୮ ଘଣ୍ଟା ଧରି ଚାଲିଲା କେନ୍ଦ୍ର ମନ୍ତ୍ରିପରିଷଦ ବୈଠକ : ‘ବିକଶିତ ଭାରତ ୨୦୪୭’ ପାଇଁ ଭିଜନ ଡକ୍ୟୁମେଣ୍ଟ ଉପରେ ଚର୍ଚ୍ଚା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ରବିବାର ମନ୍ତ୍ରିପରିଷଦ ବୈଠକ ବସିଥିଲା।  ପାଖାପାଖି ୮ ଘଣ୍ଟା ଧରି ଏହି ବୈଠକ ଚାଲିଥିଲା। ବୈଠକରେ ବିଭିନ୍ନ ମନ୍ତ୍ରଣାଳୟ ସେମାନଙ୍କ ଭବିଷ୍ୟତ ଏଜେଣ୍ଡା ଉପରେ ଉପସ୍ଥାପନା କରିଥିଲେ। ଏହି ବୈଠକରେ ତାଙ୍କ ସରକାରର ୧୦ ବର୍ଷର ସଫଳତା ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭବିଷ୍ୟତ ପ୍ରାଥମିକତା, ବିଶେଷ କରି ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ଗଠନ ଲକ୍ଷ୍ୟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏପ୍ରିଲ-ମେ ମାସରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ଆଜିର ବୈଠକ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।

୨୦୨୪ ମେ’ ମାସରେ ନୂଆ ସରକାର ଗଠନ ହେବା ପରେ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ୧୦୦ ଦିନିଆ କାର୍ଯ୍ୟସୂଚୀ ଉପରେ ମଧ୍ୟ ଆଜିର ବୈଠକରେ ଆଲୋଚନା ହୋଇଥିଲା। ବିକଶିତ ଭାରତ ୨୦୪୭ ପାଇଁ ଭିଜନ ଡକ୍ୟୁମେଣ୍ଟ ଏବଂ ଆଗାମୀ ୫ ବର୍ଷ ପାଇଁ ଏକ ବିସ୍ତୃତ କାର୍ଯ୍ୟ ଯୋଜନା ଉପରେ ମନ୍ତ୍ରିପରିଷଦ ଆଲୋଚନା କରିଛି।  ୨ ବର୍ଷରୁ ଅଧିକ ସମୟର ଗଭୀର ପ୍ରସ୍ତୁତି ପରେ ବିକଶିତ ଭାରତର ରୋଡ୍ ମ୍ୟାପ୍ ପ୍ରସ୍ତୁତ ହୋଇଛି। ସମସ୍ତ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାର, ଶିକ୍ଷାନୁଷ୍ଠାନ, ଶିଳ୍ପ ସଂସ୍ଥା, ନାଗରିକ ସମାଜ, ବୈଜ୍ଞାନିକ ସଂଗଠନ ସହିତ ବ୍ୟାପକ ବିଚାର ବିମର୍ଶ ପରେ ଏହାକୁ ପ୍ରସ୍ତୁତ କରାଯାଇଛି। ୨୭୦୦ରୁ ଅଧିକ ସଭା, କର୍ମଶାଳା ଓ ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା।  ୨୦ ଲକ୍ଷରୁ ଅଧିକ ଯୁବକଙ୍କ ପ୍ରସ୍ତାବ ସରକାରଙ୍କୁ ମିଳିଥିଲା।

ସମ୍ବନ୍ଧିତ ଖବର