ନ୍ୟାୟପାଳିକା ପ୍ରଯୁକ୍ତିର ସଦୁପଯୋଗ କରିବା ଉଚିତ: ସିଜେଆଇ

ନୂଆଦିଲ୍ଲୀ : ନାଗରିକଙ୍କ ନିକଟତର ହେବା ଓ ସେମାନଙ୍କୁ ଉପଯୁକ୍ତ ସେବା ପ୍ରଦାନ କରିବା ପାଇଁ ନ୍ୟାୟପାଳିକା ପ୍ରଯୁକ୍ତିର ଉପଯୋଗ କରିବା ଆବଶ୍ୟକ ବୋଲି ପ୍ରଧାନବିଚାରପତି (ସିଜେଆଇ) ଡିୱାଇ ଚନ୍ଦ୍ରଚୂଡ଼ ‌ଶନିବାର କହିଛନ୍ତି।

ପ୍ରଧାନବିଚାରପତିଗଣ ଓ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ)ର ଅଷ୍ଟାଦଶ ବୈଠକରେ ‘ସ୍ମାର୍ଟ କୋର୍ଟ ଓ ନ୍ୟାୟପାଳିକାର ଭବିଷ୍ୟତ’ ଉପରେ ଉଦ୍‌ବୋଧନ ଦେଇ ସିଜେଆଇ କହିଲେ ଯେ, ଭାରତ ସରକାର ନିକଟରେ ଇ-କୋର୍ଟ ପ୍ରକଳ୍ପ ପାଇଁ ତୃତୀୟ ପର୍ଯ୍ୟାୟରେ ପାଣ୍ଠି ମଞ୍ଜୁର କରିଛନ୍ତି। ଭବିଷ୍ୟତର ନ୍ୟାୟପାଳିକା ପାଇଁ ଇ-କୋର୍ଟ ହେଉଛି ଏକ ଉତ୍ସର୍ଗୀକୃତ ପ୍ରଚେଷ୍ଟା। ନ୍ୟାୟପାଳିକା ବ୍ୟବସ୍ଥାକୁ ଅଧିକ ସ୍ବଚ୍ଛ ଓ ଦକ୍ଷ କରିବା ଏବଂ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଏହାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସିଜେଆଇ କହିଲେ ଯେ, ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ସ୍ଥାନୀୟ ସ୍ତରରେ ଡିଜିଟାଲ ଭିତ୍ତିଭୂମି ପ୍ରତିଷ୍ଠା କରାଯାଇଛି। ତୃତୀୟ ପର୍ଯ୍ୟାୟରେ ଲୋକଙ୍କ ପାଖରେ ନ୍ୟାୟ ପହଞ୍ଚାଇବା ବ୍ୟବସ୍ଥାକୁ ସୁଗମ କରାଯିବ। ଇ-ପଦକ୍ଷେପରେ ତଥ୍ୟ ସୁରକ୍ଷା ଉପରେ ଗୁରୁତ୍ବ ଦିଆଯିବ।

ସମ୍ବନ୍ଧିତ ଖବର