ଅରୁଣାଚଳ ପ୍ରଦେଶର ସ୍ଥାନଗୁଡିକର ନାମ ବଦଳାଇବା ପାଇଁ ଚୀନ୍‌ର ଉଦ୍ୟମକୁ ନିନ୍ଦା କଲା ଭାରତ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଅରୁଣାଚଳ ପ୍ରଦେଶରେ ଥିବା ସ୍ଥାନଗୁଡିକର ନାମ ବଦଳାଇବା ପାଇଁ ଚୀନ୍‌ର ଉଦ୍ୟମକୁ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଦୃଢ଼ ଭାବେ ନିନ୍ଦା କରିଛି। ମନଇଚ୍ଛା ନାମ ଦେବା ଦ୍ବାରା ଏହି ସତ୍ୟତା ବଦଳିବ ନାହିଁ ଯେ,  ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଅରୁଣାଚଳ ପ୍ରଦେଶ ଉପରେ ନିଜର ହକ୍ ଜାହିର୍ କରିବାକୁ ଚେଷ୍ଟା କରୁଥିବା ଚୀନ୍ ରାଜ୍ୟର ବିଭିନ୍ନ ସ୍ଥାନର ୩୦ଟି ନୂତନ ନାମର ଚତୁର୍ଥ ତାଲିକା ପ୍ରକାଶ କରିଛି।

ଏହି ପ୍ରସଙ୍ଗକୁ ନେଇ ଗଣମାଧ୍ୟମ ପ୍ରଶ୍ନ କରିବାରୁ ଉତ୍ତରରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୈସୱାଲ କହିଛନ୍ତି ଯେ, ଚୀନ୍ ଅରୁଣାଚଳ ପ୍ରଦେଶରେ ଥିବା ବିଭିନ୍ନ ସ୍ଥାନର ନାମ ବଦଳାଇବା ପାଇଁ ମୂର୍ଖତାପୂର୍ଣ୍ଣ ଉଦ୍ୟମ ଜାରି ରଖିଛି। ଏହିପରି ପ୍ରୟାସକୁ ଆମେ ଦୃଢ଼ ଭାବରେ ନିନ୍ଦା କରୁଛୁ ଏବଂ ଖାରଜ କରୁଛୁ। ମନଇଚ୍ଛା ନାମ ରଖିଦେଲେ ପ୍ରକୃତ ସତ ଟା ବଦଳିଯିବନି। ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଥିଲା, ଅଛି ଏବଂ ରହିବ।

ଗତ ମାସରେ ଚୀନ୍ ବ‌ୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଲିନ ଜିଆନ ଦାବି କରିଥିଲେ ଯେ, ୧୯୮୭ ମସିହାରେ ବେଆଇନ ଭାବେ ଦଖଲ କରିଥିବା ଅଞ୍ଚଳରେ ଭାରତ ‘ତଥାକଥିତ ଅରୁଣାଚଳ ପ୍ରଦେଶ’ ପ୍ରତିଷ୍ଠା କରିଛି।

ତେବେ ବାରମ୍ବାର ଭାରତ ଏଭଳି ଦାବିକୁ ଖାରଜ କରୁଥିଲେ ବି ଚୀନ୍ ମନଇଚ୍ଛା ଅରୁଣାଚଳ ପ୍ରଦେଶରେ ଥିବା ବିଭିନ୍ନ ସ୍ଥାନର ନାମକରଣ କରିବାରେ ଲାଗିଛି।

ସମ୍ବନ୍ଧିତ ଖବର