ଦମ୍ପତିଙ୍କ ଆଖି ସାମ୍ନାରେ ଜଳିଗଲେ ୪ସନ୍ତାନ: ଗୁରୁତର ଅବସ୍ଥାରେ ବାପା ଓ ମା’ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ମେରଠର ମୋଦିପୁରମର ଜନତା କଲୋନୀରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ଭଡା ଘରେ ରହୁଥିବା ଜଣେ ଶ୍ରମିକଙ୍କ ଘରେ ସର୍ଟସର୍କିଟ ହେତୁ ଏକ ମୋବାଇଲ୍ ଫୋନ୍ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ଘରେ ନିଆଁ ଲାଗିଯିବାରୁ ୪ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଦମ୍ପତିଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ଗତଶନିବାର ସନ୍ଧ୍ୟାରେ ଜନି ଓ ବବିତାଙ୍କ ଚାରିଜଣ ପିଲା ଘରେ ଖେଳୁଥିଲେ। ଏହି ସମୟ‌ରେ ଘରେ କିଛି ତାର ଛନ୍ଦାଛନ୍ଦି ହୋଇ ପଡ଼ିଥିବା ବ‌େଳେ ପିଲାମାନେ ଏକ ଫୋନକୁ  ଚାର୍ଜରେ ବସାଇବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ସର୍ଟ ସର୍କିଟ ହୋଇ ଘରେ ବିସ୍ଫୋରଣ ହୋଇଥିଲା।

ବିସ୍ଫୋରଣ ଏବଂ ପିଲାମାନଙ୍କ କୋଳାହଳ ଶୁଣି ବାପା ଜନି ଏବଂ  ମା’ ବବିତା ରୋଷେଇ ଘରୁ ଦୌଡ଼ି ଆସିଥିଲେ। ପିଲାଙ୍କୁ ନିଆଁରୁ ଉଦ୍ଧାର କରୁଥିବା ବେଳେ ଜନି ଓ ବବିତା ଦୁହେଁ  ଗୁରୁତର ଆହତ ହୋଇଥିଲେ। ଜନିଙ୍କ ଘରୁ ଚିତ୍କାର ଶୁଣି ପଡୋଶୀମାନେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ସମସ୍ତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ‌ରେ ଭର୍ତ୍ତି କରିବା ସହିତ ପୁଲିସକୁ ଏ ଘଟଣା ବିଷୟରେ ସୂଚନା ଦେଇଥିଲେ।

ଜନିଙ୍କ ଚିକିତ୍ସା ଚାଲିଥିବା ବେଳେ ଡାକ୍ତର ୪ଜଣ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଶିଶୁମାନେ ହେଲେ ସାଗରିକା (୧୦), ନିହାରିକା (୮), ଗୋଲୁ (୬) ଏବଂ କାଲୁ (୫)। ମା ବାବିତାଙ୍କ ଅବସ୍ଥା ଶୋଚନୀୟ ହେବାରୁ ତାଙ୍କୁ ଦିଲ୍ଲୀର ଏମ୍ସ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଏସପି ସିଟି ଆୟୁଷ ବିକ୍ରମ ସିଂ ସୂଚନା ଦେଇ କହିଛନ୍ତି।

ସମ୍ବନ୍ଧିତ ଖବର