ପାଞ୍ଚବର୍ଷ ପରେ ବି ନ୍ୟାୟ ପାଇଲାନି ଓଡ଼ିଶା

ପୁଣି ବଢ଼ିପାରେ ମହାନଦୀ ଟ୍ରିବ୍ୟୁନାଲ କାର୍ଯ୍ୟକାଳ

ନୂଆଦିଲ୍ଲୀ : ମହାନଦୀ ଟ୍ରିବ୍ୟୁନାଲର ସମାଧାନର ବାଟ ବର୍ତ୍ତମାନ ସୁଦ୍ଧା ଫିଟିନାହିଁ। ବର୍ତ୍ତମାନ ସୁଦ୍ଧା ଟ୍ରିବ୍ୟୁନାଲ ୩୫ ଟି ଶୁଣାଣି କରିସାରିଥିଲେ ହେଁ ଏଯାଏ ନା ଅନ୍ତରୀଣ ଆଦେଶ ଆସିଛି ନା ଚୂଡ଼ାନ୍ତ। ଓଡ଼ିଶାର କୌଣସି ଦାବିକୁ ଏଯାଏ ନ୍ୟାୟ ମିଳିପାରିଲା ନାହିଁ। ଅନ୍ୟପଟରେ ଆସନ୍ତା ମାସ ୧୧ରେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲର ୫ ବର୍ଷର ଅବଧି ପୂରିବ। ଫଳରେ ମହାନଦୀ ମହାବିବାଦର ଭାଗ୍ୟ କଣ ହେବ, ସେ ନେଇ ବିଭିନ୍ନ ମହଲରେ ସଂଶୟ ପ୍ରକାଇଲାଣି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ର ସରକାର ୨୦୧୮ ମାର୍ଚ୍ଚ ୧୨ ତାରିଖରେମହାନଦୀ ଟ୍ରିବ୍ୟୁନାଲ ଗଠନ କରିଥିଲେ। ଏହାର ଅବଧି ୩ ବର୍ଷ ରଖାଯାଇଥିଲା। ୨୦୨୧ ମାର୍ଚ୍ଚ ୧୧ ପୁର୍ବରୁ ଟ୍ରିବ୍ୟୁନାଲଙ୍କୁ ତାଙ୍କର ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବାର ଥିଲା। ହେଲେ ଟ୍ରିବ୍ୟୁନାଲ କୌଣସି ନିର୍ଣ୍ଣୟରେ ପହଞ୍ଚିପାରିଲେ ନାହିଁ ଏବଂ ରିପୋର୍ଟ ଦାଖଲ କରିବାରେ ବିଫଳ ହୋଇଥିଲେ। ପରେ କେନ୍ଦ୍ର ସରକାର ମହାନଦୀ ଟ୍ରିବ୍ୟୁନାଲର କାର୍ଯ୍ୟକାଳକୁ ଆଉ ଦୁଇ ବର୍ଷ ବୃଦ୍ଧି କରିଥିଲେ। ୨୦୨୩ ମାର୍ଚ୍ଚ ୧୧ ଯାଏ ଟ୍ରିବ୍ୟୁନାଲର କାର୍ଯ୍ୟକାଳ ରହିଥିଲା।

୩୫ ଶୁଣାଣି ସରିଲାଣି, ଏଯାଏ ସାକ୍ଷ୍ୟ ଗ୍ରହଣ ବି ହୋଇନି
ମାର୍ଚ୍ଚ ୧୩ ତାରିଖରେ ଟ୍ରିବ୍ୟୁନାଲ କାର୍ଯ୍ୟକାଳ ସରୁଛି

ଏହାକୁ ଦୃଷ୍ଟିରେ ରଖି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଚଳିତମାସ ୧୩ ତାରିଖର ଶୁଣାଣି ସମୟରେ ଏହାର କାର୍ଯ୍ୟକାଳ ବୃଦ୍ଧି ସକାଶେ ସଂପୂକ୍ତ ରାଜ୍ୟମାନଙ୍କୁ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପାଇଁ ନି‌ର୍ଦ୍ଦେଶ ଦେଇଥିଲେ। ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ ମୁ୍ତାବିକ ରାଜ୍ୟମାନଙ୍କ ପକ୍ଷରୁ ଏ ନେଇ କେନ୍ଦ୍ର ସରକାରଙ୍କୁ ଅବଧି ବୃଦ୍ଧି ପାଇଁ ପତ୍ର ଲେଖାଯିବ ବୋଲି ଜଣାପଡ଼ିଛି। ଅନୁରୂପ ଭାବେ ଟ୍ରିବ୍ୟୁନାଲଙ୍କ ପକ୍ଷରୁ ମଧ୍ୟ କେନ୍ଦ୍ର ସରକାରଙ୍କୁ କାର୍ଯ୍ୟକାଳ ବୁଦ୍ଧି କରିବା ସଂପର୍କରେ ଜଣାଇ ଦିଆଯିବା ସହିତ ଏକ ଷ୍ଟାଟସ ରିପୋର୍ଟ ପ୍ରଦାନ କରାଯିବ।

