ଗାଡ଼ି ଯାଞ୍ଚ କରୁଥିବା ବେଳେ ପୁଲିସ ସବ୍‌-ଇନ୍‌ସ୍‌ପେକ୍ଟର୍‌ଙ୍କ ଉପରେ ଚଢ଼ିଗଲା ବାଲି ମାଫିଆଙ୍କ ଟ୍ରାକ୍ଟର୍‌

ପାଟନା: ବାଲି ଚୋରା ଚାଲାଣକାରୀଙ୍କର ଟ୍ରାକ୍ଟର୍‌ ଚଢ଼ିଯିବାରୁ ମଙ୍ଗଳବାର ଦିନ ଗାଡ଼ି ଯାଞ୍ଚ କରୁଥିବା ବିହାରର ଜଣେ ପୁଲିସ ସବ୍‌-ଇନ୍‌ସ୍‌ପେକ୍ଟର୍‌ଙ୍କର ମୃତ୍ୟୁ ଘଟିଥିବା କଥା ‘ଦି ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ’ ରିପୋର୍ଟ କରିଛି।

ସଂଗୃହୀତ ସୂଚନା ଅନୁସାରେ, ରାଜ୍ୟର ଜାମୁଇ ଜିଲ୍ଲାରେ ବେଆଇନ ଭାବେ ଉତ୍‌ଖନନ କରି ବାଲି ମାଫିଆମାନେ ଉକ୍ତ ଟ୍ରକ୍ଟର୍‌ରେ ବାଲି ଚୋରା ଚାଲାଣ କରୁଥିଲେ।

ମୃତ ପୁଲିସ ସବ୍‌-ଇନ୍‌ସ୍‌ପେକ୍ଟର୍‌ ହେ‌ଉଛନ୍ତି ୨୮ ବର୍ଷିୟ ପ୍ରଭାତରଞ୍ଜନ। ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେ ମୃତ ବୋଲି ଡାକ୍ତରମାନେ ଘୋଷଣା କରିଥିଲେ। ସେହିପରି, ରାଜେଶ କୁମାର ସାଓ ନାମରେ ଜଣେ ହୋମ୍‌ଗାର୍ଡ ଯବାନ ମଧ୍ୟ ଉକ୍ତ ଟ୍ରାକ୍ଟର୍‌ ଧକ୍କାରେ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି।

Image Courtesy of India Today

ବୈଶାଳୀ ଜିଲ୍ଲାବାସୀ ରଞ୍ଜନ ଥିଲେ ୨୦୧୮ ବ୍ୟାଚ୍‌ର ଏସ୍‌. ଆଇ.। ଜାମୁଇ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଶୌର୍ଯ୍ୟ ସୁମନ କହିଛନ୍ତି, ରଞ୍ଜନ ସହକାରୀ ‘ଏସ୍‌ଏଚ୍ଓ’ ଭାବେ କାର୍ଯ୍ୟ କରୁଥିବା ଗଢ଼ି ଥାନାଠାରୁ ପ୍ରାୟ ୫ କିଲୋମିଟର୍‌ ଦୂର ଚନ୍ଦନୱାରା ଅଞ୍ଚଳରେ ବେଆଇନ ବାଲୁକା ଖନନ ହେଉଥିବା ବିଷୟରେ ପୁଲିସ ଗୁପ୍ତ ସୂଚନା ପାଇଥିଲା। ସେଠାକୁ ଯାଇ ଯାନବାହନ ଯାଞ୍ଚ କରିବା ବେଳେ ରଞ୍ଜନ ଓ ସାଓ ଉକ୍ତ ବାଲି ଟ୍ରାକ୍ଟରକୁ ଦେଖିଥିଲେ।

ସେମାନେ ଉକ୍ତ ଟ୍ରାକ୍ଟର୍‌କୁ ଅଟକାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ, ଟ୍ରାକ୍ଟର୍‌ ଚାଳକ କୃଷ୍ଣ ରବିଦାସ ସେମାନଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇ ଘଟଣାସ୍ଥଳରୁ ଖସି ପଳାଇଥିଲେ। ଦୁର୍ଘଟଣା ଘଟାଇଥିବା ଟ୍ରକ୍ଟର୍‌କୁ ଜବତ କରାଯାଇଛି। ଟ୍ରାକ୍ଟର୍‌ ଚାଳକଙ୍କ ସହିତ ଥିବା ଜଣେ ବ୍ୟକ୍ତିଙ୍କୁ ବି ଗିରଫ କରାଯାଇଛି ବୋଲି ଏସ୍‌. ପି. କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ସବ୍‌-ଇନ୍‌ସ୍‌ପେକ୍ଟର୍‌ ଓ ହୋମ୍‌ଗାର୍ଡ ଜବାନ୍‌ଙ୍କୁ ଜାମୁଇ ସଦର ହସ୍ପିଟାଲ୍‌କୁ ନିଆଯାଇଥିଲା। ସବ୍‌-ଇନ୍‌ସ୍‌ପେକ୍ଟର୍‌ ମୃତ ବୋଲି ଡାକ୍ତରମାନେ କହିଛନ୍ତି। ଉନ୍ନତ ଚିକିତ୍ସା ନିମନ୍ତେ ସାଓଙ୍କୁ ଏକ ଘରୋଇ ହସ୍ପିଟାଲ୍‌କୁ ରେଫର୍‌ କରାଯାଇଛି। ଡ୍ରାକ୍ଟର୍‌ର ଚାଳକ ଓ ମାଲିକ ଫେରାର ହୋଇଯାଇଛନ୍ତି।

ସମ୍ବନ୍ଧିତ ଖବର