ଅଦାଲତଙ୍କ ନିର୍ଦ୍ଦେଶରେ ଏତଲା: ୩ କୋଟିର ଜାମିନ ସର୍ତ୍ତ ପୂରଣ ପାଇଁ ଜାଲ ଭାଲ୍ୟୁଏସନ୍ ସାର୍ଟିଫିକେଟ ଦାଖଲ ପ୍ରସଂଗ

କଟକ/ଭୁବନେଶ୍ବର: ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରି ଜଣେ ଅଭିଯୁକ୍ତଙ୍କ ତରଫରୁ ନିମ୍ନ ଅଦାଲତରେ ଦାଖଲ ସଂପତ୍ତି ସ୍ୟୁଓରିଟି ବଣ୍ଡ୍ ଯାଞ୍ଚ ପରେ ଜାଲ ନଥିପତ୍ର ଆଧାରିତ ବୋଲି ସ୍ପଷ୍ଟ ହେବା ପରେ ବଡ଼ଗଡ଼ ଥାନାରେ ଏତଲା ରୁଜୁ ହୋଇଛି। ଭୁବନେଶ୍ବର ଜେଏମଏଫସି(ଓ) ଅଦାଲତ ନିର୍ଦ୍ଦେଶ ପରେ ଏ ନେଇ ପୁଲିସ ମାମଲା ରୁଜୁ କରିଛି। ମାମଲାର ବିବରଣୀରୁ ପ୍ରକାଶ ଯେ ଜମି ବିକ୍ରି ଘଟଣାରେ ଜାଲିଆତି ଅଭିଯୋଗ ନେଇ ରୁଜୁ ନନ୍ଦନକାନନ ଥାନା ମାମଲାରେ ୨୦୨୩, ମେ ୩୧ରେ ଗିରଫ ସମୀର ପଟ୍ଟନାୟକଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ। ଜାମିନରେ ଛାଡ଼ ପାଇବା ପାଇଁ ଶ୍ରୀ ପଟ୍ଟନାୟକ ୩ କୋଟି ଟଙ୍କାର ସଂପତ୍ତି ସ୍ୟୁଓରିଟି ନିମ୍ନ ଅଦାଲତରେ ଦାଖଲ କରିବେ ବୋଲି ହାଇକୋର୍ଟ ୨୦୨୩, ନଭେମ୍ବର ୩୦ରେ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଶ୍ରୀ ପଟ୍ଟନାୟକଙ୍କୁ ଜାମିନରେ ନେବା ପାଇଁ ସେକ୍ ଏମ. ଅଲ୍ଲୀଙ୍କ ତରଫରୁ ୩ କୋଟି ଟଙ୍କାର ସଂପତ୍ତି ସ୍ୟୁଓରିଟି ବଣ୍ଡ ଦାଖଲ କରାଯାଇଥିଲା।

ସଂପତ୍ତିର ମୂଲ୍ୟ ନେଇ ଦାଖଲ ରିପୋର୍ଟ (ଭାଲ୍ୟୁଏସନ୍ ସାର୍ଟିଫିକେଟ)ର ସତ୍ୟାସତ୍ୟ ଯାଞ୍ଚ ପାଇଁ ପିପିଲି ସବ୍-ରେଜିଷ୍ଟ୍ରାରରଙ୍କୁ ଜେଏମଏଫସି (ଓ) ଅଦାଲତ ଜାନୁଆରି ୧୭ରେ ନିର୍ଦ୍ଦେଶ ଦେଇଥିଲେ। ପିପିଲି ସବ୍-‌ରେଜିଷ୍ଟ୍ରାରଙ୍କ ତରଫରୁ ଦାଖଲ ଚିଠିରେ ଉଲ୍ଲେଖ କରାଯାଇଥିଲା ଯେ ସଂପୃକ୍ତ ଦୁଇ ଭାଲ୍ୟୁଏସନ୍ ସାର୍ଟିଫିକେଟ ତାଙ୍କ କାର୍ଯ୍ୟାଳୟ ତରଫରୁ ଜାରି କରାଯାଇ ନାହିଁ। ଅଦାଲତରେ ଦାଖଲ ଦୁଇ ସାର୍ଟିଫିକେଟ ଜାଲ। ତାଙ୍କ କାର୍ଯ୍ୟାଳୟ ତରଫରୁ ୨୦୨୩, ଡିସେମ୍ବର ୨୭ରେ ଜାରି ଦୁଇ ଭାଲ୍ୟୁଏସନ୍ ସାର୍ଟିଫିକେଟର କପି ମଧ୍ୟ ଏହି ଚିଠି ସହିତ ସଂଲଗ୍ନ କରାଯାଇଥିଲା। ଏଥିରୁ ଅଦାଲତରେ ଦାଖଲ ଦୁଇ ସାର୍ଟିଫିକେଟ ଜାଲ ବୋଲି ସ୍ପଷ୍ଟ ହୋଇଥିଲା। ଏଭଳି ସ୍ଥିତିରେ ପୂର୍ବରୁ ଦାଖଲ ସଂପତ୍ତି ସ୍ୟୁଓରିଟି ବଣ୍ଡକୁ ଅଦାଲତ ଅସିଦ୍ଧ ଘୋଷଣା କରିଛନ୍ତି। ଫେବ୍ରୁଆରି ୩ ସୁଦ୍ଧା ସାନି ସଂପତ୍ତି ସ୍ୟୁଓରିଟି ବଣ୍ଡ ଦାଖଲ ପାଇଁ ଅଭିଯୁକ୍ତଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ସେ ପର୍ଯ୍ୟନ୍ତ ତାଙ୍କ ସପକ୍ଷରେ ଜାରି ରିଲିଜ୍ ଅର୍ଡର ସ୍ଥଗିତ ରଖିବାକୁ ଅଦାଲତ କହିଛନ୍ତି। ଅଦାଲତରେ ସେକ୍ ଏମ. ଅଲ୍ଲୀଙ୍କ ତରଫରୁ ଦାଖଲ ସଂପତ୍ତି ସ୍ୟୁଓରିଟି ବଣ୍ଡ, ଆରଓଆର, ଖଜଣା ରସିଦ, ଆଧାରକାର୍ଡ, ଭାଲ୍ୟୁଏସନ୍ ସାର୍ଟିଫିକେଟ, ସତ୍ୟପାଠର କପି ବଡ଼ଗଡ଼ ଥାନା ଆଇଆଇସିଙ୍କ ନିକଟକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଘଟଣାରେ ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରିବାକୁ ବଡ଼ଗଡ଼ ଥାନା ଆଇଆଇସିଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତଙ୍କ ନିର୍ଦ୍ଦେଶ ପରେ ଏହି ଘଟଣାକୁ ନେଇ ବଡ଼ଗଡ଼ ଥାନାରେ ମାମଲାର ରୁଜୁ ହୋଇଛି ବୋଲି ଏତଲାକାରୀଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଅରୁଣ କୁମାର ବୁଦ୍ଧିଆ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର