୨୦ ୱାର୍ଡ ପରିକ୍ରମା କଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅର୍ପଣ ରଥ

ଭୁବନେଶ୍ୱର: ଆଜି ଭୁବନେଶ୍ବରରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅର୍ପଣ ରଥ ଗଡ଼ିଛି। ନାମ ସଂକୀର୍ତନ, ହରିବୋଲ ହୁଳହୁଳି ସାଙ୍ଗକୁ ଜୟ ଜଗନ୍ନାଥ ଧ୍ୱନୀରେ ଅର୍ପଣ ରଥ ତିନିଟି ଜୋନ୍‌ରେ ୨୦ଟି ୱାର୍ଡ ପରିକ୍ରମା କରିଛି। ବିଏମ୍‌ସି ପକ୍ଷରୁ ୧୩ ତାରିଖ ପର୍ଯ୍ୟନ୍ତ ୬ ଦିନ ଧରି ସମସ୍ତ ୬୭ଟି ୱାର୍ଡରେ ଏହି ରଥ ଗଡ଼ିବା କାର୍ଯ୍ୟକ୍ରମ ରହିଛି। ଲୋକମାନେ ଭକ୍ତିପୂତ ଭାବରେ ଆଜି ରଥରେ ଗୁଆ ଓ ଅରୁଆ ଚାଉଳ ଦେଇ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ କାମନା କରିଛନ୍ତି। ଦକ୍ଷିଣ-ପଶ୍ଚିମ ଜୋନ୍‌ର ୱାର୍ଡ ନଂ ୨୭, ୩୭, ୬୨, ୪୯ ଓ ୨୫ରେ ଏହି ରଥ ପରିକ୍ରମା କରିଥିଲା। ଗଣ୍ଡମୁଣ୍ଡା ହନୁମାନ ମନ୍ଦିରରୁ ଅନୁକୂଳ ହୋଇ ରଥ ବାହାରିଥିଲା।

ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମେୟର ସୁଲୋଚନା ଦାସ, ବିଏମ୍‌ସି କମିନର ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ କମିସନର ସୂର୍ଯ୍ୟବଂଶୀ ମୟୂର ବିକାଶ, ଶୁଭେନ୍ଦୁ କୁମାର ସାହୁଙ୍କ ସହ ସ୍ଥାନୀୟ କର୍ପୋରେଟର, ବିଭିନ୍ନ ଏସଏଚ୍‌ଜି, ସାମାଜିକ ସଂଗଠନ ଓ ଧାର୍ମିକ ସଂଗଠନମାନେ ଏଥିରେ ସାମିଲ ହୋଇଥିଲେ। ଉତ୍ତର ଜୋନ୍‌ର ଆରସିଏମ୍‌ ଜଗନ୍ନାଥ ମନ୍ଦିର, ଶୈଳଶ୍ରୀବିହାର ଓ ପାଣ୍ଡରା ଜଗନ୍ନାଥ ମନ୍ଦିରରୁ ଏହି ରଥ ଗଡ଼ି ୭ଟି ୱାର୍ଡ ପରିକ୍ରମା‌ କରିଥିଲା। ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ସମେତ ମେୟର ଓ ଅନ୍ୟମାନେ ସାମିଲ ହୋଇଥିଲେ। ସେହିପରି ଦକ୍ଷିଣ-ପୂର୍ବଜୋନ୍‌ ୬୦ ନମ୍ବର ୱାର୍ଡର କାଠିଆବାବା ଆଶ୍ରମ, ୫୮ ନମ୍ବର ୱାର୍ଡର ଜଗନ୍ନାଥ ଆଶ୍ରମ, ୪୫ ନମ୍ବର ୱାର୍ଡର ଚିନ୍ତାମଣିଶ୍ୱର ମନ୍ଦିର, ୬୧ ନମ୍ବର ୱାର୍ଡର ଜଗନ୍ନାଥ ମନ୍ଦିର ଓ ୨୮ ନମ୍ବର ୱାର୍ଡର ଭୁବନେଶ୍ୱରୀ ମନ୍ଦିରରୁ ରଥ ବାହାରିଥିଲା।

ସମ୍ବନ୍ଧିତ ଖବର