ରୁଷକୁ ଆହୁରି ଅଧିକ ଡ୍ରୋନ ଓ କ୍ଷେପଣାସ୍ତ୍ର ଯୋଗାଇବ ଇରାନ

ତେହେରାନ : ୟୁକ୍ରେନ ବିରୋଧୀ ଯୁଦ୍ଧରେ ବ୍ୟବହାର ପାଇଁ ରୁଷକୁ ଆଉ କେତେକ ଡ୍ରୋନ ଓ କ୍ଷେପଣାସ୍ତ୍ର ପ୍ରଦାନ ପାଇଁ ଇରାନ ରାଜି ହୋଇଛି । ଇରାନର ଏହି ନିଷ୍ପତ୍ତି ଆମେରିକା ଓ ଅନ୍ୟ ପାଶ୍ଚାତ୍ୟ ଦେଶମାନଙ୍କୁ ଆହୁରି ଅସନ୍ତୁଷ୍ଟ କରିବାର ସମ୍ଭାବନା ରହିଛି ।

ଏସବୁ ଅସ୍ତ୍ରଶସ୍ତ୍ର ପ୍ରଦାନ ସମ୍ପର୍କରେ ଗତ ୬ ତାରିଖରେ ଇରାନର ଉପରାଷ୍ଟ୍ରପତି ମହମ୍ମଦ ମୁଖବୀରଙ୍କ ମସ୍କୋ ଗସ୍ତ କାଳରେ ନିଷ୍ପତ୍ତି ନିଆଯାଇଥିଲା । ଉପରାଷ୍ଟ୍ରପତିଙ୍କ ସହ ଇରାନର ରିଭୋଲ୍ୟୁସନାରୀ ଗାର୍ଡସର ଦୁଇ ଜଣ ବରିଷ୍ଠ ଅଧିକାରୀ ଓ ଇରାନର ଜାତୀୟ ସୁରକ୍ଷା ପରିଷଦର ଜଣେ ଅଧିକାରୀ ମସ୍କୋ ଗସ୍ତ କରିଥିଲେ ।

ଗଣମାଧ୍ୟମକୁ ଜଣେ ଇରାନୀୟ ଅଧିକାରୀ କହିଛନ୍ତି ଯେ ରୁଷ ପକ୍ଷରୁ ଇରାନକୁ ଆହୁରି ଅଧିକ ଜୋଲଫାଗାର ଓ ଫତେହ କ୍ଷେପଣାସ୍ତ୍ର ପ୍ରଦାନ ପାଇଁ ଅନୁରୋଧ କରାଯାଇଥିଲା । ଏ ନେଇ ଇରାନ ସହମତ ହେବାପରେ ଦୁଇ ଦେଶ ମଧ୍ୟରେ ଏକ ବୁଝମଣାପତ୍ର ସ୍ବାକ୍ଷରିତ ହୋଇଥିଲା ।

ତେବେ ରୁଷକୁ ଅସ୍ତ୍ରଶସ୍ତ୍ର ବିକ୍ରି ଜାତିସଂଘ ଆଇନର ଉଲ୍ଲଙ୍ଘନ କରୁନାହିଁ ବୋଲି ଇରାନ କହିଛି । କାରଣ ଏହି ଯୁଦ୍ଧରେ ଇରାନ ନିରପେକ୍ଷ ରହିଛି । ତୁରନ୍ତ ଯୁଦ୍ଧ ସମାପ୍ତ ହେଉ ଓ କୂଟନୈତିକ ଉପାୟରେ ଉଭୟ ଦେଶ ବିବାଦର ସମାଧାନ କରନ୍ତୁ ବୋଲି ଇରାନ ଚାହେଁ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଏହା ପୂର୍ବରୁ ଇରାନ ପକ୍ଷରୁ ରୁଷକୁ ସାହେଦ୍ ୧୩୬ ଡ୍ରୋନ ବିକ୍ରି କରାଯାଇଥିଲା । ଏଗୁଡ଼ିକୁ ରୁଷ ୟୁକ୍ରେନ ବିରୋଧରେ ବ୍ୟବହାର କରୁଛି ।

ସମ୍ବନ୍ଧିତ ଖବର