କର୍ତ୍ତବ୍ୟ ପଥରେ ବିଶ୍ବ ଦେଖିବ ଓଡ଼ିଶୀ, ଛଉ

ନୂଆଦିଲ୍ଲୀ : ଆସନ୍ତା ରାଷ୍ଟ୍ରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବରେ ଦିଲ୍ଲୀର କର୍ତ୍ତବ୍ୟ ପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଦେଖିବାକୁ ମିଳିବ ନାହଁ। ହେଲେ କର୍ତ୍ତବ୍ୟ ପଥରେ ଓଡ଼ିଶାର କଳା ଏବଂ ସଂସ୍କୃତିର ଝଲକ ଦେଖିବାକୁ ମିଳିବ; ଯେଉଁଥିରେ ଓଡ଼ିଶୀ ନୃତ୍ୟ, ସାହିଯାତ ଏବଂ ଛଉ ନୃତ୍ୟ ସାମିଲ ହୋଇଛି। କର୍ତ୍ତବ୍ୟ ପଥରେ ପରେଡ୍‌ ଶେଷରେ ୧୦ ମିନିଟ ଅବଧିର ‘ବନ୍ଦେ ଭାରତ’ ନାମକ ନୃତ୍ୟ ପରିବେଷଣ କରାଯିବ। ଏହି ନୃତ୍ୟରେ ଦେଶର ପାରମ୍ପରିକ ତଥା ଶାସ୍ତ୍ରୀୟ ନୃତ୍ୟକୁ ସାମିଲ କରାଯାଇଛି। ଏଥି ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟର ଆଞ୍ଚଳିକ ସାଂସ୍କୃତିକ କେନ୍ଦ୍ରମାନଙ୍କ ଜରିଆରେ ପ୍ରତିଯୋଗିତା କରାଯାଇଥିଲା। ପ୍ରତିଯୋଗିତାରେ ଚୟନ ହୋଇ ୫୦୦ କଳାକାର ଦିଲ୍ଲୀରେ ପହଞ୍ଚିଛନ୍ତି।

କଟକ ଓ ଭୁବନେଶ୍ବରରେ ଥିବା ଓଡ଼ିଶୀ ନୃତ୍ୟାନୁଷ୍ଠାନମାନଙ୍କରୁ ମୋଟ ୯ ଜଣ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଏଥର ବନ୍ଦେ ଭାରତ ନୃତ୍ୟରେ ସାମିଲ ହୋଇଛନ୍ତି। ଚଳିତ ମାସ ୫ରୁ ଦିଲ୍ଲୀସ୍ଥିତ ଇନ୍ଦିରାଗାନ୍ଧି ଇନ୍‌ଡୋର ଷ୍ଟାଡିୟମ୍‌ରେ ନୃତ୍ୟ ତାଲିମ ନେଉଛନ୍ତି। ଏହା ସହିତ ବନ୍ଦେ ଭାରତ ନୃତ୍ୟ ମହୋତ୍ସବରେ ଶ୍ରୀକ୍ଷେତ୍ର ସାହିଯାତର ଝଲକ ମଧ୍ୟ ଦେଖିବାକୁ ମିଳିବ। ରଙ୍ଗଶାଳା ଅନୁଷ୍ଠାନର କଳାକାରମାନେ ପୁରୀର ପାରମ୍ପରିକ ରାବଣ, ନାଗା ଓ ମେଢ଼ ନୃତ୍ୟ ପରିବେଷଣ କରିବେ। ମୟୂରଭଞ୍ଜର ଛଉ ନୃତ୍ୟକୁ ମଧ୍ୟ ‘ବନ୍ଦେ ଭାରତ’ ନୃତ୍ୟରେ ସାମିଲ କରାଯାଇଛି। କଳାକାରମାନଙ୍କ ଦ୍ବାରା ‘ବନ୍ଦେ ଭାରତ’ ନୃତ୍ୟ ଜରିଆରେ ‘ବସୁଧୈବ କୁଟୁମ୍ବକମ୍‌’ ଓ ‘ୟୁନିଟି ଇନ୍‌ ଡାଇଭର୍ସିଟି’ ବାର୍ତ୍ତା ଦିଆଯିବ।

ସାଧାରଣତନ୍ତ୍ର ଦିବସ ପୂର୍ବରୁ ଜାନୁ୍ଆରି ୨୩ରେ କର୍ତ୍ତବ୍ୟ ପଥରେ ପୂର୍ଣ୍ଣ ପୋଷାକରେ ପୂର୍ବାଭ୍ୟାସ କରାଯିବ ତଥା ‘ବ‌ନ୍ଦେ ଭାରତ ନୃତ୍ୟ’କୁ ଉପସ୍ଥାପନ କରାଯିବ। ‘ବନ୍ଦେ ଭାରତ ମହୋତ୍ସବ-୨୦୨୩’ରେ ଏଥର ନାରୀ ଶକ୍ତି ବି‌ଷୟବସ୍ତୁ ରହିଛି। ଏଥି ପାଇଁ ଦେଶର ଜଣାଶୁଣା ୪ ଜଣ କୋରିଓଗ୍ରାଫରଙ୍କୁ ନିୟୋଜିତ କରାଯାଇଛି। ଏଥିରେ ଖ୍ୟାତି ସଂପନ୍ନ ଓଡ଼ିଶୀ ନୃତ୍ୟାଙ୍ଗନା କବିତା ଦ୍ବିବେଦୀ ସ୍ଥାନ ପାଇଛନ୍ତି। ପ୍ରସିଦ୍ଧ କୋରିଓଗ୍ରାଫର୍‌ଙ୍କ ଟିମରେ ସ୍ଥାନ ମିଳିବା ସୌଭାଗ୍ୟର କଥା ଏବଂ କର୍ତ୍ତବ୍ୟ ପଥରେ ପରିବେଷଣ ହେବାକୁ ଥିବା ନୃତ୍ୟକୁ ସଫଳ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରାଯାଉଛି ବୋଲି ‘ସମ୍ବାଦ’କୁ ପ୍ରତିକ୍ରିୟାରେ କହିଛନ୍ତି କବିତା। ଗତବର୍ଷ ରାଜପଥରେ ‘ବନ୍ଦେ ମାତରମ’ ନୃତ୍ୟ ଉତ୍ସବରେ କବିତା ଦ୍ବିବେଦୀ ସଂଯୋଜିକା ଭୂମିକା ନିର୍ବାହ କରିଥିଲେ। ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବା ପରେ ଦ୍ରୌପଦୀ ମୁର୍ମୁ କର୍ତ୍ତବ୍ୟ ପଥର ସାଧାରଣତନ୍ତ୍ର ଦିବସ ପରେଡରେ ଅଭିବାଦନ ଗ୍ରହଣ କରିବେ। ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ବନ୍ଦେ ଭାରତ ନୃତ୍ୟ ଜରିଆରେ ୫୦୦ କଳାକାର ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପ‌ାଇବେ।

ସମ୍ବନ୍ଧିତ ଖବର