ସୀମା ହାଇଦର ନିଜର ମା’ ହେବା କଥାକୁ ସ୍ପଷ୍ଟ କରି କହିଲେ, ‘ନୂଆବର୍ଷ ମୋ ପାଇଁ ଶୁଭ’

ନୂଆଦିଲ୍ଲୀ: ପାକିସ୍ତାନରୁ ନିଜର ଚାରିଜଣ ପିଲାଙ୍କ ସହିତ ଭାରତ ଆସିଥିବା ସୀମା ହାଇଦର ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ସୀମା ସଚିନଙ୍କ ସହିତ ନୋଏଡାରେ ବସବାସ କରୁଛନ୍ତି। କିଛିଦିନ ହେବ ସୀମା ମା’ ହେବାକୁ ଯାଉଥିବା ଖବର ସାମ୍ନାକୁ ଆସିଥିଲା।

ନିକଟରେ ସୀମାଙ୍କ ସହିତ ଏକ ସାକ୍ଷାତକାର ହୋଇଥିଲା। ଏଥିରେ ତାଙ୍କୁ ଅନ୍ତସତ୍ତ୍ବା ହେବା ଖବର ବିଷୟରେ ପଚରା ଯିବାରୁ ସୀମା କହିଥିଲେ, ‘ସମସ୍ତଙ୍କୁ ଖୁବଶୀଘ୍ର ଖୁସି ଖବର ମିଳିଯିବ। ଏହି ୨୦୨୪ ମୋ ପାଇଁ ବହୁତ ଖୁସି ନେଇ ଆସିଛି। ୨୦୨୪ରୁ ମୋର ପିଲାମାନେ ପାଠ ପଢ଼ିବା ପାଇଁ ସ୍କୁଲ ବି ଯାଉଛନ୍ତି।’

ନିକଟ‌ରେ ସୀମାଙ୍କ ଅନ୍ତସତ୍ତ୍ବା ଖବର ସାମ୍ନାକୁ ଆସିବା ପରେ ଶ୍ୱଶୁର ଗଣମାଧ୍ୟମକୁ କହିଥିଲେ, ସେ ବୋହୂର ହାତ ରେଖା ଦେଖିଛନ୍ତି । ସଚିନ ଓ ସୀମାଙ୍କର ପ୍ରଥମେ ପୁଅ ହିଁ ହେବ ।’

ସୀମା ଏବଂ ସଚିନଙ୍କ କହିବାନୁସାରେ, ସେମାନଙ୍କର ପ୍ରଥମ ସାକ୍ଷାତ କିଛି ମାସ ପୂର୍ବରୁ ନେପାଳରେ ହୋଇଥିଲା। ସେଠାରେ ଉଭୟ ବିବାହ କରିଥିଲେ। ତେବେ ସମ୍ପ୍ରତି ଆଲୋଚନା ହେଉଛି ଯେ ସୀମା ହାଇଦର ପାଞ୍ଚ ମାସର ଗର୍ଭବତୀ ଅଛନ୍ତି। ସଚିନ ଏବଂ ସୀମା କିଛି ଦିନ ପୂର୍ବରୁ ମେଡିକାଲ ଯାଞ୍ଚ ପାଇଁ ଯାଇଥିଲେ।

ଅନ୍ୟପକ୍ଷରେ ସୀମା ହାଇଦର ଜଣେ ପାକିସ୍ତାନୀ ଗୁପ୍ତଚର ନା ଜଣେ ସାଧାରଣ ନାଗରିକ ପୁଲିସ କି ଏଜେନ୍ସି ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଦେଇ ପାରି ନାହାନ୍ତି। ଏହି କାରଣରୁ ସୀମାଙ୍କୁ ପାକିସ୍ତାନ ପଠାଇବାକୁ ପଡିବ ନା ସେ ସଚିନଙ୍କ ସହ ଭାରତରେ ରହିବେ ସେନେଇ କୌଣସି ନିଷ୍ପତ୍ତି ଏଯାଏଁ ନିଆଯାଇ ନାହିଁ।

ସମ୍ବନ୍ଧିତ ଖବର