ଆର୍‌ଟିଇ ନାମଲେଖାରେ ଦଲାଲ୍‌ ସକ୍ରିୟ

ଚନ୍ଦ୍ରଶେଖରପୁର : ନାମ ମନୋଜ କୁମା‌ର ମହାନ୍ତି। ରୋଜଗାର ପ୍ରମାଣପତ୍ରରେ ବି ସମାନ ନାଁ। ବାର୍ଷିକ ଆୟ ୭୦ ହଜାର। ରାସନ୍‌ କାର୍ଡ ବି ଅଛି। ତେଣୁ ତାଙ୍କ ପିଲା ଶିକ୍ଷା ଅଧିକାର ଆଇନ(ଆରଟିଇ) ଅଧୀନରେ ଘରୋଇ ବିଦ୍ୟାଳୟର ୨୫% ସିଟ୍‌ରେ ନାମଲେଖା ଲାଗି ଯୋଗ୍ୟ। ହେଲେ ରୋଜଗାର ପ୍ରମାଣପତ୍ରରେ ଥିବା ସ୍କାନ୍‌ କୋଡ୍‌କୁ ମୋବାଇଲ୍‌ ମାଧ୍ୟମରେ ସ୍କାନ୍‌ କଲେ ଜ୍ୟୋତିସ୍‌ମନ୍ତ ସ୍ବାଇଁଙ୍କ ନାଁ ଆସୁଛି। ଅର୍ଥାତ୍‌ ପିଲାର ଅଭିଭାବକଙ୍କ ରୋଜଗାର ପ୍ରମାଣପତ୍ରରେ ଜଣଙ୍କ ନାମ ଦେଖାଉଥିବା ବେଳେ ସ୍କାନ୍‌-କୋଡ୍‌ରେ ଆଉ ଗୋଟିଏ ନାଁ। ଆର୍‌ଟିଇ ଅଧୀନରେ ଘରୋଇ ବିଦ୍ୟାଳୟରେ ପିଲାଙ୍କ ନାମଲେଖା‌ ଲାଗି ଏଭଳି ଜାଲିଆତି କରିଛନ୍ତି ଖାରବେଳନଗର ଥାନା ଅଞ୍ଚଳର ଜଣେ ବ୍ୟକ୍ତି।

ସାର୍ଟିଫିକେଟ୍‌ରେ ବଦଳିଯାଉଛି ବାପା ନାଁ
ପେନ୍‌ସନ୍‌ଭୋଗୀ ହ‌ାତେଇଛନ୍ତି ରାସନ୍‌ କାର୍ଡ
ରୋଜଗାର କମ୍‌ ଦେଖାଇ କରୁଛନ୍ତି ନାମ‌ଲେଖା
ଧରାପଡ଼ିଲେଣି ୫ରୁ ଅଧିକ, ଖୋ‌ଳତାଡ଼ ଜାରି

କେବଳ ମନୋଜ ନୁହନ୍ତି, ଏଭଳି ଆଉ ଜଣେ ମହିଳା ଅଭିଭାବକ ବି ଜାଲିଆତି କରି ଧରାପଡ଼ିଛନ୍ତି। ଜଣେ ଛାତ୍ରୀଙ୍କର ପ୍ରଥମ ଶ୍ରେଣୀରେ ନାମଲେଖା ଲାଗି ଅଭିଭାବକ ପାରଦର୍ଶୀ ପୋର୍ଟାଲରେ ଆବେଦନ କରିବା ସହ ସମସ୍ତ ଡକ୍ୟୁମେଣ୍ଟ ଦେଇଥିଲେ। ଯାଞ୍ଚ ପରେ ଗଣଶିକ୍ଷା ବିଭାଗ ଅଧିକାରୀମାନେ ସମ୍ପୃକ୍ତ ଛାତ୍ରୀଙ୍କୁ ୟୁନିଟ୍‌-୪ ଅଞ୍ଚଳରେ ଥିବା ଏକ ଘରୋଇ ବିଦ୍ୟାଳୟକୁ ଆଲଟ୍‌ କରିଥିଲେ। ମାତ୍ର ସ୍କୁଲରେ ନାମଲେଖା ସମୟରେ ପିଲାର ଅଭିଭାବକଙ୍କ ରାସନ୍‌ କାର୍ଡ ଯାଞ୍ଚ ସମୟରେ ବାପାଙ୍କ ନାଁ ନ ଥିବା ଦେଖିବାକୁ ମିଳିଥିଲା। ବରଂ ମା’ଙ୍କର ମା’ ତଥା ପିଲାର ଆଈଙ୍କ ନାଁରେ ଥିବା ରାସନ୍‌ କାର୍ଡ ଆଧାରରେ ଆବେଦନ ହୋଇଥିବା ଜଣାପଡ଼ିଥିଲା। ଯାହାକୁ ଆଧାର କରି ଗଣଶିକ୍ଷା ବିଭାଗ ପକ୍ଷରୁ ସମ୍ପୃକ୍ତ ଛାତ୍ରୀଙ୍କୁ ସ୍କୁଲରେ ନାମଲେଖା ଲାଗି ଆଲଟ୍‌ କରିଥିଲେ। ତେବେ ନାମଲେଖା ସମୟରେ ସ୍କୁଲ କର୍ତ୍ତୃପକ୍ଷ ଖୋଳତାଡ଼ କରିବାରୁ ଜଣାପଡ଼ିଛି ଯେ ପିଲାଟିର ଆଈ ଜଣେ ପେନ୍‌ସନ୍‌ଭୋଗୀ କର୍ମଚାରୀ।

