ଦେଶରୁ ଉଭେଇ ଯାଉଛି ବସନ୍ତ ଋତୁ; ମାର୍ଚ୍ଚରେ ବଢ଼ିବ ଗରମ, ଗହମ ଉତ୍ପାଦନ କମିବା ଆଶଙ୍କା

ଭୁବନେଶ୍ବର : ଉତ୍ତର ଓ କେନ୍ଦ୍ରୀୟ ଭାରତର ଅଧିକାଂଶ ସ୍ଥାନରେ ପାରଦ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଶୀତ କମିଯାଇଛି ଏବଂ ଫେବୃଆରୀ ମାସରେ ଆମକୁ ମାର୍ଚ୍ଚ/ଏପ୍ରିଲ ଶେଷର ଉଷ୍ଣତାକୁ ଅନୁଭବ କରାଉଛି । ଶୀତ ଓ ଗ୍ରୀଷ୍ମ ମଧ୍ୟରେ ଆସୁଥିବା ବସନ୍ତ ଋତୁ ଧୀରେ ଧୀରେ ଋତୁଚକ୍ରରୁ ଉଭେଇ ଯାଉଛି । ଜଳବାୟୁ ପରିବର୍ତ୍ତନକୁ ଏଥିପାଇଁ ଦାୟୀ କରାଯାଉଥିବା ବେଳେ ଏହାର ପ୍ରଭାବ ଦେଶର ଗହମ ଉତ୍ପାଦନ ଉପରେ ପଡ଼ିବାର ଆଶଙ୍କା ଦେଖାଦେଇଛି ।

ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟର ପୂର୍ବାନୁମାନ ଅନୁସାରେ ଗତ ବର୍ଷ ଏପରି ହୋଇଥିଲା ଓ ଏ ବର୍ଷ ବି ସେୟା ହେଉଛି । ଫେବ୍ରୁଆରିରେ ଉତ୍ତର ଭାରତର ସମତଳ ଅଞ୍ଚଳରେ ଗରମ ବଢିଛି । ମାର୍ଚ୍ଚ ମାସ ସ୍ୱାଭାବିକ ଠାରୁ ଅଧିକ ଗରମ ରହିବ ବୋଲି ଅନୁମାନ କରାଯାଉଛି। କମ୍ ବୃଷ୍ଟିପାତ ଯୋଗୁଁ ମାଟି ଓ ବାୟୁରେ ଆର୍ଦ୍ରତାସ୍ତର ଅଧିକ ହୋଇଛି। ଉତ୍ତାପ କ୍ଷମତା ବୃଦ୍ଧି ଫଳରେ ଦେଶର କେନ୍ଦ୍ରୀୟ, ପୂର୍ବ ଓ ଉତ୍ତର ଭାଗରେ ଅଧିକ ବାର ଓ ଲମ୍ବା ସମୟ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ସୃଷ୍ଟି ହେବାର ସମ୍ଭାବନା ରହିଛି।

ଗହମ ଫସଲ ପାଇଁ ବସନ୍ତ ଋତୁ ବେଶ୍ ଗୁରୁତ୍ବପୂର୍ଣ୍ଣ । ଗହମ ଫଳ ଧରିବା ସମୟରେ ଅଳ୍ପ ଥଣ୍ଡା ଓ ଅଳ୍ପ ଗରମ ଆବଶ୍ୟକ । କିନ୍ତୁ ସେହି ସମୟଟିରେ ଯଦି ଗରମ ହୁଏ ତେବେ ଗହମ ଫଳ ଧରିବା ପ୍ରଭାବିତ ହୋଇଥାଏ । ଏହି କାରଣରୁ ଗତ ବର୍ଷ ଦେଶରେ ଗହମ ଉତ୍ପାଦନ ହ୍ରାସ ପାଇଥିଲା ଓ ସରକାର ଗହମ ରପ୍ତାନି ଉପରେ କଟକଣା ଲଗାଇଥିଲେ ।

ସମ୍ବନ୍ଧିତ ଖବର