୬ ଆତଙ୍କବାଦୀଙ୍କୁ ନିପାତ କରିଥିବା ଏଏସଆଇଙ୍କ ପ୍ରତି ଅବିଚାର, କାନ୍ଦିକାନ୍ଦି ଅଧିକାରୀଙ୍କୁ ନେଇ ଦେଲେ ଚାଞ୍ଚଲ୍ୟକର ବୟାନ

ଚଣ୍ଡୀଗଡ଼: ପଞ୍ଜାବରେ ଆତଙ୍କବାଦୀ ସହିତ ଲଢ଼ି ୬ଜଣଙ୍କୁ ନିହତ କରିଥିବା ପଞ୍ଜାବ ପୁଲିସର କାର୍ଯ୍ୟରତ ଏଏସଆଇ ନିଜର ବରିଷ୍ଠ ଅଧିକାରୀଙ୍କୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯୁଦ୍ଧରେ ସମ୍ମୁଖ ଭାଗରେ ରହି ଲଢ଼ୁଥିବା ଯବାନମାନଙ୍କୁ ଯଦି ଅଣଦେଖା କରାଯିବ, ତେବେ ଆଗକୁ ଲଢ଼ିବ କିଏ?

ଆତଙ୍କବାଦୀଙ୍କୁ ନିହତ କରିବା ପରେ ରାସବୀର ସିଂହଙ୍କୁ ଅଧିକାରୀମାନେ କହିଥିଲେ କି, ‘ନିଜ ଜୀବନକୁ ବାଜି ଲଗାଇ ଆତଙ୍କବାଦୀଙ୍କ ସହିତ ଲଢ଼ିଥିବାରୁ ତାଙ୍କର ପ୍ରମୋସନ କରାଯିବା ସହିତ ତାଙ୍କ ପିଲାଙ୍କୁ ଚାକିରି ବି ଦିଆଯିବ।’

ଏହି ପ୍ରତିଶ୍ରୁତିକୁ ନେଇ ଏଏସଆଇ ରାସବୀର ସିଂହ କାନ୍ଦିକାନ୍ଦି କହିଛନ୍ତି, ‘‘ମୋତେ ଦିଆଯାଇଥିବା ପ୍ରତିଶ୍ରୁତିକୁ ୩୦ବର୍ଷ ବିତିଯାଇଛି। କିନ୍ତୁ ମୋତେ ଏ ପ୍ରତିଶ୍ରୁତି ମଧ୍ୟରୁ ଏଯାଏଁ କିଛି ବି ମିଳିନାହିଁ। ମୁଁ ଅମୃତସରରେ ଏଏସଆଇ ଭାବେ କାମ କରୁଛି। ମୁଁ ମୋର ଜୀବନକୁ ବାଜି ଲଗାଇ ଆତଙ୍କବାଦୀଙ୍କ ସହିତ ଲଢ଼ିଥିଲି। ଆଉ ୬ଜଣ ଆତଙ୍କବାଦୀଙ୍କୁ ନିହତ କରିଥିଲି। ପାକିସ୍ତାନରେ ପ୍ରାଣହରାଇଥିବା ଆତଙ୍କବାଦୀ ପଞ୍ଜୱଡ଼କୁ ବି ମୁଁ କାବୁ କରିଥିଲି। ସେ କିନ୍ତୁ ଖସି ପଳାଇ ଯାଇଥିଲା। ଏଭଳି ସମୟରେ ଅଧିକାରୀମାନେ ପଛରେ ରହି ଯବାନଙ୍କୁ ଲଢ଼ିବାକୁ ପଠାଇ ଥାଆନ୍ତି। କିନ୍ତୁ ଯବାନଙ୍କ ପ୍ରମୋସନ କଥା ଉଠିଲେ ପଛଘୁଞ୍ଚା ଦେଇଥାଆନ୍ତି।’’

ମୁଁ ମୋର ପ୍ରତିଶ୍ରୁତି ପାଇଁ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବାରୁ ସେ କହିଥିଲେ, ଯେଉଁ ଘଟଣାରେ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଇଥିଲା। ସେଥିରେ ମୋର ନାମ ହଁ ନାହିଁ।

ଏବେ ଧୀରେଧୀରେ ଅଧିକାରୀମାନେ ବି ବଦଳି ଗଲେଣି। ସେମାନେ ମୋର ଏହି ପୁରୁଣା ଘଟଣାରେ ମୁଣ୍ଡ ପୂରାଇବାକୁ ଚାହୁଁ ନାହାନ୍ତି। ଯଦି ଯବାନଙ୍କ ଅବଦାନକୁ ଏମିତି ଅଣଦେଖା କରାଯିବ, ସେମାନେ ଭାଙ୍ଗି ପଡ଼ିବେ ତେବେ ଶତ୍ରୁଙ୍କ ସହିତ ଲଢ଼ିବ କିଏ?

ସମ୍ବନ୍ଧିତ ଖବର