ବିପୁଳ ‌ଭୋଟ ପାଇ ବିଜୟୀ ହେବା ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଯୋଗୀ ଆଦିତ୍ୟନାଥ, କଲେ ଏଭଳି ଅନୁରୋଧ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବାର ତିନି ଦିନ ପରେ ଯୋଗୀ ଆଦିତ୍ୟନାଥ ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ୟୁପି ନିର୍ବାଚନରେ ବିପୁଳ ‌ଭୋଟ ପାଇ ବିଜୟୀ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅଭିନନ୍ଦନ ଜଣାଇଥିବା ବେଳେ ଯୋଗୀ ଆଦିତ୍ୟନାଥ ତାଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିବା ନେଇ ଖବର ମିଳିଛି।

ତେବେ ପ୍ରଧାନମନ୍ତ୍ରୀଙ୍କ ସହ ଯୋଗୀ ଆଦିତ୍ୟନାଥ ଉପ-ରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନାଡ୍ଡା ଏବଂ ଦଳର ଜାତୀୟ ସାଧାରଣ ସମ୍ପାଦକ ବି.ଏଲ୍ ସନ୍ତୋଶଙ୍କୁ ମଧ୍ୟ ଭେଟିଥିବା ଜଣାପଡ଼ିଛି। ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଦିନ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ରାଜ୍ୟପାଳ ଆନନ୍ଦୀବେନ ପଟେଲଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ସେ ଗତ ୩୭ ବର୍ଷ ମଧ୍ୟରେ ପ୍ରଥମ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଯିଏକି ଉତ୍ତରପ୍ରଦେଶରେ ସମ୍ପୂର୍ଣ୍ଣ କାର୍ଯ୍ୟକାଳ ଶେଷ କରିବା ପରେ ପରେ ପୁଣି ଥରେ କ୍ଷମତାକୁ ଫେରୁଛନ୍ତି।

ଗତ ୩୭ ବର୍ଷ ମଧ୍ୟରେ ଉତ୍ତରପ୍ରଦେଶରେ କୌଣସି ମୁଖ୍ୟମନ୍ତ୍ରୀ ଦ୍ବିତୀୟ ଥର ପାଇଁ କ୍ଷମତାକୁ ଆସିନାହାନ୍ତି। ୪ଜଣ ମୁଖ୍ୟମନ୍ତ୍ରୀ ଅତୀତରେ ଉତ୍ତରପ୍ରଦେଶରେ କ୍ଷମତାକୁ ଫେରିଛନ୍ତି କିନ୍ତୁ ସେମାନଙ୍କ ମଧ୍ୟରୁ କେହି ବି ପାଞ୍ଚ ବର୍ଷ କ୍ଷମତାରେ ରହିପାରିନାହାନ୍ତି। ୧୯୮୫ରେ ଶେଷ ଥର ପାଇଁ ଲଗାତାର ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ପଦବୀ ଜିତିବାରେ ସଫଳ ହୋଇଥିଲେ ନାରାୟଣ ଦତ୍ତ ତିୱାରୀ।

ସମ୍ବନ୍ଧିତ ଖବର