ମହଙ୍ଗା ପଡ଼ିଲା ଗୁଗଲ୍‌ରେ ନମ୍ବର ଖୋଜା: ସାଇବର ଠକ ଉଡ଼ାଇନେଲା ୧୧.୮୦ ଲକ୍ଷ

ଭୁବନେଶ୍ବର: ଗୁଗଲ୍‌ରେ କଷ୍ଟମର୍‌ କେୟାର୍‌ ନମ୍ବର ଖୋଜିବା ଜଣେ ବରିଷ୍ଠ ନାଗରିକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ୱାଟର୍‌ ହିଟର୍‌ ମରାମତି କରିବା ପାଇଁ କଷ୍ଟମର୍‌ କେୟାର୍‌ ନମ୍ବର ଖୋଜୁଖୋଜୁ ତାଙ୍କ ଆକାଉଣ୍ଟରୁ ୧୧ ଲକ୍ଷ ୮୦ ହଜାର ଟଙ୍କା ଉଡ଼ିଯାଇଛି। ଠକାମିର ଶିକାର ହୋଇଥିବା ନୂଆପଲ୍ଲୀ ଆଇଆର୍‌ସି ଭିଲେଜ୍‌ ଅଞ୍ଚ​ଳର ଚନ୍ଦ୍ରମୌଳି ପଟ୍ଟନାୟକ ସାଇବର ଥାନାରେ ଅଭିଯୋଗ କରିଛନ୍ତି। ଖରାପ ହୋଇଯାଇଥିବା ଵାଟର୍‌ ହିଟର୍ ମରାମତି କରାଇବାକୁ ଶ୍ରୀ ପଟ୍ଟନାୟକ ଗୁଗଲ୍‌ରେ କଷ୍ଟମର୍‌ କେୟାର୍‌ ନମ୍ବର ଖୋଜୁଥିଲେ। ସେ ଏକ ନମ୍ବର ପାଇ ସେଥିରେ କଲ୍ କରିଥିଲେ। କିନ୍ତୁ କେହି ଗ୍ରହଣ କରିନଥିଲେ। ପରେ ତାଙ୍କ ମୋବାଇଲ୍‌କୁ ଏକ କଲ୍ ଆସିଥିଲା। କଲ୍‌ଟି ସାଇବର ଠକର ଥିଲା। ସେ କଷ୍ଟମର୍‌ କେୟାର୍‌ରୁ କହୁଥିବା କହି ତାଙ୍କୁ ‘ଏନି ଡେସ୍କ ଆପ୍ ଅପ୍‌ଲୋଡ୍’ କରିବାକୁ କହିଥିଲା। ବହୁ ବ୍ୟବହୃତ ଏହି ଆପ୍‌ ଯୋଗେ ଦୂରରେ ଥିବା କମ୍ପ୍ୟୁଟର୍‌ରୁ ଅନ୍ୟ ଏକ କମ୍ପ୍ୟୁଟରକୁ ପରିଚାଳନା ବା ମରାମତି କରିହୁଏ। ଏହାପରେ ଠକ ଅନ୍‌ଲାଇନ୍‌ରେ ୫ ଟଙ୍କା ପଠାଇବାକୁ କହିଥିଲା। ତା’ କଥା ଅନୁସାରେ ଶ୍ରୀ ପଟ୍ଟନାୟକ ଆପ୍ ଲୋଡ୍ କରି ୫ ଟଙ୍କା ପଠାଇବାର କିଛି ସମୟ ପରେ ତାଙ୍କର ଦୁଇଟି ଆକାଉଣ୍ଟରୁ ମୋଟ୍‌ ୧୧ ଲକ୍ଷ ୮୦ ହଜାର ୩୭୯ ଟଙ୍କା ଉଡ଼ିଯାଇଥିଲା।

ସାଇବର ବିଶେଷଜ୍ଞଙ୍କ କହିବା କଥା, ସାଇବର ଠକମାନେ ନିଜ ନମ୍ବରକୁ ବିଭିନ୍ନ କମ୍ପାନିର କଷ୍ଟମର୍‌ କେୟାର୍‌ ନମ୍ବର ଭଳି ଗୁଗଲ୍‌ରେ ଛାଡ଼ି ଦିଅନ୍ତି। କିଛି ଟଙ୍କା ଖର୍ଚ୍ଚ କରି ନିଜ ନମ୍ବରକୁ ସର୍ଚ୍ଚରେ ଉପରକୁ ଉଠାଇ ନିଅନ୍ତି। ତେଣୁ ଯେଉଁମାନେ କଷ୍ଟମର୍‌ କେୟାର୍‌ ନମ୍ବର ଖୋଜନ୍ତି, କେତେକ କ୍ଷେତ୍ରରେ ପ୍ରଥମେ ସାଇବର ଠକର ନମ୍ବର ଆସିଯାଏ। ତେଣୁ ସେହି ନମ୍ବରରେ ଯୋଗାଯୋଗ କରି ଲୋକେ ଠକ ଜାଲ‌ରେ ଫସିଯାଆନ୍ତି। ତେଣୁ ଏମିତି କ୍ଷେତ୍ରରେ କେହି ଟଙ୍କା ମାଗିଲେ କିମ୍ବା ‘ଏନି ଡେସ୍କ’ ଭଳି ଆପ୍ ଡାଉନ୍‌ଲୋ଼ଡ୍ କରିବାକୁ କହିଲେ, ତାହା ସାଇବର ଠକର କାମ ବୋଲି ବୁଝିଯିବା ଉଚିତ।

ସମ୍ବନ୍ଧିତ ଖବର