦିଲ୍ଲୀରେ ୧,୦୫୬ ଜଣଙ୍କ ମଧ୍ୟରେ ଝିଅଙ୍କ ସଂଖ୍ୟା ୫୫୮, ଉତ୍ତରାଖଣ୍ଡରେ ୬୮୫ ଜଣଙ୍କ ମଧ୍ୟରେ ଝିଅଙ୍କ ସଂଖ୍ୟା ୪୭୨, ଆନ୍ଧ୍ର ପ୍ରଦେଶରେ ୧,୪୧୫ ଜଣଙ୍କ ମଧ୍ୟରେ ଝିଅଙ୍କ ସଂଖ୍ୟା ୮୩୫, ଓଡ଼ିଶାରେ ୨୯୧ ଜଣଙ୍କ ମଧ୍ୟରେ ଝିଅଙ୍କ ସଂଖ୍ୟା ୧୬୫ ରହିଛି। ତେବେ ତେଲେଙ୍ଗାନାରେ ଦମ୍ପତିମାନେ ପୁଅଙ୍କୁ ଅଧିକ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ରାଜ୍ୟରେ ପୋଷ୍ୟ ଗ୍ରହଣ କରାଯାଇଥିବା‌ ୨୪୨ ପିଲାଙ୍କ ମଧ୍ୟରେ ୨୨୮ ପୁଅ ଅଛନ୍ତି। ସେହିପରି ପଶ୍ଚିମବଙ୍ଗରେ ୨୨୮ ପିଲାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରାଯାଇଛି ସେମାନଙ୍କ ମଧ୍ୟରେ ଝିଅଙ୍କ ସଂଖ୍ୟା ୧୧୨ ରହିଛି।

 

ସମ୍ବନ୍ଧିତ ଖବର