ଇନ୍ଦିରା ଗାନ୍ଧୀ ଚନ୍ଦ୍ରକୁ ଯାଇଥିଲେ, ମମତାଙ୍କ ଚନ୍ଦ୍ରଜ୍ଞାନକୁ ନେଇ ଜୋରଦାର ଚର୍ଚ୍ଚା

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମହାକାଶ ଜ୍ଞାନକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି | ବାସ୍ତବରେ ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ (ଏଆଇଟିସି) ର ଛାତ୍ର ସଂଗଠନ ତୃଣମୂଳ ଛାତ୍ର ପରିଷଦ (ଟିଏମସିପି) ର ପ୍ରତିଷ୍ଠା ଦିବସ ଅବସରରେ ମମତା ବାନାର୍ଜୀ ଏକ ରାଲିରେ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ କହିଥିଲେ, ‘ଯେତେବେଳେ ଇନ୍ଦିରା ଗାନ୍ଧୀ ଚନ୍ଦ୍ରରେ ପହଞ୍ଚିଲେ ସେତେବେଳେ ସେ ରାକେଶ (ଶର୍ମା)ଙ୍କୁ ପଚାରିଥିଲେ ଯେ ଭାରତ ସେଠାରୁ କିପରି ଦେଖାଯାଉଛି। ସେ ଉତ୍ତର ଦେଲେ ‘ସାରେ ଜାହାଁ ସେ ଆଛା’ | ତେବେ ଏହା ପ୍ରଥମ ଥର ନୁହେଁ | ଗତ ସପ୍ତାହରେ, ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) କୁ ଚନ୍ଦ୍ରାୟନ -୩ ମିଶନର ସଫଳତା ପାଇଁ ଅଭିନନ୍ଦନ ଜଣାଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ଯେ ଇନ୍ଦିରା ଗାନ୍ଧୀ ‘ରାକେଶ ରୋଶନ’ କୁ ପଚାରିଥିଲେ ଯେ ଚନ୍ଦ୍ରରୁ ପୃଥିବୀ କିଭଳି ଦେଖାଯାଉଛି? । ଏହାପୂର୍ବରୁ ମଧ୍ୟ ନେତାମାନେ ଚନ୍ଦ୍ରାୟନକୁ ନେଇ ଭୁଲଭାଲ କଥା କହିଥିଲେ |


ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଯେତେବେଳେ ଚନ୍ଦ୍ରାୟନ ୩ ବିଷୟରେ ପଚରାଯାଇଥିଲା ସେ କିଛି ଜାଣିନଥିବା କହିଥିଲେ | ସେହିପରି ଓମପ୍ରକାଶ ରାଜଭର ଓ ରାଜସ୍ଥାନର କ୍ରୀଡ଼ା ମନ୍ତ୍ରୀ ଅଶୋକ ଚାନ୍ଦନା ମଧ୍ୟ ଏପରି ବିବୃତ୍ତି ଦେଇଥିଲେ ଯାହାକି ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର ଖୋରାକ ଯୋଗାଇଥିଲା | ଓମପ୍ରକାଶ ରାଜଭର କହିଥିଲେ, “ଆମେ ଭାରତର ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ଦେଉଛୁ, ଯେଉଁମାନେ ଗବେଷଣା କରି ନୂତନ ଆବିଷ୍କାର କରୁଛନ୍ତି | ଆସନ୍ତାକାଲି ଚନ୍ଦ୍ରାୟନ ପୃଥିବୀରେ ନିରାପଦରେ ପହଞ୍ଚିଲେ ତାହାକୁ ସ୍ୱାଗତ କରିବା ଉଚିତ୍ | ଏଥି ସହ ଅଶୋକ ଚାନ୍ଦନା କହିଥିଲେ ଯେ ଆମେ ସଫଳ ହୋଇଛୁ ଏବଂ ଏକ ସୁରକ୍ଷିତ ଅବତରଣ କରିଛୁ। ଯେଉଁ ଯାତ୍ରୀମାନେ ଯାଇଛନ୍ତି ସେମାନଙ୍କୁ ଅଭିନନ୍ଦନ ଜଣାଉଛି | ଏହି ବିବୃତ୍ତି ପରେ ସୋସିଆଲ ମିଡିଆରେ ଲୋକମାନେ ଅଶୋକ ଚାନ୍ଦନାଙ୍କୁ କଟାକ୍ଷ କରିଥିଲେ |

ସମ୍ବନ୍ଧିତ ଖବର