ନୂଆଦିଲ୍ଲୀ: ମୃତ୍ୟୁଦଣ୍ଡାଦେଶ ପାଇଥିବା ବ୍ୟକ୍ତିମାନେ ଦଣ୍ଡ କୋହଳ କରିବା ପାଇଁ ଯେଉଁ କ୍ଷମା ଆବେଦନ ଦାଏର କରୁଛନ୍ତି, ସେଗୁଡ଼ିକ ଉପରେ ନିଷ୍ପତ୍ତି ନେବାରେ ଅଯଥା ମାତ୍ରାଧିକ ବିଳମ୍ବ ନ କରିବା ପାଇଁ ସୁପ୍ରିମ୍‌କୋର୍ଟ ବିଭିନ୍ନ ରାଜ୍ୟ କର୍ତ୍ତୃପକ୍ଷମାନଙ୍କୁ ପରାମର୍ଶ ଦେଇଛନ୍ତି।

Advertisment

ବମ୍ବେ ହାଇକୋର୍ଟ ଜନୈକା ରେଣୁକା ସିନ୍ଦେ ଓରଫ ରେଣୁକା ବାଈଙ୍କ ମୃତ୍ୟୁଦଣ୍ଡକୁ ଗତବର୍ଷ ଜାନୁଆରି ମାସରେ ଆଜୀବନ କରାଦଣ୍ଡକୁ ପରିବର୍ତ୍ତନ କରିଥିଲେ। ଏ ସମ୍ପର୍କିତ ଏକ ମାମଲାର ବିଚାର କରିବା ଅବସରରେ କୋର୍ଟ ଏହା କହିଛନ୍ତି। ରେଣୁକା ୧୯୯୦ ଓ ୧୯୯୬ରେ ୧୩ ଜଣ ପିଲାଙ୍କୁ ଅପହରଣ କରିଥିଲା ଏବଂ ସେମାନଙ୍କ ମଧ୍ୟରୁ ୯ ଜଣଙ୍କୁ ହତ୍ୟା କରିଥିଲା। ତାକୁ ୨୦୦୧ରେ ଟ୍ରାୟଲ କୋର୍ଟ, ୨୦୦୪ରେ ହାଇକୋର୍ଟ ଏବଂ ୨୦୦୬ରେ ସୁପ୍ରିମ୍‌କୋର୍ଟ ମୃତ୍ୟୁଦଣ୍ଡାଦେଶ ଦେଇଥିଲେ।

ରେଣୁକାର ଭଉଣୀ ସୀମା ଓ ମାଆକୁ ମଧ୍ୟ କୋର୍ଟ ଦଣ୍ଡାଦେଶ ଦେଇଥିଲେ କିନ୍ତୁ ଶୁଣାଣି ଚାଲିଥିବା ବେଳେ ସେମାନଙ୍କର ମୃତ୍ୟୁ ହୋଇଥିଲା। ରେଣୁକା ଓ ସୀମା ଭାରତରେ ମୃତ୍ୟୁଦଣ୍ଡାଦେଶ ପାଇବାରେ ପ୍ରଥମ ମହିଳା, ଯାହାକୁ ୨୦୨୨ରେ ବମ୍ବେ ହାଇକୋର୍ଟ ଆଜୀବନ କାରାଦଣ୍ଡକୁ ପରିବର୍ତ୍ତନ କରିଥିଲେ। ରେଣୁକାର ଦୟା ଆବେଦନକୁ ସେ ଆବେଦନ କରିବାର ୭ ବର୍ଷ ୧୦ ମାସ ପରେ ୨୦୦୮ରେ ମହାରାଷ୍ଟ୍ର ରାଜ୍ୟପାଳ ପ୍ରତ୍ୟାଖ୍ୟାନ କରିଥିଲେ। ରାଜ୍ୟପାଳ ନିଷ୍ପତ୍ତି ନେବାରେ ୫ ବର୍ଷରୁ ଅଧିକ ବିଳମ୍ବ କରିଥିବାରୁ ସୁପ୍ରିମ୍‌କୋର୍ଟଙ୍କ ‘ଜଗଦୀଶ ବନାମ ମଧ୍ୟପ୍ରଦେଶ ସରକାର’ ମାମଲାର ରାୟକୁ ଆଧାର କରି ବମ୍ବେ ହାଇକୋର୍ଟ ୨୦୨୨ରେ ଉକ୍ତ ମୃତ୍ୟୁଦଣ୍ଡାଦେଶକୁ ଆଜୀବନ କରାଦଣ୍ଡକୁ ପରିବର୍ତ୍ତନ କରିଥିଲେ। ବମ୍ବେ ହାଇକୋର୍ଟଙ୍କ ଜାନୁଆରି ୧୮, ୨୦୨୨ର ରାୟ ଉପରେ ହସ୍ତକ୍ଷେପ କରିବାକୁ ମନା କରି ଜଷ୍ଟିସ୍ ଏମ୍‌ଆର୍ ଶାହ ଓ ସିଟି ରବିକୁମାରଙ୍କ ଖଣ୍ଡପୀଠ କ୍ଷମା ଆବେଦନଗୁଡ଼ିକ ଉପରେ ନିଷ୍ପତ୍ତି ନେବାରେ ଅଯଥା ବିଳମ୍ବ ନ କରିବା ପାଇଁ ସମସ୍ତ ରାଜ୍ୟ ସରକାର ଓ ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି। ଏହାଦ୍ବାରା ମୃତ୍ୟୁଦଣ୍ଡାଦେଶର ଅସଲ ଉଦ୍ଦେଶ୍ୟ ପୂରଣ ହୋଇପାରୁ ନାହିଁ।

୨୦୦୮ରେ ରାଜ୍ୟପାଳ ରେଣୁକାର ଆବେଦନକୁ ପ୍ରତ୍ୟାଖ୍ୟାନ କରିବା ପରେ ସେ ରାଷ୍ଟ୍ରପତିଙ୍କୁ କ୍ଷମା ଆବେଦନ କରିଥିଲା। ରାଷ୍ଟ୍ରପତି ମଧ୍ୟ ୨୦୧୪ରେ ତାଙ୍କ ବିରୋଧରେ ନିଷ୍ପତ୍ତି ଶୁଣାଇଥିଲେ। ନିଷ୍ପତ୍ତି ନେବାରେ ମାତ୍ରାଧିକ ବିଳମ୍ବ ହୋଇଥିବାରୁ ନିୟମାନୁାୟୀ ହାଇକୋର୍ଟ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିଥିଲେ।