କ୍ୟାମ୍ପସ୍‌ ଆଳାପ: ‘ନୋଟା’ର ଉପଯୋଗ ଯୁକ୍ତିଯୁକ୍ତ

କମଳାନେହରୁ ମହିଳା ମହାବିଦ୍ୟାଳୟ

ହରପ୍ରିୟା ପୃଷ୍ଟି

ଭୁବନେଶ୍ବର: ଖରା ପାଇଁ ତ ଏବେ ସକାଳୁ କଲେଜ। କ୍ଲାସ୍‌ ପରେ ଘରକୁ ବାହାରୁ ବାହାରୁ ଭୁବନେଶ୍ବର ୟୁନିଟ୍-୧ ସ୍ଥିତ କମଳାନେହରୁ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ଟିକେ ଅଟକି ଯାଇଥିଲେ। ଯୁକ୍ତତିନି ଦ୍ବିତୀୟ ବର୍ଷର ଛାତ୍ରୀଙ୍କ ସହ ତୃତୀୟ ବର୍ଷର ଛାତ୍ରୀଙ୍କର ଭେଟ ହୋଇ ଯାଇଥିଲା। ଖରାପାଇଁ କଲେଜର ସମୟ ପରିବର୍ତ୍ତନ ଓ କଟକଣାରୁ ଚର୍ଚ୍ଚା ଆରମ୍ଭ ହୋଇ ନେତା, ଭୋଟ ଓ ନୋଟା ଆଡ଼କୁ ଯାଇଥିଲା। ହିନ୍ଦୀ ବିଭାଗର ଯୁକ୍ତତିନି ୨ୟ ବର୍ଷ ଛାତ୍ରୀ ପୂର୍ଣ୍ଣିମା ସ୍ବାଇଁ କଥା ଆରମ୍ଭ କରି ଇଂରାଜୀ ବିଭାଗ ତୃତୀୟ ବର୍ଷର ଛାତ୍ରୀ ଏସ୍ଥିସ୍‌ ଏକ୍କାଙ୍କୁ କହିଲେ, ‘‘ଦିଦି, କଣ ତୁମେ ନେତାଙ୍କ ଭଳି ଦଳ ବଦଳେଇ ଦେଲ କି? ଆଜିକାଲି ତ କାଇଁ ଆଉ ଆମ ସହିତ ମିଶୁନ?’’ ଏକ୍କା ହସିକି ଉତ୍ତର ଦେଲେ, ‘‘ଆରେ ମୋ କଥା ଛାଡ଼, ନେତାଙ୍କ କଥା ଦେଖୁଛ ତ? ଆଜି ଗୋଟେ ଦଳ, କାଲି ଆଉ ଗୋଟେ ଦଳ। ଏଥର ରାଜନୀତିର ମା‌ହୋଲ ବଡ଼ ଗୋଳିଆ ହୋଇଯାଇଛି।’’