ମିଳୁଥିବା ସୂଚନା ଅନୁସାରେ, କେନ୍ଦ୍ର ସରକାର ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲର ଅବଧି ଆଉ ଗୋଟିଏ ବର୍ଷ ବୁଦ୍ଧି କରିପାରନ୍ତି। ଜଳ ବିବାଦ ମାମଲା ପରିଚାଳନା କରୁଥିବା ଆଇନଜୀବୀମାନଙ୍କ କହିବା ଅନୁସାରେ ଅନ୍ୟସବୁ ଜଳବିବାଦ ଟ୍ରିବ୍ୟୁନାଲ ଗୁଡିକର ପୂର୍ବରୁ କେନ୍ଦ୍ର ସରକାର ଅବଧିକୁ ନିୟମିତ ବ୍ୟବଧାନରେ ବୃଦ୍ଧି କରିଥିବାର ଦୃଷ୍ଟାନ୍ତ ରହିଛି। ଅତଏବ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲର ଅବଧି ବୃଦ୍ଧି ପାଇଁ କୌଣସି ସମସ୍ୟା ହେବନାହଁ। ଆଇନଜୀବୀମାନଙ୍କ କହିବା ହେଉଛି ଏବେବି ମାମଲାର ବିଚାରପ୍ରକ୍ରିୟା ,ସାକ୍ଷ୍ୟଗ୍ରହଣ ଭଳି କାର୍ଯ୍ୟ ଆରମ୍ଭ ହୋଇନାହିଁ। ଏମିତିରେ ବି ଗତ ଦୁଇ ବର୍ଷ କରୋନା ମହାମାରୀ କାରଣରୁ ଟ୍ରିବ୍ୟୁନାଲର କାମ ବାଧାପ୍ରାପ୍ତ ହୋଇଥିଲା। ଯଦିବା ଅନ୍‌ଲାଇନ ପ୍ରକ୍ରିୟାରେ ଶୁଣାଣି ଜାରି ରହିଥିଲା ଓ ଏଥିପାଇଁ ହି ମାମଲାରେ ବିଶେଷ ଅଗ୍ରଗତି ଘଟିନଥିଲା। ଏହାକୁ ମଧ୍ୟ କେନ୍ଦ୍ର ବିଚାରକୁ ନେଇପାରେ।

ଉଲ୍ଲେଖଥାଉକି, ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଆସନ୍ତାମାସରେ ମହାନଦୀ ଅବବାହିକା ଅଞ୍ଚଳର ଅନୁଧ୍ୟାନ କରିବା ପାଇଁ ଗସ୍ତ କରିବେ। ଅବବାହିକା ଗସ୍ତର କାର୍ଯ୍ୟସୁଚୀ ଆସନ୍ତାମାସ ପ୍ରଥମ ସପ୍ତାହରେ ଚୂଡ଼ାନ୍ତ ହେବ ବୋଲି ଜଣାପଡିଛି। ଅବବାହିକା ପରିଦର୍ଶନ ପରେ ଟ୍ରିବ୍ୟୁନାଲ ବିଚାର ପ୍ରକ୍ରିୟା ଆରମ୍ଭ କରିବେ। ପୂର୍ବରୁ ଟ୍ରିବ୍ୟୁନାଲ ବିଚାର ପାଇଁ ପ୍ରସଙ୍ଗଗୁଡିକର ନିର୍ଦ୍ଧାରଣ କରି ସାରିଛନ୍ତି। ହେଲେ ଓଡିଶା ଦ୍ବାରା ଦାଖଲ କରାଯାଇଥିବା ମଧ୍ୟବର୍ତ୍ତୀକାଳୀନ ଆବେଦନର ଶୁଣାଣି ଶେ‌ଷ ହୋଇଥିବାବେଳେ ରାୟ ଏବେବି ପ୍ରକାଶ ପାଇ ନାହିଁ।

ସମ୍ବନ୍ଧିତ ଖବର