କଚ୍ଚାଥିଭୁ ଦ୍ୱୀପ ନିକଟରେ ଭାରତୀୟ ମତ୍ସ୍ୟଜୀବୀଙ୍କ ଉପରେ ଶ୍ରୀଲଙ୍କା ନୌସେନାର ଆକ୍ରମଣ, ୩ ଆହତ

ଚେନ୍ନାଇ: କଚ୍ଚାଥିଭୁ ଦ୍ବୀପକୁ ନେଇ ଦେଶରେ ରାଜନୀତି ଚାଲିଥିବାବେଳେ ଏହି ଦ୍ବୀପ ନିକଟରେ ଏକ ଅଘଟଣ ଘଟିଛି । ଏହା ପରେ ଏହି ବିବାଦ ବଢିବାର ଆଶଙ୍କା ରହିଛି । ତାମିଲନାଡୁର ରାମେଶ୍ୱରମର ୩ ଜଣ ମତ୍ସ୍ୟଜୀବୀ କଚ୍ଚାଥିଭୁ ଦ୍ୱୀପ ନିକଟ ସମୁଦ୍ରରେ ମାଛ ମାରୁଥିବାବେଳେ ଶ୍ରୀଲଙ୍କା ନୌସେନା ସେମାନଙ୍କ ଉପରେ ଆକ୍ରମଣ କରିଛି । ଫଳରେ ୩ ଜଣ ଆହତ ହୋଇଛନ୍ତି ।

ମତ୍ସ୍ୟଜୀବୀ ସଂଘ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ମତ୍ସ୍ୟଜୀବୀମାନେ ସୋମବାର ଅପରାହ୍ନରେ ମାଛ ଧରିବାକୁ ସମୁଦ୍ରକୁ ଯାଇଥିବା ବେଳେ ମଙ୍ଗଳବାର ଭୋର ସମୟରେ ସେମାନଙ୍କ ଉପରେ ଆକ୍ରମଣ ହୋଇଥିଲା। ଆହତମାନେ ହେଲେ ଥାଙ୍ଗାଚିମାଡାମର ମାକିନା (୫୩), ନେତାଜୀ ନଗରର ରାଜେନ୍ଦ୍ରନ (୫୬) ଓ ରାମେଶ୍ୱରମର ଥାଙ୍ଗମ (୫୧)। ଶ୍ରୀଲଙ୍କା ନୌସେନା ପ୍ରାୟତଃ ଭାରତୀୟ ମତ୍ସ୍ୟଜୀବୀଙ୍କୁ ସାମୁଦ୍ରିକ ଅଞ୍ଚଳ ଉଲ୍ଲଂଘନ କରୁଥିବା ଅଭିଯୋଗ କରି ସେମାନଙ୍କ ଉପରେ ଲଗାମ ଲଗାଇବାକୁ ଚେଷ୍ଟା କରିଥାଏ।

ମତ୍ସ୍ୟଜୀବୀ ସଂଘନେତା ଆଣ୍ଟୋନି ଡୋମିନିକ୍ କହିଛନ୍ତି ଯେ ଶ୍ରୀଲଙ୍କା ନୌସେନା ଜାଣିଶୁଣି ତାମିଲନାଡୁର ଭାରତୀୟ ମତ୍ସ୍ୟଜୀବୀଙ୍କୁ ଟାର୍ଗେଟ କରୁଛି। ସମୁଦ୍ର ଭିତରକୁ ଯାଉଥିବା ମତ୍ସ୍ୟଜୀବୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି।

 

 

ସମ୍ବନ୍ଧିତ ଖବର