ଶ୍ରୀଲଙ୍କାର ହମ୍ବନଟୋଟା ବନ୍ଦରରେ ଥିବା ଚୀନ୍ ଜାହାଜକୁ ନେଇ ଭାରତ କାହିଁକି ଚିନ୍ତିତ ? ଚୀନ କରୁଛି କି ଚକ୍ରାନ୍ତ ? ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ: ଚୀନ୍ ଜାହାଜ ପାଇଁ ଭାରତ କାହିଁକି ଚିନ୍ତିତ ? ୟୁଆନ୍ ୱାଙ୍ଗ-୫ ଜାହାଜ ପାଇଁ ଭାରତର ଚିନ୍ତା ପଛରେ ମୁଖ୍ୟ କାରଣ କ’ଣ ?  ହମ୍ବନ୍‌ଟୋଟା ବନ୍ଦର କାହିଁକି ଭାରତ ପାଇଁ ମୁଣ୍ଡବିନ୍ଧାର କାରଣ ହେଲା ।  ଭାରତର ସୁରକ୍ଷା ପ୍ରତି ହମ୍ବନ୍‌ଟୋଟା ବନ୍ଦର କାହିଁକି ସମ୍ବେଦନଶୀଳ ?  ବର୍ତ୍ତମାନ ଚୀନ କୌଣସି ବଡ଼ ପ୍ରସ୍ତୁତି କରୁଛି କି ? ଏହା ଉପରେ ବିଶେଷଜ୍ଞଙ୍କ ମତ କ’ଣ ରହିଛି।

ଭାରତର ଚିନ୍ତା ପଛରେ ମୁଖ୍ୟ କାରଣ:

୧.ପ୍ରତିରକ୍ଷା ବିଶେଷଜ୍ଞ ଅଭିଷେକ ପ୍ରତାପ ସିଂ କହିଛନ୍ତି ଯେ, ଶ୍ରୀଲଙ୍କାର ହମ୍ବନ୍‌ଟୋଟା ବନ୍ଦରର ଭୌଗୋଳିକ ସ୍ଥିତି ଏବଂ ଏହା ଉପରେ ଚୀନର ପ୍ରଭାବ ବୃଦ୍ଧି ପାଉଥିବାରୁ ଭାରତର ଚିନ୍ତା ବଢ଼ିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଶ୍ରୀଲଙ୍କାର  ହମ୍ବନ୍‌ଟୋଟା ବନ୍ଦରରୁ ଚେନ୍ନାଇ ବନ୍ଦରର ଦୂରତା ମାତ୍ର  ୫୩୫ ସମୁଦ୍ରିକ ମାଇଲ୍ ଅର୍ଥାତ ୯୯୦ କିଲୋମିଟର । ସେଠାରୁ ଭାରତର କୋଚି ବନ୍ଦରର ଦୂରତା ପ୍ରାୟ ୬୦୯ ସମୁଦ୍ରିକ ମାଇଲ୍ କିମ୍ବା ୧୧୨୮ କିଲୋମିଟର। ସେହିପରି  ଭାରତର ବିଶାଖାପଟନମ୍ ବନ୍ଦରରୁ ହମ୍ବନ୍‌ଟୋଟାର ଦୂରତା ହେଉଛି ୮୦୨  ସମୁଦ୍ରିକ ମାଇଲ୍ ଅଥବା ୧୪୮୫ କିଲୋମିଟର । ସାମରିକ ରଣନୀତି ପାଇଁ ଏହି ଦୂରତା ଅଧିକ ଗୁରୁତ୍ୱପୂର୍ଣ୍ଣ ନୁହେଁ । ଏହି ବନ୍ଦରକୁ ଚୀନ୍ ନୌସେନାର ଆଗମନ ଅର୍ଥ ଭାରତର ଅତି ନିକଟରେ ପହଞ୍ଚିବା । ଚୀନ୍ ଏହି ବନ୍ଦରକୁ ସାମରିକ କାର୍ଯ୍ୟକଳାପ ପାଇଁ ବ୍ୟବହାର କରିପାରେ ବୋଲି ଭାରତ ଚିନ୍ତା କରୁଛି।

NDTV.com

୨. ଚୀନ୍ ଏହି ଜାହାଜକୁ ଏକ ଅନୁସନ୍ଧାନକାରୀ ବା ସର୍ଭେ ଜାହାଜ ବୋଲି ଦାବି କରିଛି । ମାତ୍ର ଉପଗ୍ରହ, ରକେଟ୍ ଏବଂ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ଉତକ୍ଷେପଣକୁ ଟ୍ରାକ୍ କରିବା ଲାଗି  ଚୀନ୍ ଏହି ଶ୍ରେଣୀର ଜାହାଜ ବ୍ୟବହାର କରିଥାଏ । ଏହି ଜାହାଜଗୁଡ଼ିକ ପ୍ରଶାନ୍ତ ମହାସାଗର, ଆଟଲାଣ୍ଟିକ୍ ଏବଂ ଭାରତ ମହାସାଗର ଅଞ୍ଚଳରେ କାର୍ଯ୍ୟ କରିବାରେ ସକ୍ଷମ । ଭାରତ ସହିତ ଆମେରିକା ମଧ୍ୟ ଏହା ଉପରେ ଉଦବେଗ ପ୍ରକାଶ କରିଛି ।ଚୀନର ଏହି ଜାହାଜଗୁଡ଼ିକ ସେନା ପିଏଲଏର  ସାମରିକ ସମର୍ଥନ ଫୋର୍ସ (ଝଝୠ) ଦ୍ୱାରା ପରିଚାଳିତ । ଏହା ପିଏଲଏର ରଣନୀତି, ସାଇବର-ଇଲେକ୍ଟ୍ରୋନିକ୍,  ସୂଚନା ଏବଂ ଯୁଦ୍ଧ ମିସନର ତଦାରଖ କରିଥାଏ।

