ପିତାମାତାଙ୍କ ଚାପ ଛାତ୍ର ଆତ୍ମହତ୍ୟାର କାରଣ: କୋଚିଂ ସେଣ୍ଟର ଉପରେ ନିୟନ୍ତ୍ରଣ ନିର୍ଦ୍ଦେଶ ଦେଇହେବ ନାହିଁ
ନୂଆଦିଲ୍ଲୀ: ଦେଶରେ ବୃଦ୍ଧି ପାଉଥିବା ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ପାଇଁ ସେମାନଙ୍କ ପିତାମାତା ହେଉଛନ୍ତି ଅନ୍ୟତମ କାରଣ। ତୀବ୍ର ପ୍ରତିଯୋଗିତା ଏବଂ ବାପାମାଆଙ୍କ ଚାପ ଯୋଗୁଁ ଛାତ୍ରଛାତ୍ରୀମାନେ ଏଭଳି ଚରମ ପଦକ୍ଷେପ ନେଉଛନ୍ତି। ଆତ୍ମହତ୍ୟା ପାଇଁ ପିଲାମାନଙ୍କ ଅପେକ୍ଷା ଏମାନେ ହିଁ ଅଧିକ ଦାୟୀ।
ପିଲାମାନଙ୍କ ଆତ୍ମହତ୍ୟାକୁ ରୋକିବା ଲାଗି ଦେଶରେ ଇଞ୍ଜିନିୟରିଂ ଓ ମେଡିକାଲ ପ୍ରବେଶିକା ପରୀକ୍ଷା ପାଇଁ ଛତୁ ଫୁଟିବା ଭଳି ଖୋଲିଥିବା କୋଚିଂ ସେଣ୍ଟର ଉପରେ ନିୟନ୍ତ୍ରଣ ଆଣିବା ଲାଗି ହୋଇଥିବା ଆବେଦନ ଉପରେ ଶୁଣାଣି ବେଳେ ସୁପ୍ରିମକୋର୍ଟ ଏଭଳି ଉଦ୍ବେଗ ପ୍ରକାଶ କରିଛନ୍ତି। କୋର୍ଟ କହିଛନ୍ତି ଯେ ବିଭିନ୍ନ ପ୍ରବେଶିକା ପରୀକ୍ଷା ଲାଗି ପ୍ରସ୍ତୁତ ହେଉଥିବା ପିଲାମାନଙ୍କ ଉପରେ ସେମାନଙ୍କର ପିତାମାତା ପ୍ରବଳ ଚାପ ପକାଉଛନ୍ତି। ଯେଉଁଥିପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। ଏହାସହିତ କୋର୍ଟ ସ୍ପଷ୍ଟ କରିଦେଇଛନ୍ତି ଯେ କୋଚିଂ ସେଣ୍ଟରଗୁଡ଼ିକୁ ନିୟନ୍ତ୍ରଣ କରିବା ଲାଗି ନିର୍ଦ୍ଦେଶ ଦେଇହେବ ନାହିଁ। ଆବେଦନକାରୀ ଏଥିପାଇଁ ସରକାରଙ୍କ ନିକଟରେ ଆବେଦନ କରିପାରିବେ।
Sambad is now on WhatsApp
Join and get latest news updates delivered to you via WhatsApp
ମୁମ୍ବାଇର ଜଣେ ଡାକ୍ତର ଅନିରୁଦ୍ଧ ନାରାୟଣ ମାଲପାନିଙ୍କ ଦ୍ବାରା ଏହି ପିଟିସନ ଦାଖଲ କରାଯାଇଛି। ଏଥିରେ କୁହାଯାଇଥିଲା, ଦେଶରେ ଛତୁ ଫୁଟିବା ଭଳି କୋଚିଂ ସେଣ୍ଟର ଗଢ଼ି ଉଠୁଛି। ଏହାକୁ ନିୟନ୍ତ୍ରଣ କରାଯିବାର ଆବଶ୍ୟକତା ରହିଛି। କାରଣ ଏହି କୋଚିଂ ସେଣ୍ଟର ଯୋଗୁଁ ଛାତ୍ର