ଏଠାରେ ପ୍ରଶ୍ନ ଉଠୁଛି, ଜଣେ ପେନ୍‌ସନ୍‌ଭୋଗୀ କିଭଳି ଭାବେ ରାସନ୍‌ କାର୍ଡ ହାତେଇଲେ? ଗୋଟିଏ ପଟେ, ନାମଲେଖା ଲାଗି ଅଭିଭାବକ ନାଁ ବଦଳାଉଛନ୍ତି। ଆଉ ଅନ୍ୟପଟେ ପେନ୍‌ସନ୍‌ଭୋଗୀ ହୋଇ ମଧ୍ୟ କିଭଳି ହାତେଇଛନ୍ତି ରାସନ୍‌ କାର୍ଡ। ଭାତ ହାଣ୍ଡିରୁ ଗୋଟିଏ ଦୁଇଟି ଭାତ ଚିପି ଜାଣିବା ପରି ରାଜଧାନୀର ଏହି ଦୁଇଟି ଘଟଣା ବର୍ତ୍ତମାନ ଆରଟିଇ ନାମଲେଖା ବ୍ୟବସ୍ଥାର ସ୍ବଚ୍ଛତା ନେଇ ପ୍ରଶ୍ନ ଉଠାଇଛି। ଯଦି ଭୁବନେଶ୍ବରରେ ଏଭଳି ସ୍ଥିତି, ତେବେ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ କିଭଳି ଭାବେ ଜାଲିଆତି ହେଉଥିବ ଏଥିରୁ ଅନୁମେୟ।

ଆହୁରି ଅଭିଯୋଗ ହେଉଛି ଯେ ଆରଟିଇ ଅଧୀନରେ ଘରୋ‌ଇ ସ୍କୁଲରେ ନାମ ଲେଖାଇବା ଲାଗି ସହରରେ ଏକ ରୢାକେଟ୍‌ କାମ କରୁଛି। ଅଭିଭାବକଙ୍କଠାରୁ ପ୍ରଚୁର ଟଙ୍କା ନେବା ସହ ଶତ ପ୍ରତିଶତ ନାମଲେଖା‌ କରାଇଦେବାକୁ ପ୍ରତିଶ୍ରୁତି ଦେଉଛନ୍ତି। ବହୁ ସ୍ଥାନରେ ସଫଳତା ମଧ୍ୟ ମିଳୁଛି। ଅଭିଭାବକଙ୍କ ବାର୍ଷିକ ଆୟ ଯେତିକି ଧାର୍ଯ୍ୟ ହୋଇଛି, ତା’ଠାରୁ ଢେର୍‌ ଅଧିକ ରୋଜଗାର କରୁଥିବା ବ୍ୟକ୍ତି ରୋଜଗାର କମ୍‌ ଦର୍ଶାଇ ପିଲାଙ୍କ ନାମଲେଖା କରାଉଛନ୍ତି। ରୋଜଗାର ସାର୍ଟିଫିକେଟ୍‌ରେ ଜାଲିଆତି ହେଉଛି। ଏବେ ସୁଦ୍ଧା ସହରରେ ୫ରୁ ଅଧିକ ଘଟଣା ସାମ୍ନାକୁ ଆସିଲାଣି। ତାହାକୁ ନଜରରେ ରଖି ଗଣଶିକ୍ଷା ବିଭାଗ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି। କେଉଁ ସ୍ତରରେ ଜାଲିଆତି କରାଯାଉଛି, ତାହାର ତଦନ୍ତ କରିବାକୁ କୁହାଯାଇଛି। ସହରରେ ଥିବା ପ୍ରମୁଖ ସ୍କୁଲ କର୍ତ୍ତୃପକ୍ଷ ମଧ୍ୟ ଏବେ ନିଜ ନିଜ ସ୍ତରରେ ୨୫% କୋଟାରେ ନାମ ଲେଖାଇଥିବା ପିଲାଙ୍କ ପରିବାର ସମ୍ପର୍କରେ ପଚାରି ବୁଝୁଛନ୍ତି।

ଜୟଦେବ ବିହାର ଅଞ୍ଚଳରେ ଥିବା ଘରୋଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କହିବା କଥା ହେଉଛି ଯେ ନାମଲେଖା ଲାଗି ଅଭିଭାବକ ବହୁ ତଳସ୍ତରକୁ ଖସି ଯାଉଛନ୍ତି। ବାର୍ଷିକ ୫ଲକ୍ଷ ଟଙ୍କା ରୋଜଗାର କରୁଥିବା ଅଭିଭାବକ ବି ସେମାନଙ୍କ ପିଲାଙ୍କୁ ଆରଟିଇ ଅଧୀନରେ ନାମ ଲେଖାଇବାକୁ ମନୋନୀତ ହୋଇଛନ୍ତି। ଅଭିଭାବକଙ୍କ ପ୍ରକୃତ ରୋଜଗାର ସମ୍ପର୍କରେ ଭଲ ଭାବେ ଯାଞ୍ଚ ହେବାର ଆବଶ୍ୟକତା ରହିଛି। ନ ହେଲେ ଏଭଳି ଘଟଣା ଆଗକୁ ଆହୁରି ବଢ଼ି ଚାଲିବ। ଦଲାଲ୍‌ ସକ୍ରିୟ ହେଲେ କେବଳ ଯେ ସ୍କୁଲ କର୍ତ୍ତୃପକ୍ଷ କ୍ଷତିଗସ୍ତ ହେବେ ତାହା ନୁହେଁ, ବରଂ ଏହାଦ୍ବାରା ପିଲାଙ୍କ ଭବିଷ୍ୟତ ପ୍ରଭାବିତ ହୋଇପାରେ।

ସମ୍ବନ୍ଧିତ ଖବର