ପୁଲିସ୍‌ ପଞ୍ଝାରେ ଅନ୍ତଃରାଜ୍ୟ ବାଇକ୍‌ ଲୁଟେରା ଗ୍ୟାଙ୍ଗ୍‌

ଭୁବନେଶ୍ବର: କ୍ୟାପିଟାଲ ଥାନା ପୁଲିସ ଆଜି ଏକ ଅନ୍ତଃରାଜ୍ୟ ବାଇକ୍‌ ଚୋର ଗ୍ୟାଙ୍ଗ୍‌କୁ ଠାବ କରିଛି। ଗ୍ୟାଙ୍ଗ୍‌ର ୪ ଲୁଟେରାଙ୍କୁ ଗିରଫ କରିଛି। ସେମାନେ ହେଲେ, ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ୍‌ ସାମନ୍ତରାପୁର ଅଞ୍ଚଳର ଏସ୍‌. ସୁକାନ୍ତ ରେଡ୍ଡୀ(୩୭), ପଶ୍ଚିମବଙ୍ଗର ସୌମିତ୍ର ଦାସ(୩୮), ଗୁନଧର ମିର୍ଦା(୩୮) ଏବଂ ସେମାନାଥ ଦାସ(୪୮)। ସେମାନଙ୍କଠାରୁ ପୁଲିସ୍‌ ୧୭ଟି ବାଇକ୍‌ ଏବଂ ଇଂଜିନ୍‌, ଟାଙ୍କି, ସାଇଲେନ୍ସର୍‌, ହେଡ୍‌ଲାଇଟ୍‌, ମଡଗାର୍ଡ ଭଳି ୩୦ରୁ ଊର୍ଧ୍ବ ବାଇକ୍‌ ପାଟର୍ସ ଜବତ କରିଛି। ଏହି କୁଖ୍ୟାତ ଗ୍ୟାଙ୍ଗ୍‌ ବାଇକ୍‌ ଚୋରି କରିବା ପରେ ସେଥିରୁ ପାର୍ଟସ୍‌ଗୁଡ଼ିକୁ ଅଲଗା ଅଲଗା କରିଦେଇ କମ୍‌ ଦାମ୍‌ରେ ବିଭିନ୍ନ ଗ୍ୟାରେଜ୍‌କୁ ବିକି ଦେଉଥିଲା। କିଛି ଚୋରା ବାଇକ୍‌କୁ ଡକାୟତିରେ ମଧ୍ୟ ବ୍ୟବହାର କରୁଥିଲେ।

୪ ଗିରଫ, ୧୭ ବାଇକ୍‌ ଓ ୩୦ରୁ ଊର୍ଦ୍ଧ୍ବ ବାଇକ୍‌ ଯନ୍ତ୍ରାଂଶ ଜବତ
ମାଷ୍ଟରମାଇଣ୍ଡ୍‌ ଗ୍ୟାରେଜ୍‌ ମେକାନିକ୍‌

ତଦନ୍ତରୁ ପୁଲିସ୍‌ ଜାଣିବାକୁ ପାଇଛି ଯେ ସୁକାନ୍ତ ଜଣେ ଗ୍ୟାରେଜ୍‌ ମେକାନିକ୍‌। ସାମନ୍ତରାପୁର ଅଞ୍ଚଳରେ ତା’ର ଏକ ଗ୍ୟାରେଜ୍‌ ଅଛି। ସେ ଦିନରେ ବାଇକ୍‌ ସଜାଡ଼ୁଥିବା ବେଳେ ସକାଳେ, ସନ୍ଧ୍ୟା‌ରେ ବାଇକ୍‌ ଚୋରି ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିଲା। ବିଶେଷକରି ପାର୍କ ଏବଂ ଜନଗହଳିପୂର୍ଣ୍ଣ ଅଞ୍ଚଳକୁ ଟାର୍ଗେଟ୍‌ କରୁଥିଲା। ବାଇକ୍‌ ଚୋରି କରିବା ପରେ ତା’ ଗ୍ୟାରେଜ୍‌ରେ ଯନ୍ତ୍ରାଂଶଗୁଡ଼ିକୁ ଅଲଗା କରିଦେଉଥିଲା। ଫଳରେ ଆଉ ଧରାପଡ଼ିବାର ଭୟ ରହୁନଥିଲା। ପରେ ସେଗୁଡ଼ିକୁ ସହଯୋଗୀଙ୍କ ଦ୍ବାରା କୋଲକାତା ପଠାଇ ଦେଉଥିଲା। ଚିଲିକାରେ ଚାଲୁଥିବା ବୋଟ୍‌ଗୁଡ଼ିକରେ ବାଇକ୍‌ ଇଂଜିନ୍‌ ବ୍ୟବହାର ହେଉଥିବାରୁ ସେ ଚୋରା ଗାଡ଼ିର ଇଂଜିନ୍‌ଗୁଡ଼ିକୁ ୩ରୁ ୫ହଜାର ଟଙ୍କାର ଚିଲିକାରେ ବିକ୍ରି କରି ଦେଉଥିଲା। ଏହାବ୍ୟତୀତ ନିଜ ଗ୍ୟାରେଜ୍‌ରେ ବି ଗ୍ରାହକଙ୍କୁ ଶସ୍ତାରେ ପାଟର୍ସ ବିକ୍ରି କରୁଥିଲା। ଗତ ୪ ମାସ ହେଲା, ସହଯୋଗୀଙ୍କ ସହ ସୁକାନ୍ତ ଫରେଷ୍ଟ ପାର୍କ, ଆଇଜି ପାର୍କ, ୟୁନିଟ୍‌-୧ ହାଟ, ମାର୍କେଟ୍‌ ବିଲ୍ଡିଂ ଆଦି ଅଞ୍ଚଳରୁ ବାଇକ୍‌ ଚୋରି କରି ପୁଲିସ୍‌ର ନିଦ ହଜାଇ ଦେଇଥିଲା।

ଗତ ୨୬ ତାରିଖ ଦିନ ଫରେଷ୍ଟ ପାର୍କ ଆଗରୁ ଶ୍ରୀକାନ୍ତ ପରିଡ଼ାଙ୍କ ବାଇକ୍‌ ଚୋରି ହୋଇଯାଇଥିବା ନେଇ କ୍ୟାପିଟାଲ୍‌ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଆଖପାଖ ସିସିଟିଭିରୁ ଲୁଟେରାକୁ ଚିହ୍ନଟ କରିଥିଲା। ଗତ ରାତିରେ ପୁଲିସର ଏକ ଟିମ୍‌ ସାମନ୍ତରାପୁରସ୍ଥିତ ଗ୍ୟାରେଜ୍‌ରେ ଚଢ଼ଉ କରି ସୁକାନ୍ତକୁ ଗିରଫ କରିଥିଲା। ଆଳୁ ଖୋଳୁଖୋଳୁ ମହାଦେବ ବାହାରିବା ଭଳି ତାକୁ ପଚରାଉଚରା କରିବାରୁ ସେ ସବୁ ଗୁମର ଖୋଲି ଦେଇଥିଲା। ତା’ଠାରୁ ୩ ସହଯୋଗୀଙ୍କ ଠିକଣା ହାତେଇ ପୁଲିସ୍‌ ସେମାନଙ୍କୁ ବି ଗିରଫ କରିଥିଲା।

ସମ୍ବନ୍ଧିତ ଖବର