‘ବିଜେପି’ ଭାରତୀୟ କ୍ରିକେଟ୍‌କୁ ଗୈରିକ ରଙ୍ଗ କରିଛି: ମମତା ବାନାର୍ଜୀ

କୋଲ୍‌କାତା: ‘ବିଜେପି’ ସବୁ କିଛି ଗୈରିକ ରଙ୍ଗ କରି ପକାଉଛି ବୋଲି ଶୁକ୍ରବାର ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାରତୀୟ କ୍ରିକେଟ୍‌ ଟିମ୍‌ର ‘ପ୍ରାକ୍ଟିସ୍‌’ ଜର୍ସି ପ୍ରସଙ୍ଗ ଉଠାଇ କହିଛନ୍ତି।

କେନ୍ଦ୍ରୀୟ କୋଲ୍‌କାତା ଅଞ୍ଚଳ ଅନ୍ତର୍ଗତ ପୋସ୍ତା ବଜାରରେ ଜଗଧାତ୍ରୀ ପୂଜା କାର୍ଯ୍ୟକ୍ରମ ଉଦ୍‌ଘାଟନ କରି ‘ତୃଣମୂଳ କଂଗ୍ରେସ’ର ମୁଖ୍ୟ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଲେ, ଏବେ ସବୁ କିଛି ଗୈରିକ ବର୍ଣ୍ଣ ଧାରଣ କରୁଛି। ସେମାନେ ସମଗ୍ର ଦେଶକୁ ଗୈରିକ ବର୍ଣ୍ଣ କରି ପକାଇବାକୁ ପ୍ରୟାସ କରୁଛନ୍ତି। ଆମେ ଆମ ଭାରତୀୟ ଖେଳାଳିଙ୍କୁ ନେଇ ଗୌରବାନ୍ବିତ ଓ ମୋର ବିଶ୍ବାସ ସେମାନେ ବିଶ୍ବ ଚାମ୍ପିୟନ୍‌ ହେବେ।

Image Courtesy of English Jagaran

କିନ୍ତୁ, ସେମାନଙ୍କୁ ବି ଗୈରିକ ବସ୍ତ୍ର ପିନ୍ଧାଇ ଦିଆଯାଇଛି। ଏବେ ସେମାନେ ଗୈରିକ ରଙ୍ଗର ଜର୍ସି ପିନ୍ଧି ଅଭ୍ୟାସ ମ୍ୟାଚ୍‌ ଖେଳୁଛନ୍ତି। ପୂର୍ବରୁ ଅଭ୍ୟାସ ମ୍ୟାଚ୍‌ ହେଉ କି, ପ୍ରକୃତ ମ୍ୟାଚ୍‌ ହେଉ ସବୁବେଳେ ସେମାନେ ନୀଳ ରଙ୍ଗର ପୋଷାକ ପିନ୍ଧୁଥିଲେ। ମେଟ୍ରୋ ଷ୍ଟେସନ୍‌ଗୁଡ଼ିକରେ ବି ଗୈରିକ ବର୍ଣ୍ଣ ଦିଆଯାଉଛି। ଏହା ଅସହ୍ୟ ବୋଲି ମୁଖ୍ୟମନ୍ତ୍ରୀ ବାନାର୍ଜୀ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ସେମାନେ ପ୍ରତିମୂର୍ତ୍ତି ସ୍ଥାପନ କଲେ ମୋର କିଛି ଯାଏଆସେ ନାହିଁ। କିନ୍ତୁ, ସେମାନେ ସବୁକିଛି ଗ‌ୈରିକ ରଙ୍ଗ କରିବାକୁ ଲାଗିପଡ଼ିଛନ୍ତି। ମାୟାବତୀ ନିଜର ଗୋଟାଏ ପ୍ରତିମୂର୍ତ୍ତି କରିଥିବାର ଥରେ ମୁଁ ଦେଖିଥିଲି। କିନ୍ତୁ, ତା’ପରେ ମୁଁ ଆଉ ସେଭଳି କିଛି ଶୁଣି ନ ଥିଲି। ଏଭଳି ଆବେଗ ପ୍ରବଣତା ସବୁବେଳେ ଉପକାର କରେ ନାହିଁ। କ୍ଷମତା ଆସେ ଓ ଯାଏ।

‘ବିଜେପି’କୁ ବିଦ୍ରୂପ କରି ସ‌େ କହିଛନ୍ତି, ଏ ଦେଶ, ଦେଶର ଜନସାଧାଣଙ୍କର, ଗୋଟାଏ ଦଳର ଜନତାଙ୍କର ନୁହେଁ। କେନ୍ଦ୍ର ସରକାର ସମ୍ବାଦପତ୍ରର ପ୍ରଥମ ପୃଷ୍ଠାରେ ବିଜ୍ଞାପନ ବାବଦକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, କିନ୍ତୁ ରାଜ୍ୟର ବାକି ପଡ଼ିଥିବା ପ୍ରାପ୍ୟ ଦେଉ ନାହାନ୍ତି।

ସମ୍ବନ୍ଧିତ ଖବର