୧୮ ଘଣ୍ଟା ହେଲା ବୋର୍‌ୱେଲ୍‌ ଭିତରେ କୁନି ପୁଅ, ଚାଲିଛି ଉଦ୍ଧାରକାର୍ଯ୍ୟ

ରିବା: ମଧ୍ୟପ୍ରଦେଶର ରିବାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଏକ ୬୦ ଫୁଟ୍‌ ତଳର ବୋର୍‌ୱେଲ୍‌ ଭିତରେ ୧୮ ଘଣ୍ଟା ହେଲା ପଶିରହିଛି ୬ ବର୍ଷୀୟ କୁନି ପୁଅ। ମୟଙ୍କ ନାମକ ଏହି କୁନି ପୁଅଟିକୁ ବଞ୍ଚାଇବା ପାଇଁ ଲଗାତାର‌ ଚେଷ୍ଟା ଜାରି ରହିଛି। ଏବେ ସୁଦ୍ଧା ୬୦ ଫୁଟ୍‌ର ବୋରୱେଲ୍‌ରୁ ଖୋଳା ସରିଲାଣି। ଏସ୍‌ଡିଆର୍‌ଏଫ୍‌ ଓ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ସେଠାରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି।

ମୟଙ୍କଙ୍କୁ ବଞ୍ଚାଇବା ପାଇଁ ଭିନ୍ନ ଭିନ୍ନ ୮ ପ୍ରକାରର ଜେସିବି ନିୟୋଜିତ ହୋଇଛି। ବୋରୱେଲ୍‌ କଡ଼ରୁ ସୁଡ଼ଙ୍ଗ ତିଆରି କରିବାରୁ ଉଦ୍ୟମ ଜାରି ରହିଛି। ବୋର୍‌ୱେଲ୍‌ ଭିତରୁ ପାଇପ୍‌ ଦ୍ବାରା ଅମ୍ଳଜାନ ବି ପଠାଯାଉଛି।

ସେହିପରି ସିସିଟିଭି କ୍ୟାମେରା ଜରିଆରେ ମୟଙ୍କଙ୍କ ଉପରେ ନଜର ରଖାଯାଉଥିବା ବେଳେ  ଘଟଣାସ୍ଥଳରେ ରେଓ୍ଵା ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ଏସଡିଆରଏଫ୍ ଓ ଏନ୍ ଡିଆରଏଫ୍ ଟିମ୍ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ତେବେ ଏବେ ପର୍ଯ୍ୟନ୍ତ ମୟଙ୍କ କିପରି ସ୍ଥିତିରେ ଅଛନ୍ତି ତାହା ଜଣାପଡ଼ିନାହିଁ; ଯାହା ପ୍ରଶାସନର ଚିନ୍ତା ବଢ଼ାଇଛି। ଜାଣିବାକୁ ମିଳିଛି ଯେ କୁନି ପୁଅ ଉପରେ କିଛି ମାଟି ବି ପଡ଼ିଯାଇଛି।

ଏହି ମାମଲା ହେଉଛି ରିବା ଜିଲ୍ଲା ମୁଖ୍ୟାଳୟରୁ ପ୍ରାୟ ୯୦ କିଲୋମିଟର ଦୂର ମନିକା ଗ୍ରାମର। ଯେଉଁଠାରେ ମୟଙ୍କ ଶୁକ୍ରବାର ସଂଧ୍ୟାରେ ସାଙ୍ଗମାନଙ୍କ ସହ ଖେଳୁଥିବା ବେଳେ ବୋର୍‌ୱେଲ୍‌ରେ ଖସି ପଡ଼ିଥି‌ଲେ। ତାପରେ କଥା ଚାରିଆଡ଼େ ପ୍ରଚାର ହେବାକୁ ପ୍ରଶାସନ ତତ୍ପରତା ଦେଖାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର