ଆମ୍ବୁଲାନ୍ସକୁ ବାଟ ଛାଡିବା ପାଇଁ ନିଜ କାରକେଡ଼କୁ ଅଟକାଇଲେ ମୋଦୀ

ବାରଣାସୀ: ସଂପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ବାରଣାସୀ ଗସ୍ତରେ ଅଛନ୍ତି। ତେବେ, ବାରଣାସୀ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦୀ ଆଜି ଏକ ବିରଳ ଘଟଣାକ୍ରମରେ ଏକ ଆମ୍ବୁଲାନ୍ସକୁ ବାଟ ଛାଡ଼ିବା ଉଦ୍ଦେଶ୍ୟରେ ନିଜ ‘କାରକେଡ୍‌’କୁ ଅଟକାଇ ଦେଇଥିଲେ। ଏହି ଘଟଣା ଏବେ ଚର୍ଚାର ବିଷୟ ପାଲଟିବା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବେଦନଶୀଳତାର ପ୍ରମାଣ ଦେଉଛି। ରିପୋର୍ଟରୁ ପ୍ରକାଶ, ଆଜି ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ବାରଣାସୀର ମିନଟ ହାଉସରୁ ଛୋଟା କଟିଙ୍ଗ ମେମୋରିଆଲକୁ ଯାଉଥିଲେ, ସେ ଏକ ରୋଡ଼ ସୋ କରିଥିଲେ | ମୋଦୀଙ୍କୁ ଦେଖିବାକୁ ବହୁ ସଂଖ୍ୟାରେ ରାସ୍ତାର ଉଭୟପାର୍ଶ୍ୱରେ ଲୋକ ଗହଳି କରିଥିଲେ | ସେହି ସମୟରେ ବାଟରେ ଏକ ଆମ୍ବୁଲାନ୍ସ ଦେଖିଲେ, ଏବଂ ସଙ୍ଗେ ସଙ୍ଗେ ତାଙ୍କ ‘କାରକେଡ୍‌’କୁ ସେହିଠାରେ ଅଟକାଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉଲ୍ଲେଖ ଥାଉ କି ମୋଦୀ ତାଙ୍କର ନିର୍ବାଚନୀ କ୍ଷେତ୍ର ବାରଣାସୀ ଗସ୍ତରେ ଆଜି ଯାଇଥିବାବେଳେ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେବେ | ଆଜି ପ୍ରଧାନମନ୍ତ୍ରୀ ବାରାଣାସୀର କଟିଂ ସ୍ମାରକୀ ବିଦ୍ୟାଳୟଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଅଂଶଗ୍ରହଣ କରିବା ସହ ପ୍ରଧାନମନ୍ତ୍ରୀ ପିଏମ୍ ଆବାସ, ପିଏମ୍ ସ୍ୱନିଧି, ପିଏମ ଉଜ୍ଜ୍ୱଳା ଭଳି କେତେକ ସରକାରୀ ଯୋଜନାର ହିତାଧିକାରୀଙ୍କ ସହ ମତ ବିନିମୟ କରିଛନ୍ତି ।ଡିସେମ୍ବର ୧୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ବାରାଣାସୀର ଉମରାହାଠାରେ ନବନିର୍ମିତ ସ୍ୱରଭେଦ ମହାମନ୍ଦିର ଉଦ୍‌ଘାଟନ କରିବେ ।

ପରେ ପରେ ମୋଦୀ ତାଙ୍କର ନିର୍ବାଚନ ମଣ୍ଡଳୀର ଏକ ଗ୍ରାମୀଣ ଅଞ୍ଚଳ ସେବାପୁରୀଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଅଂଶଗ୍ରହଣ କରିବେ । ପ୍ରଧାନମନ୍ତ୍ରୀ ୧୯,୧୫୦କୋଟି ଟଙ୍କାର କେତେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ । ପ୍ରଧାନମନ୍ତ୍ରୀ ନୂତନ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ନଗର ନ୍ୟୁ ବାହୁପୁର ଉତ୍ସର୍ଗୀକୃତ ମାଲବାହୀ କରିଡର ପ୍ରକଳ୍ପର ଉଦ୍‌ଘାଟନ କରିବେ । ପ୍ରାୟ ୧୦, ୯୦୦ କୋଟି ଟଙ୍କା ବ୍ୟୟରେ ଏହା ନିର୍ମିତ ହୋଇଛି । ଏହାଛଡା ବାଲିଆ-ଗାଜିପୁର ସିଟି ରେଳପଥ ଦୋହରୀକରଣ ପ୍ରକଳ୍ପ, ଇନ୍ଦ୍ର-ଦୋହାରୀଘାଟ ରେଳପଥ ପ୍ରଶସ୍ତିକରଣ ପ୍ରକଳ୍ପ ମଧ୍ୟ ଉଦ୍‌ଘାଟିତ ହେବାର କାର୍ଯ୍ୟକ୍ରମ ରହିଛି ।
ପ୍ରଧାନମନ୍ତ୍ରୀ ମଧ୍ୟ ବାରାଣାସୀ-ନୂଆଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ, ଦୋହରୀଘାଟ-ମାଉ ମେମୁ ଟ୍ରେନ ଓ ଆଉ କେତେକ ମାଲବାହୀ ଟ୍ରେନକୁ ମାଲ ପରିବହନ କରିଡର ଠାରେ ପତାକା ଦେଖାଇ ଚଳାଚଳ ଆରମ୍ଭ କରାଇବେ । ବନାରସ ଲୋକୋମୋଟିଭ ୱାକ୍ସ ଦ୍ୱାରା ନିର୍ମିତ ୧୦ହଜାର ତମ ଲୋକୋମୋଟିଭକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ।

ସମ୍ବନ୍ଧିତ ଖବର