୩. ହମ୍ବନ୍‌ଟୋଟା ବନ୍ଦରରେ ଚୀନ୍‌ର ହସ୍ତକ୍ଷେପ ଭାରତ ପାଇଁ ଚିନ୍ତାର ବିଷୟ ଅଟେ । ଭାରତର ଚିନ୍ତା ହେଉଛି ଚୀନ ସେନା ବର୍ତ୍ତମାନ ଏହି ବନ୍ଦରକୁ  ନୌସେନା ଜାହାଜ, ବୁଡ଼ାଜାହାଜର ବିଶ୍ରାମସ୍ଥଳୀ କିମ୍ବା ଇନ୍ଧନ ଭରିବା କାମ ଦେଖାଇ ବ୍ୟବହାର କରିବ । ଏହା ଏକ ସର୍ଭେ ଏବଂ ଗୁପ୍ତଚର ଜାହାଜ ବୋଲି କୁହାଯାଉଛି । ମାତ୍ର ଏହା ହାଇଡ୍ରୋଗ୍ରାଫିକ୍ ସର୍ଭେ ନାମରେ ସମୁଦ୍ର ପତ୍ତନ ଉପରେ ନଜର ରଖିବା ପରି ଅନେକ କାର୍ଯ୍ୟ କରିପାରିବ। ଏହାପୂର୍ବରୁ ଚୀନ୍ ଭାରତ ମହାସାଗରକୁ ଏଭଳି ଜାହାଜ ପଠାଇଛି।

ହମ୍ବନ୍‌ଟୋଟା ବନ୍ଦର କାହିଁକି ଗୁରୁତ୍ବପୂର୍ଣ୍ଣ: 

ବାସ୍ତବରେ, ୧୫୦ ମିଲିୟନ୍ ଡଲାରରେ ନିର୍ମିତ ହମ୍ବନ୍‌ଟୋଟା ବନ୍ଦର ହେଉଛି ଦୁନିଆର ଅନ୍ୟତମ ବ୍ୟସ୍ତବହୁଳ ବନ୍ଦର । ଏହି ବନ୍ଦରକୁ ଚୀନର ସରକାରୀ ସଂସ୍ଥା ଚାଇନା ମର୍ଚାଣ୍ଟ ପୋର୍ଟ ହୋଲଡିଂ ଦ୍ୱାରା ନିର୍ମାଣ କରାଯାଇଛି । ଏହାର ୮୫ ପ୍ରତିଶତ  ଭାଗୀଦାରୀ ଚାଇନା ଏକ୍ସମ ବ୍ୟାଙ୍କର ​​। ନିର୍ମାଣ ପରଠାରୁ ଏହି ବନ୍ଦରକୁ ନେଇ ବିବାଦ ଲାଗି ରହିଥିଲା ​​ଏବଂ ଏହାକୁ ଭାରତ ବିରୋଧ କରିଥିଲା। ଏହି ବନ୍ଦର ଶ୍ରୀଲଙ୍କାର ତତ୍କାଳୀନ ରାଷ୍ଟ୍ରପତି ମହିନ୍ଦା ରାଜପକ୍ଷେଙ୍କ କାର୍ଯ୍ୟକାଳ ସମୟରେ ଚୀନ୍ ସହାୟତାରେ ନିର୍ମିତ ହୋଇଥିଲା । ଏହି ବନ୍ଦରରେ ଚାଇନାରୁ ଆସୁଥିବା ସାମଗ୍ରୀକୁ  ଅନଲୋଡ୍ ଦେଶର ଅନ୍ୟାନ୍ୟ ସ୍ଥାନକୁ ପଠାଯାଇଥାଏ। ଶ୍ରୀଲଙ୍କା ସରକାର ନିଜର ନୂତନ ନିୟମ ମାଧ୍ୟମରେ ଶ୍ରୀଲଙ୍କା ଚୀନ୍‌ର ବାଣିଜ୍ୟିକ କାର୍ଯ୍ୟକଳାପ ଉପରେ ନିୟନ୍ତ୍ରଣ ରଖିବାକୁ  ଚେଷ୍ଟା କରୁଛି ଏବଂ ଏହାର  ସୁରକ୍ଷା  ମଧ୍ୟ ନିଜ ନିୟନ୍ତ୍ରଣରେ ରଖିଛି।

ସମ୍ବନ୍ଧିତ ଖବର