ପତାକା ଉତ୍ତୋଳନ ପାଇଁ ମଞ୍ଚ ଉପରେ ଅଧ୍ୟକ୍ଷ ଓ ବିଧାୟକ ଲାଗିଲେ ଝଗଡ଼ା

ନୂଆଦିଲ୍ଲୀ: ବିହାରର ମହୁଆରୁ ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି। ଅଗଷ୍ଟ ୧୫ ଅର୍ଥାତ ସ୍ବାଧୀନତା ଦିବସ ଅବସରରେ ତ୍ରିରଙ୍ଗା ଉଡ଼ାଇବା ପାଇଁ କଲେଜ ଅଧ୍ୟକ୍ଷ ଓ ଜେଡିୟୁର ପୂର୍ବତନ ବିଧାୟକଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗିଥିଲା। ଏମିତି କି ଉଭୟ ଉଭୟଙ୍କୁ ମାଡ଼ ବି ମାରିଥିଲେ। ଏହି ଘଟଣାର ଦୃଶ୍ୟକୁ କେହି ଜଣେ କୈଦ କରି ସୋସିଆଲ ମିଡିଆରେ ପୋଷ୍ଟ କରି ଦେଇଥି‌ଲେ। ପରେ ଏହା ଭାଇରାଲ ହୋଇଯାଇଛି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ମହୁଆର ଅକ୍ଷୟବଟ ରାଏ କଲେଜର ‌ବୋଲି କୁହାଯାଉଛି। ଯେଉଁଥିରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି କି, ୭୭ତମ ସ୍ବାଧୀନତା ଦିବସରେ ତ୍ରିରଙ୍ଗା ଉଡ଼ାଇବା ପାଇଁ ମଞ୍ଚ ଉପରେ ‌ଜେଡିୟୁର ପୂର୍ବତନ ବିଧାୟକ ରବିନ୍ଦ୍ର ରାଏ ଓ କଲେଜ ଅଧ୍ୟକ୍ଷ ପିଏଲ ଯାଦବ ପହଞ୍ଚୁଛନ୍ତି।

ମଞ୍ଚ ଉପରେ ପତାକା ଉତ୍ତୋଳନ ପାଇଁ କଲେଜ ଅଧ୍ୟକ୍ଷ ଛିଡ଼ା ହୋଇଥିବା ବେଳେ ରବିନ୍ଦ୍ର ରାଏ ତାଙ୍କୁ କିଛି କହୁଛନ୍ତି। ଏହାପରେ ଦୁହିଁଙ୍କ ମଧ୍ୟରେ କଥ‌ା କଟାକଟି ହେଉଛି। କିଛିସମୟ ପରେ ଦୁହେଁ ସମସ୍ତଙ୍କ ସାମ୍ନାରେ ମାଡ଼ଗୋଳ ବି ଲାଗି ଯାଉଛନ୍ତି। ଏଭଳି ପରିସ୍ଥିତିକୁ ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ପୁଲିସ କର୍ମଚାରୀ ଦୁହିଁଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରୁଛନ୍ତି।  ଏମିତି ପତାକା ତଳେ ପଡ଼ିବାକୁ ବି ଯାଉଥିଲା। ତେବେ ପତାକାକୁ ଯିଏ ଅସମ୍ମାନ କରି‌ବେ ତାଙ୍କୁ ୩ବର୍ଷ ପର୍ଯ୍ୟନ୍ତ ଜେଲ ବି ହୋଇପାରେ ବୋଲି ନିୟମ ରହିଛି।

ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ‌ହେବାପରେ ବିଭିନ୍ନ ମହଲରେ ଏହାକୁ ନେଇ ତୀବ୍ର ସମାଲୋଚନା କରାଯାଉଛି।

ସମ୍ବନ୍ଧିତ ଖବର