ରାଜସ୍ବ ଲକ୍ଷ୍ୟରୁ ବହୁ ଦୂରରେ ବିଏମ୍‌ସି: ରାଜସ୍ବ ଲକ୍ଷ୍ୟରୁ ବହୁ ଦୂରରେ ବିଏମ୍‌ସି

ଭୁବନେଶ୍ବର: ଆର୍ଥିକ ବର୍ଷ ସରିବାକୁ ବସିଲାଣି। ହେଲେ ବିଏମ୍‌ସି ଧାର୍ଯ୍ୟ ଲକ୍ଷ୍ୟର ୫୫% ରାଜସ୍ବ ଆଦାୟ କରି ପାରିନାହିଁ। ଲୋକମାନେ ସ୍ବତଃପ୍ରବୃତ୍ତ ଭାବରେ ହୋଲ୍ଡିଂ ଟିକସ ଦେଇନଥିବା ବେଳେ ଟିକସଦାୟକାରୀ ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହୁଥିବାରୁ ବକେୟା ଟିକସ ବଢ଼ି ବଢ଼ି ଚାଲିଛି। ଏଣେ ଅନେକ ବଡ଼ବଡ଼ିଆ ଲକ୍ଷ ଲକ୍ଷ ଟଙ୍କା ବାକି ରଖିଛନ୍ତି। ଏଭଳି ସ୍ଥିତିରେ ୧୦ ଲକ୍ଷରୁ ଅଧିକ ଲେଖାଏଁ ବାକି ରହିଥିବା ଖିଲାପିଙ୍କର ତାଲିକା ପ୍ରକାଶ କରିଛି ବିଏମ୍‌ସି। ବିଏମସିର ତିନି ଜୋନ୍‌ରେ ଏହି ଖିଲାପିଙ୍କର ୨୯.୫୦ କୋଟି ବାକି ପଡ଼ିଥିବା ବିଏମ୍‌ସି ଦର୍ଶାଇଛି। ପରେ ୧୦ ଲକ୍ଷରୁ କମ୍‌ ବାକି ରଖିଥିବା ତାଲିକା ମଧ୍ୟ ସର୍ବସାଧାରଣ ହେବ। ଏହା ପରେ ସେମାନଙ୍କ ଉପରେ ଆଇନ ଅନୂଯାୟୀ କାର୍ଯ୍ୟାନୁଷ୍ଠାନ ହେବେ ବାଲି କୁହାଯାଇଛି। ବିଏମ୍‌ସି ୱେବ୍‌ସାଇଟ୍‌ରେ ପ୍ରକାଶ ପାଇଥିବା ବଡ଼ ଖିଲାପିଙ୍କ ତାଲିକା ମଧ୍ୟରେ ଦକ୍ଷିଣ ପଶ୍ଚିମ ଜୋନ୍‌ରେ ସର୍ବାଧିକ ୨୯ ଖିଲାପି ରହିଛନ୍ତି। ସେମାନଙ୍କର ୨୨ କୋଟି ୪୬ ଲକ୍ଷ ୯୯ ହଜାର ୩୩୩ ଟଙ୍କା ବାକି ପଡ଼ିଛି। କେବଳ ଚଳିତ ମାସର ୭କୋଟି ୩୧ଲକ୍ଷ ୯୨ହଜାର ୩୭୮ଟଙ୍କା ହୋଇଥିବା ବେଳେ ପୂର୍ବ ବର୍ଷର ବାକି ୧୫ କୋଟି ୧୫ ଲକ୍ଷ ୬ ହଜାର ୯୫୫ ଟଙ୍କା ରହିଛି। ସେହିଭଳି ଦକ୍ଷିଣ ପୂର୍ବ ଜୋନ୍‌ରେ ୧୦ ଖିଲାପିଙ୍କ ୨ କୋଟି ୪୩ ଲକ୍ଷ ୬୮ ହଜାର ୨୯୯ ଟଙ୍କା ବାକି ରହିଛି। ଚଳିତ ବର୍ଷ ୩୧ଲକ୍ଷ ୮୧ହଜାର ୭୩ଟଙ୍କା ହୋଇଥିବା ବେଳେ ୨ କୋଟି ୧୧ ଲକ୍ଷ ୮୭ ହଜାର ୨୨୫ ଟଙ୍କା ବାକି ପଡ଼ିଛି। ଉତ୍ତର ଜୋନରେ ୧୬ ଜଣଙ୍କର ହୋଲ୍ଡିଂ ଟିକସ ବାବଦକୁ ୪ କୋଟି ୫୯ ଲକ୍ଷ ୭୪ ହଜାର ୧୧ଟଙ୍କା ବାକି ପଡ଼ିଛି। ଚଳିତବର୍ଷର ୮୬ ଲକ୍ଷ ୯୫ ହଜାର ୧୯୯ ଟଙ୍କା ଓ ପୂର୍ବରୁ ୩କୋଟି ୭୨ ଲକ୍ଷ ୭୮ ହଜାର ୮୧୧ବାକି ରହିଛି।

