ଦିଲ୍ଲୀ ସରକାରଙ୍କ ଘରେ ଘରେ ରାସନ ପହଞ୍ଚାଇବା ଯୋଜନା: ହାଇକୋର୍ଟଙ୍କ ନିର୍ଦ୍ଦେଶରେ ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଦିଲ୍ଲୀ ସରକାରଙ୍କ ଘରେ ଘରେ ରାସନ ପହଞ୍ଚାଇବା ଯୋଜନା ‘ମୁଖ୍ୟମନ୍ତ୍ରୀ ଘର ଘର ରାସନ ଯୋଜନା’କୁ ଅନୁମତି ଦେଇ ଦିଲ୍ଲୀ ହାଇକୋର୍ଟ ଗତ ସେପ୍ଟେମ୍ବର ୨୭ ତାରିଖରେ ଯେଉଁ ରାୟ ଦେଇଥିଲେ ‌କେନ୍ଦ୍ର ସରକାର ତାହାକୁ ଚ୍ୟାଲେଂଜ କରିଛନ୍ତି ଏବଂ ସୁପ୍ରିମକୋର୍ଟରେ ଏକ ଏସଏଲ୍‌ପି ଦାଖଲ କରିଛନ୍ତି। ‌ତେବେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଆବେଦନର ଶୁଣାଣି କରିବାକୁ ମନା କରିଦେଇଛନ୍ତି। ଦିଲ୍ଲୀ ହାଇକୋର୍ଟଙ୍କ ଅନ୍ତରୀଣ ରାୟ ଉପରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବେ ନାହିଁ ବୋଲି କହିଛନ୍ତି। ଅନ୍ୟପକ୍ଷେ ଦିଲ୍ଲୀ ହାଇକୋର୍ଟ ଆସନ୍ତା ୨୨ ତାରିଖରେ ଏହି ମାମଲାରେ ଶୁଣାଣି କରିବାପାଇଁ ଜଷ୍ଟିସ୍‌ ଏଲ୍‌ ନାଗେଶ୍ବର ରାଓ ଏବଂ ଜଷ୍ଟିସ୍‌ ବିଆର୍‌ ଗଭାଇ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀ ସରକାର ସୁପ୍ରିମକୋର୍ଟଙ୍କୁ କହିଥିଲେ, ଆଜିକାଲି ସବୁକିଛି ଘରେ ପହଞ୍ଚୁଛି। ମଦଠାରୁ ଆରମ୍ଭ କରି ରନ୍ଧାଖାଦ୍ୟ ସବୁକିଛି ଘରେ ପହଞ୍ଚୁଛି। ତେବ ଗଣ ବଣ୍ଟନ ବ୍ୟବସ୍ଥା ଅଧୀନରେ ସମସ୍ତଙ୍କ ଘରେ ରାସନ ପହଞ୍ଚିଲେ ଅସୁବିଧା କେଉଁଠି ରହିଲା।

କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଂଜ କରି କହିଛନ୍ତି, କେନ୍ଦ୍ର ସରକାର ଏକ ସମାନ୍ତରାଳ ବଣ୍ଟନ ଯୋଜନା ପରିଚାଳନା କରିବାକୁ ଚେଷ୍ଟା କରୁଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ‘ୱାନ୍‌ ନେସନ୍‌, ୱାନ୍‌ ରେସନ କାର୍ଡ’ ଯୋଜନା ଉପରେ ଏହା ପ୍ରଭାବ ପକାଇବ। ଅଭାବୀଙ୍କୁ ଖାଦ୍ୟ ବଣ୍ଟନ ନେଇ ଏନ୍‌ଏଫ୍‌ଏସଏ (ଜାତୀୟ ଖାଦ୍ୟ ସୁରକ୍ଷା ଆଇନ) ଅଧୀନରେ ଥିବା ବ୍ୟବସ୍ଥାର ଏହାର ବିରୁଦ୍ଧାଚରଣ କରୁଛି ବୋଲି କେନ୍ଦ୍ର ସରକାର କହିଛନ୍ତି।

ସମ୍ବନ୍ଧିତ ଖବର