ଅଧିକ ଡାଲି ରଖିବା ମନା, ଷ୍ଟକ୍ ସୀମା ଧାର୍ଯ୍ୟ ହେଲା

ନୂଆଦିଲ୍ଲୀ : ଡାଲି ଦାମ୍‌କୁ ନିୟନ୍ତ୍ରଣ ମଧ୍ୟକୁ ଆଣିବା ଲାଗି କେନ୍ଦ୍ର ସରକାର ଆଜି ଡାଲିର ଷ୍ଟକ୍ ସୀମା ଧାର୍ଯ୍ୟ କରିଛନ୍ତି। ଏଥିପାଇଁ ନିର୍ଦେଶନାମା ଜାରି କରାଯାଇଛି। ଏହି ନିଷ୍ପତ୍ତିକୁ ତତ୍କାଳ ଭିତ୍ତିରେ ଆଜିଠାରୁ ଲାଗୁ କରାଯାଇଛି। ମୁଗ ଡାଲିକୁ ବାଦ ଦେଇ ଅନ୍ୟ ସବୁ ପ୍ରକାର ଡାଲି ପାଇଁ ଆସନ୍ତା ଅକ୍ଟୋବର ୩୧ ପର୍ଯ୍ୟନ୍ତ ଷ୍ଟକ୍‌ର ସୀମା ଧାର୍ଯ୍ୟ କରାଯାଇଛି। ପାଇକାରୀ ବିକ୍ରେତାମାନେ ନିଜ ପାଖରେ ଅତିବେଶିରେ ୨୦୦ ଟନ୍‌ ଡାଲି ରଖିପାରିବେ। କୌଣସି ଗୋଟିଏ ପ୍ରକାର ଡାଲି ୧୦୦ ଟନ୍‌ରୁ ଅଧିକ ରଖିପାରିବେନି। ଖୁଚୁରା ବିକ୍ରେତାମାନେ ୫ ଟନ୍‌ରୁ ଅଧିକ ଡାଲି ନିଜ ପାଖରେ ରଖିପାରିବେନି। ସେହିପରି ଡାଲି ପ୍ରକ୍ରିୟାକରଣ କରୁଥିବା ମିଲ୍‌ଗୁଡ଼ିକ ପୂର୍ବ ତିନି ମାସର ଉତ୍ପାଦନ କିମ୍ବା ବାର୍ଷିକ ଉତ୍ପାଦନ କ୍ଷମତାର ୨୫%ରୁ ଅଧିକ ଡାଲି ନିଜ ପାଖରେ ରଖିପାରିବେନି ବୋଲି ସରକାର ଘୋଷଣା କରିଛନ୍ତି।

ପାଇକାରୀ ବିକ୍ରେତାମାନଙ୍କ ଲାଗି ଧାର୍ଯ୍ୟ କରାଯାଇଥିବା ଷ୍ଟକ୍ ସୀମା ଆମଦାନିକାରୀମାନଙ୍କ ପାଇଁ ଲାଗୁ କରାଯାଇଛି। ଯେଉଁମାନଙ୍କ ପାଖରେ ଧାର୍ଯ୍ୟ ସୀମା ଠାରୁ ଅଧିକ ଡାଲି ରହିଛି ସେମାନେ ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟର ପୋର୍ଟାଲ୍‌ରେ ସେବିଷୟରେ ସୂଚନା ଦେବେ। ସରକାରୀ ବିଜ୍ଞପ୍ତି ଜାରି ହେବାର ୩୦ ଦିନ ଭିତରେ ସେମାନେ ଷ୍ଟକ ସୀମାକୁ ନିର୍ଧାରିତ ସ୍ତରକୁ ହ୍ରାସ କରିବେ। ନିର୍ଦ୍ଧାରିତ ଷ୍ଟକ ସୀମା ଠାରୁ କୌଣସି ବ୍ୟବସାୟୀ ନିଜ ପାଖରେ ଅଧିକ ଡାଲି ରଖିପାରିବେ ନାହିଁ। ତେଣୁ ଯେଉଁମାନେ ଡାଲି ମହଜୁଦ ରଖି ବଜାର ସ୍ଥିତିର ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି ସେମାନେ ସାବଧାନ ହୋଇଯିବା ଦରକାର। ଷ୍ଟକ ସୀମା ଧାର୍ଯ୍ୟ କରାଯାଉଥିବାରୁ ଯେଉଁମାନେ ଧରାପଡ଼ିବେ ସେମାନଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି‌ବେ।