ବିଏମ୍‌ସିର ତାଲିକା ମୁତାବକ, ପୂର୍ବରୁ ବକେୟା ରାଶି ବାବଦକୁ ୨୦କୋଟି ୯୯ଲକ୍ଷ ୭୨ହଜାର ୯୯୨ ଟଙ୍କା ରହିଛି। ଏଥିରେ ଦକ୍ଷିଣ ପଶ୍ଚିମ ଜୋନ ଶୀର୍ଷରେ ରହିଛି। ଏଠାରେ ୧୫କୋଟିରୁ ଊର୍ଦ୍ଧ୍ବ ବାକି ପଡ଼ିଛି। ପ୍ରଶ୍ନ ଉଠୁଛି ପୂର୍ବ ବର୍ଷମାନଙ୍କରେ କାହିଁକି ଏମାନଙ୍କ ଠାରୁ ଆଦାୟ ହୋଇ ନାହିଁ? ବଡ଼କଥା ହେଉଛି ଏହି ତାଲିକାରେ ୧୫ରୁ ଊର୍ଦ୍ଧ୍ବ ସରକାରୀ ଅନୁଷ୍ଠାନ ରହିଥିବା ବେଳେ କାରଖାନା ଓ ପରୀକ୍ଷାଗାର ରହିଛି। ସରକାରୀ ଅନୁଷ୍ଠାନ ତଥା ଲାଭକାରୀ ଅନୁଷ୍ଠାନମାନଙ୍କ ଠାରୁ କାହିଁକି ଏହି ଟଠିକସ ଆଦାୟ ହୋଇ ନାହିଁ ସେ ନେଇ ପ୍ରଶ୍ନ ଉଠିଛି। ଏଠାରେ ଉଲ୍ଲେଖ କରାଯାଇପାରେ, ହୋଲ୍ଡିଂ ସଂଖ୍ୟା ୧ ଲକ୍ଷ ୨୦ ହଜାର ରହିଥିବା ବେଳେ ୬୦ ହଜାର ଘରୁ ଟିକସ ଆଦାୟ ହେଉଛି। ଅଧା ଘରୁ ଟିକସ ଆସୁନଥିବାରୁ ହୋଲ୍ଡିଂ ଟିକସ ବାଟମାରଣା ହେଉଥିବା ଅଭିଯୋଗ ହୋଇଥିଲା। ଏ ନେଇ ଲାଇସେନ୍ସ ଓ ଅପିଲ୍ସ ଷ୍ଟାଣ୍ଡିଂ କମିଟି ଉଦ୍‌ବେଗ ପ୍ରକାଶ କରିବା ସହ ହୋଲ୍ଡିଂ ଟିକସ ଶତ ପ୍ରତିଶତ ଆଦାୟ କରିବା ପାଇଁ ପ୍ରତ୍ୟେକ ଶନିବାରକୁ ‘ରାଜସ୍ବ ଦିବସ’ ପାଳନ କରିବାକୁ ଗତ ବର୍ଷ ଜୁଲାଇ ମାସରେ ନିଷ୍ପତ୍ତି ହୋଇଥିଲା। ହେଲେ ତାହା ଫେଲ୍‌ ମାରିଛି। ଚଳିତବର୍ଷ ଅର୍ଥାତ୍‌ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ହୋଲ୍ଡିଂ ଟିକସ ବାବଦକୁ ୧୧୫ କୋଟି ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଏଯାବତ୍ ୫୦% ପୂରଣ ହୋଇପାରିନାହିଁ। ରାଜସ୍ବ ଆଦାୟ ଦାୟିତ୍ବ ନେଇଥିବା ୱାର୍ଡ ଅଫିସର କେତେବେଳେ ଅର୍ପଣ ରଥ ପରିଚାଳନା, ଭତ୍ତା ବଣ୍ଟନ, ପରିକ୍ରମା ପ୍ରକଳ୍ପ ଓ ଏବେ ନିର୍ବାଚନ କାମରେ ନିୟୋଜିତ ଅଛନ୍ତି। ଯାହା ଫଳରେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇ ପାରୁନଥଇବା କୁହାଯାଉଛି।

ସମ୍ବନ୍ଧିତ ଖବର