ଏସିଆ କପ୍ ପାକିସ୍ତାନରେ ନ ହେଲେ ୨୦୨୩ ବିଶ୍ବକପରୁ ଓହରିଯିବୁ : ପିସିବିର ଧମକ

ଇସ୍ଲାମାବାଦ : “ଭାରତ ଯଦି ଏସିଆ କପ ଖେଳିବାକୁ ପାକିସ୍ତାନ ଆସିବ ନାହିଁ ପାକିସ୍ତାନ ମଧ୍ୟ ୨୦୨୩ରେ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ବକପ୍ ଖେଳିବାକୁ ଯିବ ନାହିଁ” ଏପରି ଧମକ ଦେଇଛି ପାକିସ୍ତାନ କ୍ରିକେଟ ବୋର୍ଡ ।

ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ରମିଜ୍ ରାଜା କହିଛନ୍ତି ଯେ, ଏସିଆ କପ ପାକିସ୍ତାନରେ ନ ହେଲେ ପାକିସ୍ତାନ କ୍ରିକେଟ ଦଳ ୨୦୨୩ ବିଶ୍ବକପରୁ ଓହରି ଯିବ ।

ପିସିବିର ଆଉ ଜଣେ ଅଧିକାରୀ କହିଛନ୍ତି ଯେ ପାକିସ୍ତାନକୁ ଏବେ କଠୋର ନିଷ୍ପତ୍ତି ନେବାକୁ ହେବ। ଆଇସିସି ଓ ଏସିସି (ଏସୀୟ କ୍ରିକେଟ ପରିଷଦ) ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ଓ ଭାରତ ମ୍ୟାଚ ନହେଲେ ଉଭୟ ସଂସ୍ଥାର କ୍ଷତି ହେବ ବୋଲି ପାକିସ୍ତାନ ଅବଗତ ଅଛି ।

ଆଜି ବିସିସିଆଇ ସଚିବ ତଥା ଏସୀୟ କ୍ରିକେଟ୍ ପରିଷଦ (ଏସିସି)ର ମୁଖ୍ୟ ଜୟ ଶାହା କହିଥିଲେ ଯେ, ଆସନ୍ତା ବର୍ଷ ପାକିସ୍ତାନରେ ହେବାକୁ ଥିବା ଏସିଆ କପ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଭାରତୀୟ କ୍ରିକେଟ୍ ଦଳ ପାକିସ୍ତାନ ଯିବ ନାହିଁ । ସେ ଆହୁରି ମଧ୍ୟ କହିଥିଲେ ଯେ ଏସିଆ କପକୁ ପାକିସ୍ତାନ ବଦଳରେ ଏକ ନିରପେକ୍ଷ ସ୍ଥାନରେ କରାଯିବାକୁ ଯୋଜନା କରାଯାଉଛି ।

ଦୁଇ ଦେଶ ମଧ୍ୟରେ ଖରାପ ସଂପର୍କ କାରଣରୁ ଭାରତ ଗତ କିଛି ବର୍ଷ ହେଲା ପାକିସ୍ତାନ ସହ କ୍ରିକେଟ ଖେଳୁନାହିଁ । ଶେଷ ଥର ପାଇଁ ୨୦୦୬ରେ ଦୁଇ ଦେଶ ମଧ୍ୟରେ ଏକ କ୍ରିକେଟ ସିରିଜ ଖେଳାଯାଇଥିଲା । କେବଳ ବହୁରାଷ୍ଟ୍ରୀୟ ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତ ପାକିସ୍ତାନ ସହ ଖେଳୁଛି ।

 

 

ସମ୍ବନ୍ଧିତ ଖବର