ଆତ୍ମହତ୍ୟା ବୃଦ୍ଧି ପାଉଛି। ବିଚାରପତି ସଞ୍ଜୀବ ଖାନ୍ନା ଏବଂ ବିଚାରପତି ଏସ୍ଭିଏନ୍ ଭଟ୍ଟିଙ୍କୁ ନେଇ ଗଠିତ ବେଞ୍ଚ ଏହା ଉପରେ ଶୁଣାଣି କରି କହିଲେ, ଏହା ସହଜ ବିଷୟ ନୁହେଁ। ଏଭଳି ସ୍ଥିତିରେ କୋର୍ଟ କିଭଳି ନିର୍ଦ୍ଦେଶ ଦେଇପାରିବେ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ। ବିଚାରପତି ଖାନ୍ନା କହିଲେ, ଯଦିଓ ଆମମାନଙ୍କ ମଧ୍ୟରୁ ଅଧିକାଂଶ ଚାହାନ୍ତି ନାହିଁ ଯେ କୋଚିଂ ସେଣ୍ଟର ନ ରହୁ, କିନ୍ତୁ ବିଦ୍ୟାଳୟ ଗୁଡ଼ିକର ଅବସ୍ଥା ଦେଖନ୍ତୁ। ପ୍ରତିଯୋଗିତା ଏତେ ତୀବ୍ର ହେଉଛି ଯେ ଛାତ୍ରଛାତ୍ରୀଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ରହୁନାହିଁ। ସେମାନେ କୋଚିଂ ସେଣ୍ଟର ଯିବାକୁ ବାଧ୍ୟ ହେଉଛନ୍ତି। ଖଣ୍ଡପୀଠ ଏହା ମଧ୍ୟ କହିଥିଲେ ଯେ ପରିସ୍ଥିତି ସେମାନେ ଜାଣିଥିଲେ ବି ଆଦେଶ ଦେଇପାରିବେ ନାହିଁ।
ଆବେଦନକାରୀ ଦର୍ଶାଇଥିଲେ ଯେ ଆଇଆଇଟି-ଜେଇଇ ଏବଂ ନିଟ୍ ପାଇଁ ଦେଶରେ ଥିବା କୋଚିଂ କାରଖାନାଗୁଡ଼ିକ ପିଲାମାନଙ୍କ ଘରଠାରୁ ବହୁ ଦୂରରେ ରହୁଛନ୍ତି। ଏକ ଭଲ ଇଞ୍ଜିନିୟରିଂ ଏବଂ ମେଡିକାଲ କଲେଜରେ ନାମ ଲେଖାଇବା ଆଶାରେ କଠିନ ପ୍ରସ୍ତୁତି ଲାଗି ଏସବୁ ସ୍ଥାନରେ ୧୪ ବର୍ଷ ବୟସର ପିଲାଙ୍କୁ ହଠାତ୍ ଛାଡ଼ି ଦିଆଯାଉଛି। ମାନସିକ ସ୍ତରରେ ପ୍ରସ୍ତୁତ ନଥାଇ ଏକ କଠିନ ପ୍ରତିଯୋଗିତାମୂଳକ ପରିବେଶରେ ଘରଠାରୁ ଦୂରରେ ପିଲା ରହୁଛି। ପିଲାଙ୍କ ସ୍ବାସ୍ଥ୍ୟ ପ୍ରତି ଅର୍ଥ ଲୋଭୀ ପ୍ରତିଷ୍ଠାନଗୁଡ଼ିକ ଧ୍ୟାନ ନଦେଇ କେବଳ ଟଙ୍କା ଛାଣିବା ଚକ୍କରରେ ରହୁଥିବାରୁ ଦେଶର ପିଲାମାନେ ଚାପରେ ଆତ୍ମହତ୍ୟା କରୁଛନ୍ତି। ଏସବୁ କୋଚିଂ କାରଖାନାରେ ପିଲାମାନେ ଖରାପ ଏବଂ ଅସ୍ବାଭାବିକ ସ୍ଥିତରେ ରହୁଛନ୍ତି ଯାହାକି ସେମାନଙ୍କ ମାନସିକ ସ୍ଥିତିକୁ ଗୁରୁତର ଭାବେ ପ୍ରଭାବିତ କରୁଛି ବୋଲି ଆବେଦନକାରୀ ଦର୍ଶାଇଥିଲେ।