ତାଙ୍କ କଥାରେ ସହମତି ଜଣାଇ ହିନ୍ଦି ୨ୟ ବର୍ଷର ଛାତ୍ରୀ ଶୁଚିସ୍ମିତା ପରିଡ଼ା କହିଲେ, ‘‘ଯେଉଁ ନେତାଙ୍କୁ ଆମେ ପସନ୍ଦ କରୁନୁ, ସେହି ନେତା ହିଁ ଦଳ ବଦଳାଇ ଆସି ଅନ୍ୟ ଦଳରେ ଛିଡ଼ା ହେଉଛନ୍ତି। ନୂଆନେତା ବା ପସନ୍ଦର ନେତା ଆସୁ ନାହାନ୍ତି।’’
ଶୁଚିସ୍ମିତାଙ୍କ କଥା ନ ସରୁଣୁ ତାଙ୍କ ସହପାଠିନୀ ସିମ୍ରନ୍‌ ପୃଷ୍ଟି କହିଲେ, ‘‘ଏଥିପାଇଁ ତ ୨୦୧୩ରୁ ବାଲଟ୍‌ ପେପର/ଭୋଟିଂ ମେସିନ୍‌ରେ ‘ନୋଟା’ ଯୋଡ଼ା ହୋଇଛି। ତୁମେ ସେଥିରେ ଦଉନ?’’ ପୁଣି ଟିକିଏ ରହି ଯୋଡ଼ିଲେ, ‘‘ଅବଶ୍ୟ ରାଜନୀତିରେ ବଡ଼ ପ୍ରଭାବ ପକାଇବା ଭଳିଆ ଭୂମିକା ନୋଟା ଏଯାଏ ନେଇ ପାରିନାହିଁ।’’ ହିନ୍ଦୀ ବିଭାଗର ୩ୟ ବର୍ଷ ଛାତ୍ରୀ ସୌମ୍ୟା ପାଣିଗ୍ରାହୀ କଥା ଛଡ଼ାଇ ନେଇ କହିଲେ, ‘‘ଆମର ବହୁମୂଲ୍ୟ ଭୋଟ୍‌କୁ କୌଣସି ପ୍ରାର୍ଥୀକୁ ନ ଦେଇ ନୋଟାରେ ଦେବା ଯୁକ୍ତିଯୁକ୍ତ ବୋଲି ମୁଁ ଭାବୁନି। ବହୁଦଳୀୟ ବ୍ୟବସ୍ଥାରେ ଏତେ ଦଳଙ୍କ ଭିତରୁ ‌ଜଣେ ଯୋଗ୍ୟ ନେତାଙ୍କୁ କ’ଣ ମିଳିବେନି!’’

ଅର୍ଥନୀତି ବିଭାଗ ୩ୟ ବର୍ଷ ଛାତ୍ରୀ ବିମଳା ସୋରେନ୍‌ ସୌମ୍ୟାଙ୍କ କଥାରେ ପ୍ରତିବାଦ ଜଣାଇଲେ, ‘‘ନେତାଙ୍କୁ ଅଗ୍ରାହ୍ୟ କରିବାକୁ ଏଭଳି ଏକ ବ୍ୟବସ୍ଥା ଅଛି। ହେଲେ ଆମେ ଏହାର ଗୁରୁତ୍ବ ବୁଝିନେ। ଯେଉଁଥିପାଇଁ ନୋଟାରେ ଭୋଟ ସଂଖ୍ୟା ବଢ଼ୁନାହିଁ। ଥରେ ଭାବିଲ, ଯଦି କୌଣସି ବିଧାନସଭା କ୍ଷେତ୍ରରେ ଜଣେହେଲେ ଯୋଗ୍ୟନେତା ଠିଆ ହୋଇ ନଥିବେ ଓ ଏକା ସହିତ ୨୫ ବା ୫୦ ହଜାର ଭୋଟର ନୋଟାରେ ଭୋଟ୍‌ ଦେବେ, ତେବେ ପରିସ୍ଥିତି କଣ ହେବ?’’ ‘‘ଏମିତି କୋଉ ବିଧାନସଭା ‌ଆସନ ଅଛି, ଯେଉଁଠି ଜଣେହେଲେ ଯୋଗ୍ୟ ପ୍ରାର୍ଥୀ ନଥିବେ…!!’’ ବୋଲି କହି ସୌମ୍ୟା ଯୁକ୍ତି କରିଆସୁଥିଲେ, ହେଲେ ଆଲୋଚନା ଅଧିକ ଜଟିଳ ରୂପ ନେଉଥିବାରୁ ଓ ଘରକୁ ଯିବା ବିଳମ୍ବ ହେଉଥିବା ଦେଖି ହିନ୍ଦୀ ବିଭାଗର ୨ୟ ବର୍ଷ ଛାତ୍ରୀ ବିୟୁଟି ଶର୍ମା କହିଲେ, ‘‘ଯାହାକୁ ଯେଉଁଠି ଇଚ୍ଛା ଭୋଟ୍‌ ଦିଅ, କିନ୍ତୁ ଖରା ପାଇଁ ସରକାର ଯେଉଁ ସକାଳୁଆ କଲେଜ ବ୍ୟବସ୍ଥା କରିଛନ୍ତି, ତାକୁ ତ ମାନ! ଚାଲ ଜଲ୍‌ଦି…।’’

ସମ୍ବନ୍ଧିତ ଖବର