ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶକୁ ମୋଦୀଙ୍କ ବଡ଼ ଭେଟି: ୭୫ ହଜାର ଲୋକଙ୍କୁ ବାଣ୍ଟିଲେ ଘର

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡ଼ ଭେଟି । ମଙ୍ଗଳବାର ଲକ୍ଷ୍ନୌରେ ନ୍ୟୁ ଅର୍ବାନ ଇଣ୍ଡିଆନ୍ ଥିମ ଉପରେ ଆୟୋଜିତ ଏକ ତିନିଦିନିଆ କନକ୍ଲେଭରେ ୭୫ ହଜାର ଲୋକଙ୍କୁ ଆବାସ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ତେବେ ଇନ୍ଦିରା ଗାନ୍ଧୀ ପ୍ରତିଷ୍ଠାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦୀ ଉଦଘାଟିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ କେନ୍ଦ୍ରମନ୍ତ୍ରୀ ହରିଦୀପ ସିଂହ ପୁରୀ ମଧ୍ୟ ସାମିଲ ଥିଲେ ।

ଖାଲି ସେତିକି ନୁହେଁ, ପ୍ରଧାନମନ୍ତ୍ରୀ ମୋଦୀ ସ୍ମାର୍ଟ ସିଟି ମିଶନରେ ଆଗ୍ରା, ଅଲିଗଡ, ବରେଲି, ଝାନ୍ସୀ, କାନପୁର, ଲକ୍ଷ୍ନୌ, ପ୍ରୟାଗରାଜ, ସହାରନପୁର, ମୁରଦାବାଦ ଓ ଅଯୋଧ୍ୟାରେ ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର, ଇଣ୍ଟେଲିଜେଣ୍ଟ ଟ୍ରାଫିକ୍ ମ୍ୟାନେଜମେଣ୍ଟ ସିଷ୍ଟମର ଶୁଭାରମ୍ଭ କରିଥିଲେ । ତା ସହିତ ଅମୃତ ମିଶନରେ ପ୍ରଧାନମନ୍ତ୍ରୀ ରାଜ୍ୟର ବିଭିନ୍ନ ସହରରେ ଜଳ ନିଗମ ଦ୍ୱାରା ନିର୍ମିତ ୪୩୭୩ କୋଟି ଟଙ୍କାର ବିଭିନ୍ନ ପାନୀୟ ଜଳ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କରିଥିଲେ ।

ସୂଚନାଯୋଗ୍ୟ ଯେ, ଆଗକୁ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହା ପୂର୍ବରୁ ସେଠାରେ ଏବେ ରାଜନୀତି ଜୋର ଧରିଛି । ବିଜେପି ଭୋଟରମାନଙ୍କୁ ଆକର୍ଷିତ କରିବାକୁ ନାନାଦି ପ୍ରକଳ୍ପର ଶୁଭାରମ୍ଭ କରୁଛି । ଏହିକ୍ରମରେ ଆଜି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମୋଦୀ ୭୫ ହଜାର ହିତାଧିକାରୀଙ୍କୁ ଘର ବାଣ୍ଟିଛନ୍ତି । ତତ୍ ସହିତ ୭୫ ସ୍ମାର୍ଟ ଇଲେକ୍ଟ୍ରିକ୍ ବସକୁ ମଧ୍ୟ ମୋଦୀ ସବୁଜ ପତାକା ଦେଖାଇ ଆରମ୍ଭ କରିଛନ୍ତି ।
ସମ୍ବନ୍ଧିତ ଖବର