ଡାଲିର ବଜାର ଦର ଓ ମହଜୁଦକାରୀଙ୍କ ଉପରେ ନଜର ରଖିବା ଲାଗି ସରକାର ଏକ ପୋର୍ଟାଲ୍ ବିକଶିତ କରିଛନ୍ତି। ଦେଶରେ ଡାଲି ଉପଲବ୍ଧତା ବଢ଼ାଇବା ଲାଗି ହରଡ଼, ବିରି ଓ ମୁଗ ଆମଦାନିକୁ ନିଷିଦ୍ଧ ବର୍ଗରୁ ବାଦ ଦିଆଯାଇଛି। ଫଳରେ ଆମଦାନିକାରୀମାନେ ଏହି ସବୁ ଡାଲି ଅଧିକ ମାତ୍ରାରେ ଆଣିପାରିବେ। ଉଭୟ ଡାଲି ଓ ଖାଇବା ତେଲ ଆମଦାନି ପାଇଁ ମଞ୍ଜୁରି ଦେବାର ସମୟ ସୀମାକୁ ମଧ୍ୟ ୬-୭ ଦିନକୁ ହ୍ରାସ କରାଯାଇଛି। ପୂର୍ବରୁ ଏଥିପାଇଁ ୧୦-୧୧ ଦିନ ସମୟ ଲାଗୁଥିଲା। କେ‌ତେକ ପ୍ରକାର ଖାଇବା ତେଲ ଉପରୁ ସରକାର ଆମଦାନି ଶୁଳ୍କ ମଧ୍ୟ ହ୍ରାସ କରିଛନ୍ତି।

ଡାଲି ଓ ଖାଇବା ତେଲ ଦରକୁ ନିୟନ୍ତ୍ରଣରେ ରଖିବା ଲାଗି ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଘୋଷଣା କରୁଛନ୍ତି। ସେଥିପାଇଁ ଏହି ସବୁ ସାମଗ୍ରୀ ଦାମ୍‌ରେ ହ୍ରାସର ଧାରା ଆରମ୍ଭ ହୋଇଛି।

ଅନ୍ୟପକ୍ଷରେ, ଡାଲି ଦାମ୍‌କୁ ନିୟନ୍ତ୍ରଣରେ ରଖିବା ଲାଗି ସରକାର ଏକ ସ୍ବତନ୍ତ୍ର ଭଣ୍ଡାର ସୃଷ୍ଟି କରିଛନ୍ତି। ଯେତେବେଳେ ଦାମ୍ ନିୟନ୍ତ୍ରଣ ବାହାରକୁ ଚାଲି ଯାଉଛି ସେହି ସମୟରେ ଏହି ଭଣ୍ଡାରରେ ଥିବା ଡାଲି ସୁଲଭ ମୂଲ୍ୟରେ ବିଭିନ୍ନ ରାଜ୍ୟକୁ ଯୋଗାଇ ଦିଆଯାଉଛି। ଏହାର ପ୍ରଭାବ ଯେଭଳି ଖୁଚୁରା ବଜାରରେ ଅନୁଭୂତ ହେବ ତାହା ନିଶ୍ଚିତ କରିବା ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଉଛି। ଖୋଲା ବଜାରକୁ ମଧ୍ୟ ସରକାର ଡାଲି ଯୋଗାଇ ଦେଉଛନ୍ତି।

କାହା ପାଖରେ କେତେ ରହିବ
ବର୍ଗ ଷ୍ଟକ୍ ସୀମା (ଟନ୍‌)
ଖୁଚୁରା ବ୍ୟବସାୟୀ ୫ ଟନ୍
ପାଇକାରୀ ବ୍ୟବସାୟୀ ୨୦୦ ଟନ୍
ମିଲ୍‌ ବାର୍ଷିକ କ୍ଷମତାର ୨୫%

ସମ୍ବନ୍ଧିତ ଖବର