ଦିଲ୍ଲୀ ଅଧ୍ୟାଦେଶ ମାମଲା : ୫ ଜଣିଆ ସମ୍ବିଧାନିକ ବେଞ୍ଚକୁ ପଠାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଅଧିକାରୀଙ୍କ ନିୟନ୍ତ୍ରଣ ନେଇ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ପ୍ରସଙ୍ଗକୁ ସୁପ୍ରିମ୍ କୋର୍ଟ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠକୁ ପଠାଇ ଦେଇଛନ୍ତି। ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ଅଧ୍ୟାଦେଶ ମାଧ୍ୟମରେ ଦିଲ୍ଲୀ ବିଧାନସଭାର କ୍ଷମତା ପରିସରରୁ ସେବାଗୁଡ଼ିକୁ ବାଦ୍ ଦେବା ଆଇନତଃ ଠିକ୍ କି ନାହିଁ ସେ ନେଇ ଏକ ଲମ୍ବା ଶୁଣାଣି ଆବଶ୍ୟକ ।

ଉପରାଜ୍ୟପାଳଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ହରିଶ ସାଲଭେ କହିଛନ୍ତି ଯେ ସଂସଦରେ ଏହି ବିଲ୍ ଆଗତ ହେବା ପରେ ଅଧ୍ୟାଦେଶ ପ୍ରସଙ୍ଗରେ ବିଚାର କରିବାର ଆବଶ୍ୟକତା ରହିବ ନାହିଁ । ଏହା ଉପରେ ସିଜେଆଇ କହିଛନ୍ତି ଯେ ଆମେ ସେପର୍ଯ୍ୟନ୍ତ ଅପେକ୍ଷା କରିପାରିବୁ ନାହିଁ ।

ଦିଲ୍ଲୀ ସରକାରଙ୍କ ଓକିଲ ଅଭିଷେକ ମନୁ ସିଂଘଭି ସାମ୍ବିଧାନିକ ଖଣ୍ଡପୀଠରେ ଶୀଘ୍ର ଶୁଣାଣି କରିବାକୁ ଦାବି କରିଥିଲେ। ଏଥିରେ ଶୁଣାଣି ତାରିଖ ମଧ୍ୟ ଉଲ୍ଲେଖ ରହିବ ।

ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଆପ୍ ସରକାର ଦିଲ୍ଲୀରେ ଅମଲାମାନଙ୍କ ନିଯୁକ୍ତି ଏବଂ ବଦଳି ସଂକ୍ରାନ୍ତ କେନ୍ଦ୍ରର ଅଧ୍ୟାଦେଶକୁ ବିରୋଧ କରୁଛନ୍ତି। ମେ’ ମାସରେ କେନ୍ଦ୍ର ସରକାର ଏହି ଅଧ୍ୟାଦେଶ ଜାରି କରିଥିଲେ। ଏହି ଅଧ୍ୟାଦେଶରେ ଡାନିକ୍ସ କ୍ୟାଡରର ଗ୍ରୁପ୍ ଏ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଏବଂ ବଦଳି ପାଇଁ ଜାତୀୟ କ୍ୟାପିଟାଲ ସିଭିଲ ସର୍ଭିସ ଅଥରିଟି ଗଠନ କରିବାର ବ୍ୟବସ୍ଥା ରହିଛି । ସଂସଦର ଚଳିତ ଅଧିବେଶନରେ ଏହି ବିଲ୍ ଆଗତ ହେବ ।

ସମ୍ବନ୍ଧିତ ଖବର