ଏତେ ଥର ଗୁଜରାଟ ଆସୁଛ ଯଦି ଏଠାରେ ପିଏମଓର ଏକ ଅସ୍ଥାୟୀ କାର୍ଯ୍ୟାଳୟ ଖୋଲିଦିଅ: ଅଶୋକ ଗେହଲଟ

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟା‌ର୍ଗେଟ କଲେ ବରିଷ୍ଠ କଂଗ୍ରେସ ନେତା ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍। ପ୍ରଧାନମନ୍ତ୍ରୀଙ୍କ ବାରମ୍ବାର ରାଜ୍ୟ ଗସ୍ତକୁ ଦୃଷ୍ଟିରେ ରଖି ରାଜ୍ୟରେ ପିଏମଓ (ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ)ର ଏକ ଅସ୍ଥାୟୀ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯିବା ଉଚିତ ବୋଲି ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ୍ କହିଛନ୍ତି।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହଲଟ୍ ଏଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରଧାନମନ୍ତ୍ରୀଙ୍କ ସହ ଆମ୍ ଆଦମୀ ପାର୍ଟି (ଆପ୍) ନେତା ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ମୋତେ ମୋଦୀଜୀଙ୍କ ଭାଇ ଭଳି ଲାଗନ୍ତି ଏବଂ ସେ ମୋଦୀଜୀଙ୍କ ପରି କଥାବାର୍ତ୍ତା କରନ୍ତି। ତାଙ୍କର ଅଙ୍ଗଭଙ୍ଗୀ ମଧ୍ୟ ମୋଦୀଜୀଙ୍କ ପରି ଅଟେ। ଏଭଳି କହିବା ସହ ସେ ଗୁଜରାଟରେ ନିର୍ବାଚନ ପ୍ରଚାର ପାଇଁ ଆପ୍ ଖର୍ଚ୍ଚ କରୁଥିବା ଅର୍ଥର ଉତ୍ସ ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି।

ଗୁଜରାଟରେ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବାରମ୍ବାର ଗୁଜରାଟ ଗସ୍ତରେ ଆସୁଥିବାବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅନୁପସ୍ଥିତି ସ୍ପଷ୍ଟ ହୋଇଛି। ଗୁଜରାଟ ନିର୍ବାଚନ ପାଇଁ କଂଗ୍ରେସର ବରିଷ୍ଠ ପର୍ଯ୍ୟବେକ୍ଷକ ଗେହଲଟ୍ କହିଛନ୍ତି ଯେ, ଉତ୍ତରପ୍ରଦେଶ ନିର୍ବାଚନରେ ​​ଜିତିବାର ପରଦିନ ପ୍ରଧାନମନ୍ତ୍ରୀ ଗୁଜୁରାଟ ଗସ୍ତ ଆରମ୍ଭ କରିଥିଲେ। ଏହା ଦ୍ବାରା ଦିଲ୍ଲୀରେ କାର୍ଯ୍ୟ ପ୍ରଭାବିତ ହେଉଛି। ତେଣୁ ସେମାନେ ଗୁଜରାଟରେ ପିଏମଓର ଏକ ଅସ୍ଥାୟୀ କାର୍ଯ୍ୟାଳୟ ଖୋଲିବା ଉଚିତ୍, ଯାହାଦ୍ୱାରା କାମ ସୁରୁଖୁରୁରେ ଚାଲିବ। ପ୍ରଧାନମନ୍ତ୍ରୀ ଜଣେ ବ୍ୟସ୍ତ ବ୍ୟକ୍ତି। ସେ କାହିଁକି ବାରମ୍ବାର ରାଜ୍ୟ ଗସ୍ତ କରିବେ? କେବଳ ତାଙ୍କ ନାମ ଯଥେଷ୍ଟ। ଏହି ରାଜ୍ୟର ନେତା ଦେଶର ପ୍ରଧାନମନ୍ତ୍ରୀ ହେବା ଏକ ଛୋଟ କଥା କି?

ସମ୍ବନ୍ଧିତ ଖବର