କୋର୍ଟ ଭଙ୍ଗାରୁଜା କରୁଥିବା ଓକିଲଙ୍କ ସହ ଭଦ୍ର ବ୍ୟବହାରର ଆବଶ୍ୟକତା ନାହିଁ; ସେମାନଙ୍କୁ ହାଜତରେ ପୁରାଅ : ପୁଲିସ୍‌କୁ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବିରେ ଚାଲିଥିବା ଧର୍ମଘଟ ସମୟରେ ଓକିଲମାନେ ଅଦାଲତ ପରିସରରେ ଭଙ୍ଗାରୁଜା କରିବା ଘଟଣାରେତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଶୀର୍ଷ ଅଦାଲତ ସୁପ୍ରିମ୍‌କୋର୍ଟ। ଆନ୍ଦୋଳନ ସମୟରେ ଭଙ୍ଗାରୁଜା କରୁଥିବା ଓକିଲଙ୍କ ସହ ଭଦ୍ରୋଚିତ ବ୍ୟବହାରର ଆବଶ୍ୟକତା ନାହିଁ; ସେମାନଙ୍କୁ ହାଜତରେ ପୁରାଅ ଏବଂ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରବୋଲି ସୁପ୍ରିମକୋର୍ଟ ସୋମବାର ଓଡ଼ିଶା ରାଜ୍ୟ ସରକାର ଏବଂ ରାଜ୍ୟ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

ପଶ୍ଚିମ ଓଡ଼ିଶାର ସମ୍ବଲପୁରରେ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ଗଠନ ଦାବିରେ ଧର୍ମଘଟ ସମୟରେ ଅଦାଲତ ପରିସରରେ ଓକିଲମାନଙ୍କର ଭଙ୍ଗାରୁଜାର ଭିଡିଓ ଫୁଟେଜ ଦେଖିବା ପରେ ସୁପ୍ରିମ୍‌କୋର୍ଟର ବିଚାରପତି ଜଷ୍ଟିସ ଏସ କେ କୌଲ ଏବଂ ଜଷ୍ଟିସ୍‌ ଏଏସ ଓକାଙ୍କୁ ନେଇ ଗଠିତ ଖଣ୍ଡପୀଠ ଓଡ଼ିଶା ରାଜ୍ୟ ସରକାର ଏବଂ ପୁଲିସ ମହାନିର୍ଦ୍ଦେଶକଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆସନ୍ତାକାଲି ପରେ କୋର୍ଟରେ ଭିଡିଓ କନଫରେନ୍‌ସିଂ ମାଧ୍ୟମରେ ଉପସ୍ଥିତ ରହି ବିକ୍ଷୋଭକାରୀ ଓକିଲଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ସଂପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିବାକୁ କହିଛନ୍ତି।

ଆଜିର ଶୁଣାଣି କାଳରେ ଜଷ୍ଟିସ୍‌ ଓକା ପଚାରିଥିଲେ ଯେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ଶେଷ ଆଦେଶ ପରେ ମଧ୍ୟ ଏହି ପରିସ୍ଥିତି ଉପୁଜିଛି ? ଯେଉଁଥିରେ କୋର୍ଟ ବିକ୍ଷୋଭକାରୀ ଓକିଲମାନଙ୍କୁ କାର୍ଯ୍ୟକୁ ଫେରିବାକୁ କିମ୍ବା ଅବମାନନା କାର୍ଯ୍ୟାନୁଷ୍ଠାନ ଏବଂ ଲାଇସେନ୍‌ସ ବାତିଲ ରଖିବାକୁ ନିର୍ଦ୍ଦିଷ୍ଟ ଭାବରେ ଚେତାବନୀ ଦେଇଥିଲେ। ଯଦି ବିକ୍ଷୋଭକାରୀ ଓକିଲ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଓ ପରାମର୍ଶ ମାନିବାକୁ ପ୍ରସ୍ତୁତ ନୁହନ୍ତି ତେବେ ରାଜ୍ୟ ପୁଲିସ୍‌ ପ୍ରଶାସନ ସେମାନଙ୍କୁ ଅବିଳମ୍ବେ ଗିରଫ କରୁ ବୋଲି ଜଷ୍ଟିସ କୌଲ କହିଥିଲେ।

ଆନ୍ଦୋଳନକାରୀ ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରେ ପୁଲିସର ବିଫଳତାକୁ ଆମେ ଗୁରୁତ୍ୱର ସହ ଗ୍ରହଣ କରୁଛୁ। ଆମେ ପୁଲିସ୍‌ ମହାନିର୍ଦ୍ଦେଶକ ଏବଂ ପୁଲିସ ଅଧିକାରୀଙ୍କ ଠାରୁ ଜାଣିବାକୁ ଚାହୁଁଛୁ ଯେ ଭଙ୍ଗାରୁଜା ମାମଲାରେ ପୁଲିସ୍‌ କି ପଦକ୍ଷେପ ଗ୍ରହଣ କରିଛି। ଆମ ନିର୍ଦ୍ଦେଶ ପରେ କେତେ ଓକିଲଙ୍କ ଲାଇସେନ୍‌ସ ବାତିଲ ହୋଇଛି ବାର୍‌ କାଉନସିଲ୍‌ ଠାରୁ ଆମେ ଜାଣିବାକୁ ଚାହୁଁଛୁ ବୋଲି ଜଷ୍ଟିସ୍‌ କୌଲ୍ କହିଛନ୍ତି। ଯଦି ସର୍ବୋଚ୍ଚ ଅଦାଲତଙ୍କ ଆଦେଶକୁ କାର୍ଯ୍ୟକାରୀ କରିବାରେ ଯଦି ରାଜ୍ୟ ପୁଲିସ ପ୍ରଶାସନ ବିଫଳ, ତେବେ ଆମକୁ କହନ୍ତୁ ଆମେ ଅର୍ଦ୍ଧସାମରିକ ବାହିନୀ ପଠାଇବୁ ବୋଲି ଖଣ୍ଡପୀଠ କହିଛନ୍ତି।

ଜଷ୍ଟିସ୍‌ କୌଲ ଆହୁରି ମଧ୍ୟ ମନ୍ତବ୍ୟ ଦେଇଛନ୍ତି, ଆମେ ଏହିପରି ସ୍ଥାନରେ ବେଞ୍ଚ ସ୍ଥାପନ କରିବାକୁ କେବେ ବି ଅନୁମତି ଦେବୁ ନାହିଁ, ଯେଉଁଠି ଓକିଲମାନଙ୍କର ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ପ୍ରତି ସମ୍ମାନ ନାହିଁ।  ଯଦି ତାହା ହୁଏ ତେବେ ଆମେ ହସ୍ତକ୍ଷେପ କରିବୁ। କାରଣ, ଏହିପରି ଓକିଲମାନେ ଏହାର ଯୋଗ୍ୟ ନୁହଁନ୍ତି।

ସମ୍ବନ୍ଧିତ ଖବର