କ୍ୟାପିଟାଲ୍‌ ହସ୍ପିଟାଲ୍‌ ଲାବ୍‌ରୁ ମେସିନ୍‌ ଚୋରି ମାମଲା: ୪ ସଫେଇ କର୍ମଚାରୀ, ଜଣେ କବାଡ଼ିଆ ଗିରଫ

୨ ଅଚଳ ମେସିନ୍‌ ଜବତ, ୩ ଭଲ ଗଲା କୁଆଡ଼େ?

ଭୁବନେଶ୍ବର: ଗତ ୧୭ ତାରିଖ ରାତିରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପରୀକ୍ଷାଗାରରୁ ୬୦ ଲକ୍ଷ ଟଙ୍କାର ବିଭିନ୍ନ ମେସିନ୍‌ ଚୋରି ହୋଇଥିବା ମାମଲରେ ଆଜି କ୍ୟାପିଟାଲ୍‌ ଥାନା ପୁଲିସ ୪ ଜଣ ହସ୍ପିଟାଲ୍‌ର ସଫେଇ କର୍ମଚାରୀଙ୍କୁ ଗିରଫ କରିଛି। ସଫେଇ କର୍ମଚାରୀମାନେ ୨ଟି ଅଚଳ ମେସିନ୍‌କୁ ବିକିଥିବା କବାଡ଼ିଆକୁ ମଧ୍ୟ ଗିରଫ କରାଯାଇଛି ଏବଂ ତା’ ନିକଟରୁ ଉକ୍ତ ମେସିନ୍‌ଦ୍ବୟକୁ ଜବତ କରାଯାଇଛି। ଅଭିଯୁକ୍ତମାନେ ହେଲେ କଟକ ବଡ଼ମ୍ବା ଅଞ୍ଚଳର ଭାଗିରଥୀ ନାୟକ(୪୮), ତା’ ସ୍ତ୍ରୀ ରମା ନାୟକ(୩୨), ସାଗର ନାୟକ(୩୨), ୟୁନିଟ୍‌-୬ ହରିଜନ ବସ୍ତିର ଗୋପାଳକୃଷ୍ଣ ପଣ୍ଡା ଓ ୟୁନିଟ୍‌- ୩ ମସଜିଦ୍ କଲୋନିର କବାଡ଼ିଆ ସେକ୍‌ ଆଲ୍‌ମିନ୍। ଗୋପାଳକୃଷ୍ଣ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ସଫେଇ ସୁପରଭାଇଜର୍ ଭାବେ କାମ କରୁଥିବ‌ା ବେଳେ ଭାଗିରଥୀ, ରମା, ସାଗର ସଫେଇ କର୍ମଚାରୀ ଭାବେ କାର୍ଯ୍ୟରତ ଅଛନ୍ତି। ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲେ ବି ଚୋରି ହୋଇଥିବା ୩ଟି ଭଲ ମେସିନ୍‌କୁ ଠାବ କରିପାରିନାହିଁ। ହସ୍ପିଟାଲ୍‌ କର୍ତ୍ତୃପକ୍ଷ ୫ଟି ମେସିନ୍‌ ଚୋରି ହୋଇଛି ବୋଲି ଅଭିଯୋଗ କରିଛନ୍ତି। ପୁଲିସ ମାତ୍ର ୨୪ ଘଣ୍ଟା ଭିତରେ ଅଭିଯୁକ୍ତମାନଙ୍କୁ ଗିରଫ କରିଛି ଏବଂ କବାଡ଼ିଆକୁ ବିକିଥିବା ୨ଟି ଅଚଳ ମେସିନ୍‌କୁ ଜବତ କରିଛି। ତେଣୁ ଏତେ କମ ସମୟରେ ଅଭିଯୁକ୍ତମାନେ ଭଲ ମେସିନ୍‌କୁ କ’ଣ କଲେ, ପୁଲିସ ସେଗୁଡ଼ିକୁ କାହିଁକି ଜବତ କରିପାରିନି, ସେନେଇ ନାନାକଥା ଆଲୋଚନା ହେଉଛି।

