ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀର ଆସିଲା ବ୍ୟବଚ୍ଛେଦ ରିପୋର୍ଟ; ଉ‌ଲ୍ଲେଖ ରହିଛି ଏଭଳି ତଥ୍ୟ  

ନୂଆଦିଲ୍ଲୀ: ଗୁରୁବାର ରାତିରେ ବାନ୍ଦା ଜେଲ୍‌ରେ ହୃଦ୍‌ଘାତରେ ଗ୍ୟାଙ୍ଗଷ୍ଟର-ରାଜନେତା ମୁଖତାର ଅନସାରୀର ମୃତ୍ୟୁ ହୋଇଥିଲା। ଗତ ଶନିବାର ମୁଖତାର ଅନସାରୀର କଡ଼ା ସୁରକ୍ଷା ମଧ୍ୟରେ ଗାଜିପୁରରେ ଅନ୍ତିମ ସଂସ୍କାର ହୋଇଯାଇଛି।

ରବିବ‌ାର ମୁଖତାର ଅନସାରୀର ବ୍ୟବଚ୍ଛେଦ ରିପୋର୍ଟ ଆସି ଯାଇଛି। ଏହି ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଳେଖ ରହିଛି କି, ‘ମୁଖତାର ଅନସାରୀର ମୃତ୍ୟୁ ହୃଦଘାତ ହେତୁ ହୋଇଛି।  ତାଙ୍କ ହୃଦପିଣ୍ଡରେ ରକ୍ତ ଜମାଟ ବାନ୍ଧି ଦେଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଥିବା ବେଳେ ହୃଦପିଣ୍ଡର କିଛି ଅଂଶ ହଳଦିଆ ବି ପଡ଼ି ଯାଇଥିବା ଜଣାପଡ଼ିଛି।

ଜେଲ ଦସ୍ତାବିଜ ଅନୁଯାୟୀ, ମୁଖତାର ଅନସାରୀ ଜେଲରେ ଭର୍ତ୍ତି ହେବା ପୂର୍ବରୁ ହୃଦରୋଗରେ, ଚର୍ମ ସଂକ୍ରମଣ ଓ ମଧୁମେହରେ ପୀଡ଼ିତ ଥିଲେ। ସମୟ ସମୟରେ ତାଙ୍କର ସ୍ବାସ୍ଥ୍ୟ ବି ଖରାପ ହେଉଥିଲା। ଯେଉଁପାଇଁ ସେ ଚିକିତ୍ସା କରାଇ ଔଷଧ ବି ଖାଉଥିଲେ।

ହତ୍ୟା ସମେତ ଅନେକ ଅପରାଧୀ ମାମଲାରେ ଦୋଷୀ ସାବ୍ୟସ୍ତ ହେବ‌ାପରେ ମୁଖତାର ଅନସାରୀକୁ ବାନ୍ଦା ଜେଲରେ ରଖାଯାଇଥିଲା। ଗୁରୁବାର ସକାଳେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଥିବା ସେଲ ଭିତରେ ମୁଖତାର ଅନସାରୀକୁ ଅଚେତ ଅବସ୍ଥାରେ ପଡ଼ିଥିବା ଜେଲ ସୁରକ୍ଷା ଦାୟିତ୍ବରେ ଥିବା କର୍ମଚାରୀମାନେ ଦେଖିବ‌ାକୁ ପାଇଥିଲେ।  ଏହାପରେ ମୁଖତାରଙ୍କୁ ରାଣୀ ଦୁର୍ଗାବତୀ ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଗ୍ୟାଙ୍ଗଷ୍ଟର ମୁଖତାରର ବ୍ୟବଚ୍ଛେଦ ରିପୋର୍ଟକୁ ମିଥ୍ୟା ବୋଲି ଦର୍ଶାଇ ପରିବାରଲୋକ ମୁଖତାରକୁ ବିଷ ଦେଇ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର