ଜର୍ମାନୀର ମନ୍ତବ୍ୟରେ ଭାରତ କ୍ଷୁବ୍ଧ: ବରି‌ଷ୍ଠ କୂଟନୀତିଜ୍ଞଙ୍କୁ ସମନ

ନ୍ୟାୟିକ ପ୍ରକ୍ରିୟାରେ ହସ୍ତକ୍ଷେପ କରନି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ଜର୍ମାନୀର ମନ୍ତବ୍ୟ ବିରୋଧରେ ଜର୍ମାନ ଦୂତାବାସର ଜଣେ ବରିଷ୍ଠ କୂଟନୀତିଜ୍ଞଙ୍କୁ ଶନିବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସମନ କରି ପ୍ରତିବାଦ ଜଣାଇଛି। ଜର୍ମାନୀର ବୈଦେଶିକ ବ୍ୟାପାର ମୁଖପାତ୍ର ଏକ ବିବୃତିରେ କହିଥିଲେ ଯେ, କେଜ୍ରିୱାଲଙ୍କ କ୍ଷେତ୍ରରେ ନ୍ୟାୟପାଳିକାର ସ୍ୱାଧୀନତା ଏବଂ ମୌଳିକ ଗଣତାନ୍ତ୍ରିକ ନୀତି ସମ୍ବନ୍ଧୀୟ ମାନଦଣ୍ଡ ଲାଗୁ ହେବ ବୋଲି ସେ ଆଶା କରନ୍ତି। ‘ଅଭିଯୋଗର ସମ୍ମୁଖୀନ ହେଉଥିବା ଯେ କୌଣସି ବ୍ୟକ୍ତିଙ୍କ ପରି କେଜ୍ରିଵାଲ ସ୍ବଚ୍ଛ ଓ ନିରପେକ୍ଷ ବିଚାରର ଅଧିକାର ରଖିଛନ୍ତି। ଏଥିରେ ସେ ବିନା କଟକଣାରେ ଉପଲବ୍ଧ ସମସ୍ତ ଆଇନଗତ ଉପାୟର ଉପଯୋଗ କରିପାରିବେ’ ବୋଲି ଜର୍ମାନୀର ମୁଖପାତ୍ର କହିଥିଲେ।

ଜର୍ମାନୀ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ରଙ୍କ ବିବାଦୀୟ ଏବଂ ଅବାଞ୍ଛିତ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଭାରତ ଜର୍ମାନ ଦୂତାବାସର ଡେପୁଟି ହେଡ୍‌ ଅଫ୍ ମିସନ ଜର୍ଜ ଏଞ୍ଜୱେଲରଙ୍କୁ ଡକାଇ ଏହା ଭାରତର ନ୍ୟାୟିକ ପ୍ରକ୍ରିୟାରେ ହସ୍ତକ୍ଷେପ ବୋଲି କହି ତୀବ୍ର ପ୍ରତିବାଦ ଜଣାଇଛି। ‘ଆମେ ଏଭଳି ମନ୍ତବ୍ୟକୁ ଆମର ନ୍ୟାୟିକ ପ୍ରକ୍ରିୟାରେ ହସ୍ତକ୍ଷେପ ଏବଂ ଆମ ନ୍ୟାୟପାଳିକାର ସ୍ୱାଧୀନତାକୁ କ୍ଷୁଣ୍ଣ କରିବା ଭାବରେ ଦେଖୁଛୁ। ଭାରତ ହେଉଛି ଆଇନର ଶାସନ ଥିବା ଏକ ଜୀବନ୍ତ ଓ ସୁଦୃଢ଼ ଗଣତନ୍ତ୍ର। ଜର୍ମାନୀ ଦ୍ବାରା କରାଯାଇଥିବା ପକ୍ଷପାତ ଆଶଙ୍କା ଭିତ୍ତିହୀନ’ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି।

ସମ୍ବନ୍ଧିତ ଖବର