୧୮ ତାରିଖ ସକାଳେ ପାଥୋଲାବ୍‌ରୁ ଚୋରି ହୋଇଥିବା ଜଣାପଡ଼ିଥିଲା। ଲାବ୍‌ କବାଟରେ ତାଲା ପଡ଼ିରହିଥିବା ବେଳେ ଝରକା ସବୁ ଠିକ୍‌ରେ ବନ୍ଦ ଥିଲା। ଅଥଚ ଭିତରୁ ରକ୍ତ ପରୀକ୍ଷା ପାଇଁ ଥିବା ୫ଟି ମେସିନ୍‌ ଚୋରି ହୋଇଥିବା ଜଣାପଡ଼ିଥିଲା। ପରୀକ୍ଷାଗାରର କର୍ମଚାରୀମାନେ ଲାବ୍‌ର ତାଲା ଖୋଲିବା ପରେ ମେସିନ୍‌ ନଥିବା ଦେଖି ନିର୍ଦ୍ଦେଶକଙ୍କୁ ଜଣାଇଥିଲେ। ପରେପରେ କ୍ୟାପିଟାଲ୍‌ ଥାନାରେ ଏତଲା ଦିଆଯାଇଥିଲା। ଲାବ୍‌ର ଅନ୍ୟ ଏକ ଚାବି ସଫେଇ ସୁପରଭାଇଜର୍‌ ଗୋପାଳ ନିକଟରେ ରହୁଥିବାରୁ ପୁଲିସର ସନ୍ଦେହ ବଢ଼ିଥିଲା। ରାତି ଡିଉଟିରେ ଥିବା ସଫେଇ କର୍ମଚାରୀମାନେ ଏଥିରେ ସମ୍ପୃକ୍ତ ଥିବା ନେଇ ପୁଲିସ ସନ୍ଦେହ କରି ତଦନ୍ତ ଆରମ୍ଭ କରିଥିଲା। ୧୭ ତାରିଖ ରାତିରେ ଅଭିଯୁକ୍ତ ‌ଗୋପାଳ, ଭାଗିରଥୀ, ରମା ଓ ସାଗରର ଡିଉଟି ଥିଲା। ତେଣୁ ସେମାନେ ହିଁ ଲାବ୍‌ ସଫେଇ କରିବାକୁ ଯାଇ ମେସିନ୍‌ତକ ‌ଚୋରି କରି ନେଇଥିବା ସନ୍ଦେହ ହୋଇଥିଲା। ପୁଲିସ ସିସିଟିଭି ଯାଞ୍ଚ କରିବା ପରେ ପ୍ରକୃତ ସତ ଜଣାପଡ଼ିଥିଲା। ଆଜି ସକାଳୁ ପୁଲିସ ଭାଗିରଥୀ ଓ ତା’ର ସ୍ତ୍ରୀ ରମା ଓ ସାଗରକୁ ଉଠାଇ ନେଇ ଥାନାରେ ପଚରାଉଚରା କରିଥିଲା। ସେମାନେ ସତ ମାନିଯାଇଥିଲେ। ସେମାନଙ୍କ ସୂଚନା ଆଧାରରେ ପୁଲିସ ସୁପରଭାଇଜର୍ ଗୋପାଳକୁ ଉଠାଇଥିଲା। ମେସିନ୍‌ଗୁଡ଼ିକୁ ଗୋପାଳ ୟୁନିଟ୍‌-୩ ମସଜିଦ୍‌ କଲୋନିର କବାଡ଼ିଆ ଆଲମିନ୍‌କୁ ମାତ୍ର ୪୫୦ ଟଙ୍କାରେ ବିକ୍ରି କରିଥିବା ମାନିଥିଲା। ତୁରନ୍ତ ପୁଲିସ ଆଲୁମିନ୍ ଗୋଦାମରେ ଚଢ଼ଉ କରି ୨ଟି ଅଚଳ ମେସିନ୍‌କୁ ଜବତ କରିଥିଲା।

ସମ୍ବନ୍ଧିତ ଖବର