ରାଜା ଚାର୍ଲସଙ୍କୁ ଭେଟିବା ପରେ ବ୍ରିଟେନର ପ୍ରଧାନମନ୍ତ୍ରୀ ନିଯୁକ୍ତ ହେଲେ ସୁନକ୍

ଲଣ୍ଡନ :  ଋଷି ସୁନକ ଔପଚାରିକ ଭାବେ ବ୍ରିଟେନର ପ୍ରଧାନମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି । ବ୍ରିଟିଶ ପରମ୍ପରା ଅନୁସାରେ ସେ ମଙ୍ଗଳବାରଦିନ ବ୍ରିଟେନର ରାଜା ଚାର୍ଲସ ୩ୟଙ୍କୁ ଭେଟିବା ପରେ ରାଜା ତାଙ୍କୁ ପ୍ରଧାନମନ୍ତ୍ରୀ ହେବା ସହ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିଲେ ।

ସୁନକ ଗତକାଲି କଂଜରଭେଟିଭ ପାର୍ଟିର ନେତା ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ହେବାକୁ ପ୍ରଥ ପରିଷ୍କାର ହୋଇଥିଲା । ବ୍ରିଟିଶ ପରମ୍ପରା ଅନୁସାରେ ରାଜା କିମ୍ବା ରାଣୀ ହିଁ ପ୍ରଧାନମନ୍ତ୍ରୀ ନିଯୁକ୍ତ କରନ୍ତି ।

ପ୍ରଧାନମନ୍ତ୍ରୀ ନିଯୁକ୍ତ ହେବାର କିଛି ସମୟ ପରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଏକ ଟେଲିଭିଜନ ଭାଷଣ ରଖିଛନ୍ତି ସୁନକ । ଏଥିରେ ଦେଶର ବିଭିନ୍ନ ସମସ୍ୟା ଯେପରିକି ଆର୍ଥିକ ସମସ୍ୟା, ବ୍ରେକ୍ସିଟ ଆଦି ସମ୍ପର୍କରେ ନିଜର ମତ ରଖିଛନ୍ତି । ଦେଶର ଅର୍ଥନୀତିକୁ ସଜାଡ଼ିବା ତାଙ୍କ ଆଗରେ ସବୁଠାରୁ ବଡ଼ ଆହ୍ବାନ ହୋଇରହିଛି । ଆଗକୁ କେତେକ ଭୁଲ କରାଯାଇଛି ଓ ଦେଶ ଏକ ଆର୍ଥିକ ସଂକଟରେ ରହିଛି ବୋଲି ସେ କହିଛନ୍ତି । ଆଗକୁ କଠିନ ସମୟ ରହିଛି ବୋଲି ସେ ଚେତାଇ ଦେଇଛନ୍ତି ।

ରାଜା ହେବା ପରେ ପ୍ରଥମ ଥର ପାଇଁ ଚାର୍ଲସ ଜଣେ ସାଂସଦଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଛନ୍ତି । ନିକଟରେ ଇସ୍ତଫା ଦେଇଥିବା ଲିଜ୍ ଟ୍ରସଙ୍କୁ ରାଣୀ ଏଲିଜାବେଥ ନିଯୁକ୍ତ ଦେଇଥିଲେ । ପୁଣି ନିଜର ଅଳ୍ପ ସମୟର ରାଜତ୍ବ ସମୟରେ ଚାର୍ଲସ ଦୁଇଜଣ ପ୍ରଧାନମନ୍ତ୍ରୀଙ୍କୁ ଦେଖିସାରିଲେଣି ।

ଚଳିତବର୍ଷର ବ୍ରିଟେନର ତୃତୀୟ ପ୍ରଧାନମନ୍ତ୍ରୀ ଭାବେ ଆଜି ନିଯୁକ୍ତ ହୋଇଛନ୍ତି ଋଷି ସୁନକ। କଂଜରଭେଟିଭ୍ ପାର୍ଟିର ଅନ୍ୟତମ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପେନି ମୋରଡାଉଣ୍ଟଙ୍କୁ  ପଛରେ ପକାଇ  ଋଷି ସୁନକ ବିଜୟ ହାସଲ କରିଥିଲେ। ରିଷି ସୁନକଙ୍କୁ ୧୮୦ରୁ ଅଧିକ ସାଂସଦଙ୍କ ସମର୍ଥନ ମିଳିଥିଲା। ଅପରପକ୍ଷେ ପେନି ମୋରଡାଉଣ୍ଟ୍ ବହୁତ ପଛରେ ଥିଲେ। ଫଳରେ ପେନି ଦୌଡ଼ରୁ ନିଜକୁ ପ୍ରତ୍ୟାହାର କରି ନେଇଥିଲେ।

ସୂଚନାଯୋଗ୍ୟ, ୪୫ ଦିନ ପର୍ଯ୍ୟନ୍ତ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ରହିଥିବା ଲିଜ୍‌ ଟ୍ରସ୍‌ ଇସ୍ତଫା ଦେବା ପରେ ପୁଣି ଥରେ ନିର୍ବାଚନ କରାଯାଇଥିଲା। ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ଦିନଠାରୁ ଋଷି ସୁନକଙ୍କ ସ୍ଥିତି ମଜବୁତ ଥିବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା। ସୋମବାର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ମଧ୍ୟ ପ୍ରଧାନମନ୍ତ୍ରୀ ଦୌଡ଼ରୁ ବାହାରି ଯିବା ପରେ ଏକ ପ୍ରକାର ନିର୍ଦ୍ଧାରିତ ହୋଇଯାଇଥିଲା ଯେ, ଋଷି ସୁନକ ବ୍ରିଟେନ୍‌ର ଆଗାମୀ ପ୍ରଧାନମନ୍ତ୍ରୀ ହେବେ।

ସମ୍ବନ୍ଧିତ ଖବର