ଭୁବନେଶ୍ୱର-କଟକ ମୁଖ୍ୟ ରାସ୍ତା: କନ୍ଦାଉଛି ୨୦୦ ମିଟର

ବାରଙ୍ଗ: ବାରଙ୍ଗ ଦେଇ ଭୁବନେଶ୍ୱର-କଟକକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଟି ଦ୍ବୈତନଗରୀର ଅନ୍ୟତମ ଭିଆଇପି ରାସ୍ତା। କିନ୍ତୁ ବାରଙ୍ଗ ରାଜ୍ୟ ଉଦ୍ଭିଦ ଉଦ୍ୟାନ ନିକଟରୁ ନନ୍ଦନକାନନ ଛକ ବୁଲାଣି ପର୍ଯ୍ୟନ୍ତ ଏହି ରାସ୍ତାର ୨୦୦ ମିଟର ଏବେ ଲୋକଙ୍କୁ କନ୍ଦାଉଛି। ରାସ୍ତାରେ ପିଚୁ ପଡ଼ିନଥିବାରୁ ବଜୁରି ଗୁଣ୍ଡ ବା ଧୂଳି ଶୁଖିଲା ପାଗରେ ଯେତିକି ଅଣନିଶ୍ବାସୀ କରୁଛି, ବର୍ଷା ବେଳେ ସୃଷ୍ଟି ହେଉଥିବା କାଦୁଅ ଓ ଖାଲ ସେତିକି କଲବଲ କରୁଛି। ବାରମ୍ବାର ଅଭିଯୋଗ କରାଯିବା ପରେ ବି ପ୍ରାୟ ୬ ମାସ ହେବ ଏତିକି ଅଂଶକୁ ଏମିତି ଶୋଚନୀୟ ଅବସ୍ଥାରେ ଅଧପନ୍ତରିଆ ଭାବେ ଛାଡ଼ିଦିଆଯାଇଛି।

ପୂର୍ତ୍ତ ବିଭାଗ (ଆର୍‌ ଆଣ୍ଡ ବି) ପକ୍ଷରୁ ରାଜ୍ୟ ଉଦ୍ଭିଦ ଉଦ୍ୟାନ ପାଖରୁ ନନ୍ଦନକାନନ ଛକ ଆଡ଼କୁ ବୁଲାଣି ପର୍ଯ୍ୟନ୍ତ ୨୦୦ ମିଟର ରାସ୍ତାକୁ ଗତ ଖରାଦିନରୁ ତାଡ଼ିଦିଆଯାଇଛି। ସେହି ଅଂଶରେ ବଜୁରି ଗୁଣ୍ଡ ପକାଇ ଛାଡ଼ି ଦିଆଯାଇଛି। ଫଳରେ ବର୍ଷା ବେଳେ ବଜୁରି ଗୁଣ୍ଡ ଗଦେଇ ହୋଇ ରାସ୍ତା ସାରା ବଡ଼ବଡ଼ ଖାଲ ହୋଇଯାଇଛି। ଯେତେବେଳେ ବର୍ଷା ହେଉଛି ଖାଲରେ ପାଣି ଜମି ରହୁଛି ଏବଂ ଗାଡ଼ିଚାଳକମାନେ ଖାଲଖମାରେ ପଡ଼ି ଆହତ ହେଉଛନ୍ତି। ସେହିଭଳି ଖାଲରେ ପଡ଼ି ବହୁ ଗାଡ଼ି ଖରାପ ହେଉଛି। ଯେତେବେଳେ ଖରା ହେଉଛି, ବଜୁରି ଗୁଣ୍ଡ ପ୍ରବଳ ମାତ୍ରାରେ ଉଡ଼ୁଛି। ନାକ, କାନ ରୁନ୍ଧି ହୋଇଯାଉଛି। ଏହି ରାସ୍ତାରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ବସ୍‌, ଟ୍ରକ୍‌, କାର, ବାଇକ୍ ଓ ଆମ୍ବୁଲାନ୍ସ ଯାତାୟତ କରୁଛି। ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ରାଜ୍ୟ ତଥା ଦେଶ ଓ ବିଦେଶରୁ ପର୍ଯ୍ୟଟକମାନେ ଏହି ବାଟ ଦେଇ ଯାତାୟାତ କରୁଛନ୍ତି। ସେମାନେ ବଡ଼ ଦୟନୀୟ ଅବସ୍ଥାରେ ପଡ଼ୁଛନ୍ତି। ସେହିଭଳି ରାସ୍ତାର ବୁଲାଣି ନିକଟ ଅପର ପାର୍ଶ୍ୱ ବର୍ଷା ପାଣିରେ ବୁଡ଼ି ରହୁଛି। ତେଣୁ ବାଇକ୍‌ ଚାଳକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ତୁରନ୍ତ ଏହି ଅଂଶରେ ପିଚୁ ପକାଇ ମରାମତି କରାଯିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର