ସୋପିଆନ୍‌ ଗୁଳିକାଣ୍ଡ ଘଟଣା: ମେଜର ଆଦିତ୍ୟ କୁମାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଜମ୍ମୁ- କଶ୍ମୀରର ବହୁଚର୍ଚ୍ଚିତ ସୋପିଆନ୍‌ ଗୁଳିକାଣ୍ଡ ଘଟଣାରେ ମେଜର ଆଦିତ୍ୟ କୁମାରଙ୍କ ବିରୋଧରେ ଜମ୍ମୁ- କଶ୍ମୀର ସରକାର ଆସନ୍ତା ଅପ୍ରେଲ ୨୪ ତାରିଖ ପର୍ଯ୍ୟନ୍ତ କୌଣସି ପ୍ରକାରର ତଦନ୍ତ କିମ୍ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ ବୋଲି ଆଜି ସୁପ୍ରିମ୍‌ କୋର୍ଟ ରୋକ୍‌ ଲଗାଇଛନ୍ତି।

ଅନ୍ୟପକ୍ଷରେ ସୁପ୍ରିମ୍‌ କୋର୍ଟରେ ଆଜିର ଶୁଣାଣି କାଳରେ ଜମ୍ମୁ- କଶ୍ମୀର ମେହେବୁବା ମୁଫ୍‌ତି ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଗତ ଜାନୁଆରି ୨୭ ତାରିଖରେ ସୋପିଆନ୍‌ ଠାରେ ଘଟି ଯାଇଥିବା ଗୁଳିକାଣ୍ଡ ଘଟଣାରେ ଦୁଇ ଜଣ ସାଧାରଣ ନାଗରିକଙ୍କ ମୁତ୍ୟୁ ପରେ ଯେଉଁ ଏଫ୍‌ଆଇଆର୍‌ ହୋଇଛି ସେଥିରେ ମେଜର ଆଦିତ୍ୟ କୁମାରଙ୍କ ନାମ ନାହିଁ।
ତେବେ, ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ସୋପିଆନ୍‌ ଗୁଳିକାଣ୍ଡ ନେଇ ପୋଲିସ୍‌ରେ ଯେଉଁ ଏଫ୍‌ଆଇଆର୍‌ ହୋଇଛି, ସେଥିରେ ଅଭିଯୁକ୍ତ ଭାବେ ମେଜର ଆଦିତ୍ୟ କୁମାରଙ୍କ ନାମ ନାହିଁ। କିନ୍ତୁ, ପରବର୍ତ୍ତୀ ସ୍ଥାନରେ ସଂପୃକ୍ତ ଏଫ୍‌ଆଇଆର୍‌ରେ କମାନ୍‌ଣ୍ଡିଂ ଅଫିସର ଭାବେ ମେଜର ଆଦିତ୍ୟ କୁମାରଙ୍କ ନାମ ଉଲ୍ଲେଖ ରହିଛି।

ଅନ୍ୟପକ୍ଷରେ ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଲ ଆଜିର ଶୁଣାଣି କାଳରେ କୋର୍ଟଙ୍କୁ କହିଥିଲେ ଯେ ଅଶାନ୍ତ ଅଞ୍ଚଳମାନଙ୍କରେ ମୁତୟନ ରହୁଥିବା ସେନା ଅଧିକାରୀମାନଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କର ବିନା ଅନୁମତିରେ କୌଣସି ପ୍ରକାରର ଏଫ୍‌ଆଇଆର୍‌ ଆଗତ କରାଯାଇ ପାରିବ ନାହିଁ। କିମ୍ବା କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆ ଯାଇପାରିବ ନାହିଁ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଗତ ଜାନୁଆରି ୨୭ ତାରିଖରେ ସେନା ବାହିନୀର କିଛି ଜବାନ ଏକ ଭ୍ୟାନ୍‌ରେ ଜମ୍ମୁ-କଶ୍ମୀରର ସୋପିଆନ୍‌ ଠାରେ ପାଟ୍ରୋଲିଂ କରୁଥିବାବେଳେ କିଛି ଅସାମାଜିକ ଲୋକ ସଂଘବଦ୍ଧ ଭାବେ ଆସି ଜବାନମାନଙ୍କ ଭ୍ୟାନ୍‌ ଉପରକୁ ପଥର ମାଡ଼ କରିଥିଲେ। ଏହି ଘଟଣାରେ ସେନା କର୍ମଚାରୀମାନେ ପଥରମାଡ଼ କରୁଥିବା ଅସାମାଜିକ ଲୋକମାନଙ୍କୁ ଘଉଡ଼ାଇବା ଉଦ୍ଦେଶ୍ୟରେ ଗୁଳିଚାଳନା କରିଥିଲେ। ଏହି ଘଟଣାରେ ଜବାନଙ୍କ ଗୁଳିରେ ଦୁଇଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଜମ୍ମୁ- କଶ୍ମୀର ପୋଲିସ୍‌ ଏକ ଏଫ୍‌ଆଇଆର୍‌ ଆଗତ କରି ମେଜର୍‌ ଆଦିତ୍ୟ କୁମାରଙ୍କ ସମେତ ଅନ୍ୟ କିଛି ଜବାନଙ୍କୁ ଅଭିଯୁକ୍ତ ଦୋଷୀ ଭାବେ ଦର୍ଶାଇଥିଲା। ତେବେ, ଏହି ଏଫ୍‌ଆଇଆର୍‌କୁ ବିରୋଧ କରି ସେନା ମେଜର୍‌ ଆଦିତ୍ୟ କୁମାରଙ୍କ ପିତା ଲେଫ୍ଟନାଣ୍ଟ କର୍ଣ୍ଣେଲ କରମ୍‌ଭୀର୍‌ ସିଂହ ସୁପ୍ରିମ୍‌କୋର୍ଟରେ ଏକ ଯାଚିକା ଆଗତ କରିଥିଲେ।

ସମ୍ବନ୍ଧିତ ଖବର