ଚୀନର ମୁକାବିଲା ଲାଗି ଗୋପନରେ ୬ଟି ପରମାଣୁ ଚାଳିତ ବୁଡାଜାହଜ ନିର୍ମାଣ କରୁଛି ଭାରତ

ପାକିସ୍ତାନର ଗ୍ଵାଦର ବନ୍ଦରରେ ଚୀନର ଉପସ୍ଥିତିକୁ ନେଇ ଭାରତର ଚିନ୍ତା

ନୂଆଦିଲ୍ଲୀ : ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚୀନ ନୌସେନାର ପ୍ରଭାବ କ୍ରମାଗତଭାବେ ବଢୁଥିବାରୁ ତାହାର ମୁକାବିଲା ପାଇଁ ସଜବାଜ ହେଉଛି ଭାରତ । ଏଥିଲାଗି ଭାରତ ପକ୍ଷରୁ ଗୋପନରେ ୬ଟି ପରମାଣୁ ଶକ୍ତି ଚାଳିତ ସାମରିକ ବୁଡ଼ାଜାହଜ ନିର୍ମାଣ ପ୍ରକ୍ରିୟା ଆରମ୍ଭ କରାଯାଇଛି ।

“ମୁଁ କେବଳ ଏତିକି କହିପାରିବି ଯେ ସେଗୁଡିକର ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହା ଏକ ଗୋପନ ପ୍ରକଳ୍ପ ହୋଇଥିବାରୁ ଆଉ ଅଧିକ କହିପାରିବି ନାହିଁ” ବୋଲି କହିଛନ୍ତି ନୌସେନା ମୁଖ୍ୟ ଆଡମିରାଲ ସୁନୀଲ ଲାନବା ।

ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚୀନ ନିଜର ସାମରିକ ଓ କୂଟନୈତିକ ପ୍ରଭାବ ବଢାଇବା ପାଇଁ ଉଦ୍ୟମ କରିଚାଲିଛି । ବିଶେଷକରି ଏ ଅଞ୍ଚଳରେ ଆମେରିକାର ପ୍ରଭାବ ହ୍ରାସ ଓ ଭାରତ, ଜାପାନକୁ ଘେରିବା ପାଇଁ ଚୀନ ଏକ ବୃହତ୍‌ ରଣନୀତି ଉପରେ କାର୍ଯ୍ୟ କରୁଛି । ଏହାର ମୁକାବିଲା ଲାଗି ଏକାଠି ହୋଇଛନ୍ତି ଆମେରିକା, ଜାପାନ, ଭାରତ ଓ ଅଷ୍ଟ୍ରେଲିଆ । ଗତ ମାସରେ ଏହି ୪ଟି ଦେଶ ଏକ ବୈଠକ କରି ଏ ଅଞ୍ଚଳରେ ଚୀନର ପ୍ରଭାବ କମାଇବାକୁ ଆବଶ୍ୟକ ସାମରିକ ନୀତି ପ୍ରସ୍ତୁତ କରି ଆଗେଇବାକୁ ଆଲୋଚନା କରିଥିଲେ । ଆବଶ୍ୟକ ପଡିଲେ ଚୀନକୁ ରୋକିବା ପାଇଁ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରାଯିବା ଉପରେ ଏହି ଦେଶମାନେ ରାଜି ହୋଇଥିବା ଜଣାଯାଇଛି ।

ପାକିସ୍ତାନର ଗ୍ଵାଦର ବନ୍ଦରରେ ଚୀନ ନୌସେନାର ଉପସ୍ଥିତି ଭବିଷ୍ୟତରେ ଭାରତର ସୁରକ୍ଷା ପାଇଁ ବିପଦ ସୃଷ୍ଟି କରିବାର ଆଶଙ୍କା ଥିବାରୁ ତାହାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପଡିବ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର