ମୋଦୀଙ୍କର ସବୁଠାରୁ ବଡ଼ ଗ୍ୟାରେଣ୍ଟି କଂଗ୍ରେସ ସରକାରଙ୍କୁ କ୍ଷମତାଚ୍ୟୁତ କରିବା: ଜୟରାମ ରମେଶ

ଶିମଲା: ହିମାଚଳପ୍ରଦେଶରେ କଂଗ୍ରେସରେ ଲାଗି ରହିଥିବା ରାଜନୈତିକ ସଙ୍କଟ ବଢ଼ିବାରେ ଲାଗିଛି। ବୀରଭଦ୍ର ସିଂଙ୍କ ପୁଅ ବିକ୍ରମାଦିତ୍ୟ ସିଂ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ସ୍ପଷ୍ଟ କରିଛନ୍ତି ସେ ଇସ୍ତଫା ଦେଇ ନାହାନ୍ତି ଏବଂ ବିଧାନସଭାର ବଜେଟ ଅଧିବେଶନରେ ନିଜର ସଂଖ୍ୟାଗରିଷ୍ଠତା ସାବ୍ୟସ୍ତ କରିବେ। ଇତିମଧ୍ୟରେ କଂଗ୍ରେସ ହାଇକମାଣ୍ଡଙ୍କ ପକ୍ଷରୁ ୩ ଜଣ ପର୍ଯ୍ୟବେକ୍ଷକଙ୍କୁ ରାଜ୍ୟ ସରକାରଙ୍କ ସୁରକ୍ଷା ପାଇଁ ପଠାଯାଇଛି।

ଏପରିସ୍ଥଳେ କଂଗ୍ରେସ ନେତା ଜୟରାମ ରମେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ସାମ୍ବାଦିକଙ୍କୁ କହିଛନ୍ତି ମୋଦୀଙ୍କର ସବୁଠାରୁ ବଡ଼ ଗ୍ୟାରେଣ୍ଟି ହେଉଛି କଂଗ୍ରେସ ସରକାରଙ୍କୁ କ୍ଷମତାଚ୍ୟୁତ କରିବା।

ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରାଯାଇ ଆମ ସରକାରଙ୍କୁ କ୍ଷମତାଚ୍ୟୁତ କରାଯିବା ପାଇଁ ଷଡ଼ଯନ୍ତ୍ର କରାଯାଇଥିଲା। ଆମର ୩ ବଡ଼ ନେତା ଏବେ ପର୍ଯ୍ୟବେକ୍ଷକ ଭାବେ ହିମାଚଳପ୍ରଦେଶରେ ଅଛନ୍ତି। ସେମାନେ ରାଜ୍ୟର ସମସ୍ତ କଂଗ୍ରେସ ବିଧାୟକଙ୍କ ସହିତ ଆଲୋଚନା କରି‌ ସେମାନଙ୍କର ଅଭିଯୋଗ ଶୁଣି ଏଥିରେ ସୁଧାର ଆଣିବାକୁ ପଦକ୍ଷେପ ଗ୍ରହଣ କରିବେ। ବିଧାୟକଙ୍କ ଅଭିଯୋଗର ରିପୋର୍ଟ ହାଇକମାଣ୍ଡଙ୍କୁ ପ୍ରଦାନ କରାଯିବ। କଂଗ୍ରେସ ଦଳ ଏବଂ ସଂଗଠନ ସର୍ବୋପରି। ଆମର ପ୍ରାଥମିକତା ହେଉଛି ରାଜ୍ୟରେ ସରକାରଙ୍କୁ ସୁରକ୍ଷା ଯୋଗାଇ ଦେବା।

ଆମେ ରାଜ୍ୟସଭା ନିର୍ବାଚନରେ ପରାଜିତ ହୋଇଛୁ। ଏହାକୁ ଆମେ ସ୍ବୀକାର କରୁଛୁ। ଅଭିଷେକ ମନୁ ସିଙ୍ଗଭୀ ପରାସ୍ତ ହୋଇଛନ୍ତି। ଏନେଇ ବିଜେପି ଅଣ-ସାମ୍ବିଧାନିକ ଭବେ ଷଡ଼ଯନ୍ତ୍ର ରଚିଥିଲା।

କଂଗ୍ରେସ ହାଇକମାଣ୍ଡ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡ୍ଡା, ଛତିଶଗଡ଼ର ପୂର୍ବତନ ଭୂପେଶ ବଘେଲ ଏବଂ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ପର୍ଯ୍ୟବେକ୍ଷକ ଭାବେ ରାଜ୍ୟକୁ ପଠାଇଛନ୍ତି। ସେମାନେ ବିଜେପିର ଅପରେସନ ଲୋଟସ ରଣନୀତିକୁ ବିଫଳ କରି ଏହାର ରିପୋର୍ଟ ହାଇକମାଣ୍ଡଙ୍କ ପାଖକୁ ପଠାଇବେ ବୋଲି ଜୟରାମ କହିଛନ୍ତି।

ସମ୍ବନ୍ଧିତ ଖବର